ଭୁବନେଶ୍ୱର : ଏନ୍ଆଇଏଟିର ପ୍ରତିଷ୍ଠା ଦିବସ ଶୈଳଶ୍ରୀବିହାର ସ୍ଥିତ ମହର୍ଷି ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏକବିଂଶ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଅନେକ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି କୃତିତ୍ୱର ସହିତ ଉନ୍ନତି କରିଛି । ସମାଜର ବିଭିନ୍ନ ସାମାଜିକ ସ୍ରୋତରେ ସାମିଲ ହୋଇ ସଚେତନତା ସୃଷ୍ଟି କରିଛି । ସେ ମଧ୍ୟରେ ଶିକ୍ଷା, ସଂସ୍କୃତି, ଗମନାଗମନ, ବୃକ୍ଷରୋପଣ ଓ କଳାକୁ ବିଶେଷକରି ପ୍ରାଧାନ୍ୟ ଦେଇଆସିଛି । ଦକ୍ଷତା ବିକାଶ କ୍ଷେତ୍ରରେ ଏହି ଅନୁଷ୍ଠାନ ଓଡ଼ିଶାର ଅଗ୍ରଣୀ ଭୂମିକା ନେଇ କୋଣଅନୁକୋଣରେ ଦକ୍ଷତା ବିକାଶ କରିବା ସହିତ ଅନେକ ଛାତ୍ରଛାତ୍ରୀଙ୍କୁ ରୋଜଗାରର ପନ୍ଥା ଦେଇଛି । ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଚଳିତବର୍ଷ ଏକ ନିଆରା ପରମ୍ପରାକୁ ଆପଣାଇ ନେଇ ଧାର୍ମିକ ଭାବନା, ଚେତନାକୁ ଋଦ୍ଧିମନ୍ତ କରିବା ପାଇଁ ଆଧ୍ୟାତ୍ମିକ ଜ୍ଞାନଯଜ୍ଞ ଆୟୋଜନ କରିଛି ।
ଅନୁଷ୍ଠାନର ନିର୍ଦ୍ଦେଶକ ଦେବାଶିଷ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍ଘାଟକ ଭାବେ କଳ୍ପତରୁ ଆଶ୍ରମ ଭୁବନେଶ୍ୱରର ଅଧ୍ୟକ୍ଷ ନିଗମ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଉଦ୍ଘାଟନ କରି କହିଛନ୍ତି ଶିକ୍ଷାର୍ଥୀମାନଙ୍କର ମାନସିକ ଦକ୍ଷତା ଉପରେ ଧର୍ମର ପ୍ରଭାବ ପଡ଼ିଥାଏ । ଜଣେ ଶାନ୍ତ, ସରଳ, ସାବଲୀଳ ହେବା ପାଇଁ ଯୋଗ, ଧ୍ୟାନ ଅତ୍ୟନ୍ତ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ଭାବେ ଏନ୍.ଆଇ.ଟି. ସିଲଂର ରେଜିଷ୍ଟାର ବିଜୟାନନ୍ଦ ଚୌଧୁର. ସମ୍ମାନୀୟ ଅତିଥି ଭାବେ ନାଇଲେଟ୍ର ଉପନିର୍ଦ୍ଦେଶକ ଉମାକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଦ୍ୱିତୀୟ ଦିବସରେ କଳ୍ପତରୁ ଆଶ୍ରମ କଟକର ବିପିନ ବିହାରି ଦାସ ବାବାଜୀ ମହାରାଜ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମାଜର ମଙ୍ଗଳ ସାଧନା ନିମନ୍ତେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରବଚକ ଅଧ୍ୟାପକ ସନ୍ତୋଷ କୁମାର ସାହୁଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଳର ବହୁ ବୁଦ୍ଧିଜୀବୀ, ବିଦ୍ୱାନମଣ୍ଡଳୀ, ସାଧୁସନ୍ଥ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।