ଭୁବନେଶ୍ୱର : ନୂଆବର୍ଷ ପାଳନପାଇଁ ସବୁ ବର୍ଗରେ ପ୍ରସ୍ତୁତି ଚାଲିଥିବାବେଳେ ରାଜ୍ୟର ନେତାଙ୍କ କ୍ଷେତ୍ରରେ କିନ୍ତୁ ଏହା ଫିକା ଫିକା ପରିଲକ୍ଷିତ ହେଉଛି । ବିଶେଷକରି ବିଜେଡି, ବିଜେପି ଓ କଂଗ୍ରେସ ନେତାମାନେ ନୂଆବର୍ଷ ପାଳନ ପାଇଁ ସୁଯୋଗ କି ସମୟ ପାଇପାରୁ ନଥିବା ଦେଖିବାକୁ ମିଳିଛି । ଶାସକଦଳର ମନ୍ତ୍ରୀ ଓ ଛାମୁଆ ବିଧାୟକମାନେ ନୂଆବର୍ଷ ସମୟରେ ରାଜ୍ୟ ବାହାରେ ମଉଜ ମସ୍ତିକୁ ଏକ ପ୍ରକାର ଭୁଲି ଯାଇଥିବାବେଳେ ରାଜଧାନୀର ବିଭିନ୍ନ ହୋଟେଲକୁ ଯିବାପାଇଁ ନିରାପଦ ମଣୁନାହାନ୍ତି । ଏଣେ ବିଜେପି ନେତାମାନେ ବି ଦଳୀୟ କାର୍ଯ୍ୟକ୍ରମରେ ପୂରା ବ୍ୟସ୍ତ ।
ଶାସକ ବିଜୁ ଜନତାଦଳ ନୂଆବର୍ଷର ୫ଦିନ ପୂର୍ବରୁ ଅର୍ଥାତ୍ ୨୬ତାରିଖରେ ଦଳର ପ୍ରତିଷ୍ଠା ଦିବସକୁ ରାଜଧାନୀରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ ପର୍ଯ୍ୟନ୍ତ ସବୁଆଡେ ପାଳନ କରିଛି । ଏଥିପାଇଁ ସାଂସଦ, ମନ୍ତ୍ରୀ , ବିଧାୟକମାନେ ବେଶ୍ ଚଳଚଞ୍ଚଳ ଥିଲେ । କେଉଁଠି କିଭଳି ଉତ୍ସବ ଆୟୋଜନ ହେବ ତାହାର ତଦାରଖ ନିଜେ ସବୁ କରୁଥିଲେ । ଏହାବାଦ୍ ମନ୍ତ୍ରୀ ଓ ଦାୟିତ୍ୱରେ ଥିବା କର୍ମୀମାନେ ବିଭିନ୍ନ ଜିଲ୍ଲାକୁ ବି ଘନ ଘନ ଗସ୍ତକରିବାରେ ଲାଗିଛନ୍ତି । ତେଣୁ ନୂଆବର୍ଷରେ ରାଜ୍ୟ ବାହାରକୁ ତ ଦୂରରକଥା ରାଜ୍ୟ ଭିତରେ ଏମାନେ ଫୂର୍ତ୍ତି କରିବାକୁ ବି ସମୟ ପାଉନାହାନ୍ତି । ଅନୁରୂପ ଅବସ୍ଥା ବିଜେପି ନେତାଙ୍କର । ଚଳିତମାସ ଶେଷସୁଦ୍ଧା ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ହେବ । ତେଣୁ ଏଥିପାଇଁ ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତେ କସରତ କରୁଛନ୍ତି । ନିଜ ନିଜ ନେତାଙ୍କ ପାଇଁ ଲବି ଚଳାଇଛନ୍ତି । ତେଣେ ନାଗରିକ ସଂଶୋଧନ ବିଲ୍ (ସିଏଏ) କୁ ନେଇ କେନ୍ଦ୍ର ସରକାର ଅଠକାଠିରେ ପଡିଥିବାରୁ ଏ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବାପାଇଁ ଜାନୁୟାରୀ ମାସ ସାରା ବିଜେପି ରାଜ୍ୟରେ ତାହାର କାର୍ଯ୍ୟକ୍ରମ ରଖିଛି ।
