ଭୁବନେଶ୍ୱର : ଦିନବେଳା ଥରାଉଛି କାଲୁଆ ପବନ । ଖରା ପୂରା ଗାଏବ । ଏଭଳି ସ୍ଥିତି ଆହୁରି ଦିନେ ଦୁଇଦିନ ଲାଗି ରହିବ । ଏପଟେ ରାତି ତାପମାତ୍ରା ବି ଖସିବ । ଭୀଷଣ ଥଣ୍ଡା ଅନୁଭୂତ ହେବ । ଶନିବାରଠାରୁ ଥରାଇବ ଶୀତ ଲହରୀ । ସର୍ବନିମ୍ନ ତାପମାତ୍ରା ବର୍ତ୍ତମାନ ତୁଳନାରେ ଆହୁରି ୪ରୁ ୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିପାରେ । ଏହାସାଙ୍ଗକୁ କେତେକ ସ୍ଥାନରେ ଘନ କୁହୁଡ଼ି ଘେରିବ । ପାଣିପାଗର ଏଭଳି ପରିବର୍ତ୍ତନ ନେଇ ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ।
ସମ୍ଭାବ୍ୟ ପାଣିପାଗ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଚିଠି ମାଧ୍ୟମରେ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ଶୀତ ଲହରୀ ଓ ଘନ କୁହୁଡ଼ି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବା ଦରକାର । ଘରହୀନ ଓ ଆଶ୍ରୟହୀନ ଲୋକଙ୍କୁ ସରକାରୀ ଆଶ୍ରୟସ୍ଥଳୀରେ ରଖାଯାଉ । ଆଶ୍ରୟସ୍ଥଳୀ ନଥିଲେ ରାତିରେ ସରକାରୀ ସ୍କୁଲ ଓ ସରକାରୀ କୋଠାବାଡ଼ିରେ ରହଣୀ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉ । ସହରାଞ୍ଚଳରେ ଥିବା ଆଶୟସ୍ଥଳୀଗୁଡ଼ିକର ପରିଚାଳନା ବ୍ୟବସ୍ଥାକୁ ତଦାରଖ କରି ଉଚିତ୍ ପଦକ୍ଷେପ ନେବା ପାଇଁ କୁହାଯାଇଛି । ସେହିପରି ଭୀଷଣ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳ ପାଇଁ ସତର୍କତା ପଦକ୍ଷେପ ନେବାକୁ ପୁଲିସ ଓ ପରିବହନ ବିଭାଗକୁ କୁହାଯାଇଛି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିର୍ଭସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ବର୍ତ୍ତମାନ ଏଭଳି କୋହଲା ପାଗ ଲାଗି ରହିବ । କିନ୍ତୁ, ବର୍ଷା ହେବନି । ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହିତ ହେବ । ଫଳରେ ରାତି ତାପମାତ୍ରା ଖସିବ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଶୀତ ଅନୁଭୂତ ହୋଇପାରେ । ଏହା ପରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ । ତେବେ ଜାନୁଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଠାଏ ଠାଏ ପ୍ରବଳ ବର୍ଷା ସମ୍ଭାବନା ଅଛି । କୁଆପଥର ବର୍ଷା ଆଶଙ୍କା ମଧ୍ୟ ରହିଛି । ଏହାବାଦ୍ ଭଦ୍ରକ, ବାଲେଶ୍ୱର, କଟକ, କେନ୍ଦୁଝର ଓ ଭୁବନେଶ୍ୱରରେ ହାଲୁକା ବର୍ଷା ହୋଇପାରେ ।
