ଭୁବନେଶ୍ୱର : ୟୁଜିସି ସ୍କେଲରେ ମୋଟା ଅଙ୍କର ବେତନ ଗଣି ନେଉଥିବା କଲେଜ ଅଧ୍ୟାପକଙ୍କ ଘରୋଇ ଟିଉସନ ଉପରେ ରୋକ ଲଗାଇବାପାଇଁ ଆରମ୍ଭ ହୋଇଥିବା ଅଭିଯାନ ଏବେ ଶୀତଳଭଣ୍ଡାରରେ । ଏମାନଙ୍କ ତାଲିକା ପ୍ରସ୍ତୁତ ହୋଇଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ଓ କିଏ ଏହାକୁ ଚାପିଛି ତାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି ।
ରାଜଧାନୀରେ କିଛି ଅଧ୍ୟାପକ ବିଶେଷକରି ବିଜ୍ଞାନ ବିଷୟର ଅଧ୍ୟାପକମାନେ ବ୍ୟାପକ ଟିଉସନ କରୁଥିବା ଖବର ଚର୍ଚ୍ଚା ହେବାପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏମାନଙ୍କ ତାଲିକା ପ୍ରସ୍ତୁତ ପାଇଁ ଯୋଜନା ହୋଇଥିଲା । ଏଥିପାଇଁ ବିଭାଗ ପକ୍ଷରୁ କିଛି ଅଧିକାରୀ ଓ ଅଧ୍ୟାପକଙ୍କୁ ନେଇ ଦୁଇଟି ଟିମ୍ ଗଠନ ହୋଇଥିଲା ।
ଏମାନେ ସହରର ସାରା ବୁଲି ବୁଲି ଯେଉଁଠାରେ ଟିଉସନ ହେଉଥିଲା ତାହାର ତନଖି କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ଜଣେ ଅଧ୍ୟାପକଙ୍କ ଘର ସ୧ୁଖରେ ଦୁଇଚକିଆ ଯାନର ଧାଡିଦେଖି ଏମାନେ ଅବାକ ହୋଇଯାଇଥିଲେ । ଏହାପରେ କେତେକ ଘରୋଇ କୋଚିଂ ସେଣ୍ଟରରେ ବି କିଛି ଅଧ୍ୟାପକଙ୍କୁ ଠାବ କରାଯାଇଥିଲା । ବିଜ୍ଞାନ ସହିତ କଳାର କିଛି ଅଧ୍ୟାପକ ବି ଏହି ଟିଉସନ ବେପାରରେ ମାତିଥିବା ଏହି ଟିମ୍ର ନଜରକୁ ଆସିଥିଲା । ତେବେ ସବୁଠାରୁ ବଡ କଥା ହେଲା ଗୋଟିଏ ଅର୍ଦ୍ଧ ସରକାରୀ ମହାବିଦ୍ୟାଳୟର ଜଣେ ବିଜ୍ଞାନ ଅଧ୍ୟାପକ କଲେଜରେ ଯେତିକି ପଢାଉ ନାହାନ୍ତି ଟିଉସନରେ ତାହାଠାରୁ ଅଧିକ ସମୟ ଦେଉଛନ୍ତି । ତାଙ୍କର ସମ୍ପତି ପରିମାଣର ସୁରାକ ପାଇଁ ତାଲିକା ପ୍ରସ୍ତୁତ କରୁଥିବା ଏହି ଟିମ୍ର କିଛି ସଦସ୍ୟ ଏକ ରକମ ଟେରା ପାଲଟି ଯାଇଛନ୍ତି । ସମ୍ପୃକ୍ତ ଅଧ୍ୟାପକ କୁଆଡେ ନାମୀ ବେନାମୀ ଭାବେ ରାଜଧାନୀରେ ଗୁଡିଏ ପ୍ଲଟ କିଣି ପକାଇଲେଣି । ବ୍ୟାଙ୍କ୍ ବାଲାନ୍ସ ବି ବଢି ବଢି ଚାଲିଛି । ଟିଉସନ କରୁଥିବା ଅଧିକାଂଶ ଅଧ୍ୟାପକଙ୍କ ଅବସ୍ଥା ପ୍ରାୟ ସମାନ । ଏମାନେ ପଇସା ବଳରେ ଏତେ ବଳିୟାନ ହୋଇଛନ୍ତି ଯେ ବଦଳି କଥା ଶୁଣିଲାମାତ୍ରେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଭଣ୍ଡାର ଖୋଲି ଦେବାକୁ ପ୍ରସ୍ତୁତ । କାରଣ ରାଜଧାନୀ ଛାଡିଲେ ସେମାନଙ୍କର ଟିଉସନ ବେପାର ବନ୍ଦ ହୋଇଯିବ । ଏଥିପାଇଁ ବିଭାଗରୁ ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ସବୁଆଡେ ଚର ରଖିଛନ୍ତି । ରାଜଧାନୀରେ ଟିଉସନ ଏକ ବେପାରରେ ପରିଣତ ହୋଇଥିବାବେଳେ ଏଥିରେ ଜଡିତ ଅଧ୍ୟାପକମାନେ ଦୀର୍ଘଦିନ ହେଲା ଏଠାରେ ଗାଦିମାଡି ବସିଛନ୍ତି । ଟିଉସନ କରି କିଛି ଅଧ୍ୟାପକ ଏବେ କୋଟିପତି ହେଲେଣି ।
ଏମାନଙ୍କୁ ରାଜ୍ୟର ଦୂର ଦୂରାନ୍ତ ତ ଭିନ୍ନକଥା କଟକ, ପୁରୀ ଆଦି ସ୍ଥାନକୁ ବଦଳି କଲେ ବି ସେମାନେ ଯାଉ ନାହାନ୍ତି କି କର୍ତ୍ତୃପକ୍ଷ ବି ବଦଳି କରିବାକୁ ସାହସ କୁଳାଇ ପାରୁନାହାନ୍ତି । କିଏ ନେତାଙ୍କ ଆଡୁ ଚାପ ପକାଉଛି ତ ଆଉ କି ଅଫିସରଙ୍କ ଆଡୁ । ତେବେ ବଦଳ ନହେଲା ନାହିଁ ଏମାନଙ୍କ ଟିଉସନ ବେପାର ବନ୍ଦ ପାଇଁ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ କାହିଁକି ଶୀତଳଭଣ୍ଡାରରେ ରହିଗଲା ସେଥିନେଇ ଅନେକ ସଚ୍ଚେଟ ଅଧ୍ୟାପକ ପ୍ରଶ୍ନ କରୁଛନ୍ତି । କାହା ଡରରେ ଏହି ତାଲିକା ଚପିଗଲା ନା ଏହା ପଛରେ ଆଉ କିଛି କାରବାର ହୋଇଗଲା ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।