ଅତି କମ୍ରେ କୋଟିଏ ଲୋକଙ୍କ ନିକଟରେ ଦଳ ପହଞ୍ଚିବ ଓ ଏଥିପାଇଁ ୱାର୍ଡସ୍ତରରୁ କାର୍ଯ୍ୟକ୍ରମ କରିବ ବୋଲି ସୂଚନା ଦେଇଛି । ସେଥିପାଇଁ ଏବେ ଦଳର ତଳୁ ଉପର ପର୍ଯ୍ୟନ୍ତ କର୍ମୀମାନେ ଲାଗି ପଡିଛନ୍ତି । ଫଳରେ ସେମାନଙ୍କ ପାଇଁ ନୂଆବର୍ଷ ମଉଜ ପୂରା ଫିକା । ଯଦିଓ କଂଗ୍ରେସରେ ଏତେ କଟକଣା ନାହିଁ କିନ୍ତୁ ସଭାପତି ଚଉକି ପାଇଁ ଯେଭଳି କିଛିଦିନ ହେଲା ଭୁବନେଶ୍ୱରରୁ ଦିଲ୍ଲୀ ଧାଁ ଦଉଡ ଚାଲିଛି ସେଥିରେ ଅନ୍ୟ ସ୍ଥାନକୁ ଯାଇ ଫୂର୍ତ୍ତି କରିବା ଅପେକ୍ଷା କିଛି ତୁଙ୍ଗ ନେତା ନିଜ ନିଜ ସମର୍ଥକଙ୍କୁ ନେଇ ଏକାନ୍ତରେ ନୂଆବର୍ଷ ପାଳିବାପାଇଁ ଯୋଜନା କରିଛନ୍ତି । ତେବେ କିଏ କୁଆଡେ ଯାଉଛି ସେଥିପାଇଁ ସମସ୍ତେ ପରସ୍ପର ଉପରେ ନଜର ରଖିଥିବାରୁ ଅନେକ କଂଗ୍ରେସ ନେତା ନୂଆବର୍ଷ ପାଳନ ଅପେକ୍ଷା ରାଜଧାନୀରେ ରହିବାକୁ ପସନ୍ଦ କରୁଛନ୍ତି ।
ତେବେ ନୂଆବର୍ଷ ପାଳନ ପାଇଁ ନେତାମାନଙ୍କୁ ସବୁଠାରୁ ଅଡୁଆ ହୋଇଛି ସୋସିଆଲ ମିଡିଆ । ନୂଆବର୍ଷ ପାଇଁ କେଉଁଠି ମଉଜ ମସ୍ତି କଲେ କେତେବେଳେ ତାଙ୍କ ଅଜଣାନ୍ତରେ ଯେ ତାହା ସୋସିଆଲ ମିଡିଆରେ ଘୂରିବୁଲିବ ସେହି ଡର ଏବେ ସେମାନଙ୍କୁ
ଘାରିଛି । ତେଣୁ ନୂଆବର୍ଷ ନହେଲେ ନାହିଁ ଜାନୁୟାରୀ ପରେ ଫୁରସତ ପାଇଲେ କିଛି ନେତା ରାଜ୍ୟ ତଥା ଦେଶ ବାହାରକୁ ଯିବାପାଇଁ ଯୋଜନା ପ୍ରସ୍ତୁତ କରିଥିବାର ସୂଚନା ମିଳିଛି ।
ନେତାମାନଙ୍କ ନୂଆବର୍ଷ ଫିକା ଫିକା ହେବାକୁ ଯାଉଥିବାବେଳେ ସରକାରରେ ଥିବା ଉଚ୍ଚପଦସ୍ଥ ଅଫିସରମାନେ କିନ୍ତୁ ବର୍ଷର ଶେଷ ସମୟଟିକୁ ଆନନ୍ଦରେ କାଟିବାପାଇଁ ଯୋଜନା କରିଛନ୍ତି । କିଛି ଅଫିସର ବଳିଥିବା ଛୁଟି ନେଇ ରାଜ୍ୟ ବାହାରକୁ ପଳାଇଥିବାବେଳେ ଅନେକ ନିଜ ନିଜ ପରିବାରଜନଙ୍କ ନିକଟକୁ ଯାଇଥିବା ଜଣାଯାଇଛି । ଏଭଳି ଅବସ୍ଥା ଦେଖି କିଛି ନେତା ମନମାରି ରହୁଥିବାବେଳେ ଆଉ କିଛି କିଭଳି ନିଜ ପରିବାରକୁ ବୁଝାଇବେ ସେହି ଚିନ୍ତାରେ ପଡିଛନ୍ତି ।