ପାଣିପାଗ ବିଭାଗ କହିଛି, ଶୁକ୍ରବାରଠାରୁ ଥଣ୍ଡା ପ୍ରକୋପ ବଢ଼ିବା ସହ ଶୀତ ଲହରୀ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳରେ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ଉତ୍ତର ଓଡ଼ିଶା ସମେତ ପୁରୀ, ଖୋର୍ଦ୍ଧା, କନ୍ଧମାଳ, ସୋନପୁର, କଳାହାଣ୍ଡିରେ ଘନ କୁହୁଡ଼ି ହୋଇପାରେ । ଶନିବାର ଓ ରବିବାର ପାଇଁ ମଧ୍ୟ ଶୀତ ଲହରୀ ୱାର୍ଣ୍ଣିଂ ଜାରି କରାଯାଇଛି । ଶନିବାର ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ଭୀଷଣ ଥଣ୍ଡା ଅନୁଭୂତ ହେବ । ଏଥିପାଇଁ ଅଞ୍ଜେ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳରେ ଘନ କୁହୁଡ଼ି ହୋଇପାରେ । ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଅନୁଗୁଳରେ ଶୀତ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ଦୁଇଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୪ରୁ ୬ ଡିଗ୍ରୀ କମିପାରେ । ଏହା ପରେ ଶୀତ ପ୍ରକୋପ କମିବ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏଥର ନୂଆ ବର୍ଷରେ ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟରେ ପାଗ ମେଘୁଆ ଓ କୋହଲା ରହିବ । ଦକ୍ଷିଣ ଉପକୂଳରେ ହାଲୁକା ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ।
ଆସନ୍ତା ୩୧ ତାରିଖରୁ ୩ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପାଗ ବଦଳିବ । ବାକି ଅଞ୍ଚଳରେ ୧ରୁ ପାଗ ବଦଳିବ । ୪ ଯାଏଁ ମେଘୁଆ ପାଗ ଲାଗୁ ରହିବ । ପଶ୍ଚିମ ଓଡ଼ିଶାର ସମ୍ବଲପୁର, କଳାହାଣ୍ଡିରେ ଆସନ୍ତା ୧ ଓ ୨ ତାରିଖରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାକି ଜାଗାରେ ହାଲୁକାରୁ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୨ ଓ ୩ ତାରିଖରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨୮ ତାରିଖରେ ଅଧିକାଂଶ ଅଞ୍ଚଳରେ ଥଣ୍ଡା ବଢ଼ିବ । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମିବ । ୨୯ରୁ ଥଣ୍ଡା କ୍ରମଶଃ ବଢ଼ିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ୧ ତାରିଖ ସୁଦ୍ଧା ରାତି ତାପମାତ୍ରା ୫ରୁ ୬ ଡିଗ୍ରୀ ବଢ଼ିଯିବ ।ସେହିପରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ୩୧ ସୁଦ୍ଧା ପ୍ରାୟ ୬ ଡିଗ୍ରୀ ବଢ଼ିପାରେ ।
ବର୍ତ୍ତମାନ ଦିନବେଳା କୋହଲା ପାଗ ରହିବ। ଉତ୍ତରରେ ୨୯ ତାରିଖରୁ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ୩୦ରୁ କୋହଲା ପାଗ କମିବ । ପଶ୍ଚିମରେ ୩୧ ଯାଏଁ ରହିବ । ୩୧ ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ଭୀଷଣ କୋହଲା ପାଗ ଅନୁଭୂତ ହେବ । ଦିନ ତାପମାତ୍ରା ୭ରୁ ୮ ଡିଗ୍ରୀ କମିପାରେ । ଫଳରେ ରାତି ଭଳି ଶୀତ ଥରାଇବ ।
ସେହିପରି ଉତ୍ତର ଓଡ଼ିଶାରେ ୧ ଓ ୨ ତାରିଖରେ ବିଶେଷ କୋହଲା ପାଗ ଅନୁଭୂତ ହେବ । ୨ରୁ ୪ ତାରିଖ ପର୍ଯ୍ୟନ୍ତ ପୁଣି ଭୁବନେଶ୍ୱରରେ ପାଗ କୋହଲା ରହିବ । ୨୯ରୁ ରାଜ୍ୟ ତମାମ କୁହୁଡ଼ି ବଢ଼ିବ । ବର୍ତ୍ତମାନ ଉତ୍ତରରୁ ପବନ ବହୁଥିବାବେଳେ ପୁଣି ବଙ୍ଗୋପସାଗର ପଟୁ ପବନ ଆସିବ । ଯାହାକି ଶୀତ କମାଇବା ସହ କୁହୁଡ଼ି ବଢ଼ାଇବ ।