ଭୁବନେଶ୍ୱର : ପାଗ ବଦଳିଯାଇଛି । ସବୁଠି ମେଘୁଆ ଓ କୋହଲା ପାଗ । ରାତି ତାପମାତ୍ରା ବଢ଼ିଥିବାବେଳେ ଦିନରେ ପାରଦ ଖସିଛି । ବୁଧବାର ରାଜ୍ୟରେ କେତେକ ଜାଗାରେ ହାଲୁକା ବର୍ଷା ହୋଇଥିବାବେଳେ ଗୁରୁବାର କିଛି ସ୍ଥାନରେ ବର୍ଷା ହୋଇଛି । ପାଣିପାଗ ପୂର୍ବାନୁମାନ ହେଲା, ଆଉ ୨ ଦିନ ପାଗ ମେଘୁଆ ରହିବ । କେତେକ ଜାଗାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ ।
ପାଣିପାଗ ବିଭାଗ କହିଛି, ଶୁକ୍ରବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ଗଜପତି, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଶନିବାର ବିଶେଷ ବର୍ଷା ନାହିଁ । ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଆସନ୍ତା ୨ ଦିନରେ ରାତି ତାପମାତ୍ରା ବିଶେଷ ପରିବର୍ତ୍ତନ ହେବନି । ହେଲେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ । ୫ରୁ ରାତି ତାପମାତ୍ରା କମିବ । ଫଳରେ ଥଣ୍ଡା ବଢ଼ିବ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଯେଉଁଭଳି ବର୍ଷା ଆଶା କରାଯାଉଥିଲା, ସେଭଳି ବର୍ଷା ହେଲାନି। ଆଜି ସାରା ଓଡ଼ିଶାରେ ପାଗ ମେଘୁଆ ରହିବ । କେତେକ ଜାଗାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ । ବାକି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ।
ଅନୁମାନ କରାଯାଉଥିଲା, ଆରବ ସାଗର ପଟୁ ରାଜ୍ୟକୁ ପବନ ବହିବ । ଅନ୍ୟପକ୍ଷେ ଉତ୍ତର ଓଡ଼ିଶାକୁ ଉତ୍ତରା ପବନ ଆସିବ । ଏହି ଦୁଇ ପବନର ସମ୍ମିଶ୍ରଣରେ ରାଜ୍ୟରେ ବର୍ଷା ପ୍ରକୋପ ବଢ଼ିବ । ମାତ୍ର ସେଭଳି ହେଲାନି । ଏବେ ଅନୁମାନ କରାଯାଉଛି, ଦକ୍ଷିଣ ଓଡ଼ିଶାକୁ ଆରବ ସାଗର ପଟୁ ପବନ ବହିବ, ଯାହାକି ବଙ୍ଗୋପସାଗରକୁ ମୁହାଁଇବ । ଏହା ଫଳରେ ରାଜ୍ୟରେ କମ୍ ଓ ବଙ୍ଗୋପସାଗରରେ ଅପେକ୍ଷାକୃତ ଅଧିକ ବର୍ଷା ସମ୍ଭାବନା ଅଛି ।
୫ ତାରିଖରୁ ରାଜ୍ୟରେ ଥଣ୍ଡା ବଢ଼ିବ । ବିଶେଷ କରି ପଶ୍ଚିମ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ଥଣ୍ଡା ଅଧିକ ରହିବ । ୬ରେ ଉପକୂଳ ଓଡ଼ିଶାରେ ଥଣ୍ଡା ପ୍ରକୋପ ଅଧିକ ରହିପାରେ । ୭ରୁ ପୁଣି ପବନର ଦିଗ ବଦଳିବା ସହ ସାରା ରାଜ୍ୟରେ ଶୀତ କମିବ ।
ଶୀତ ପ୍ରକୋପ କମିଥିବାବେଳେ ବୁଧବାର ରାତିରେ କେବଳ କେନ୍ଦୁଝରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । କେନ୍ଦୁଝର ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ଥିବାବେଳେ ସୁନ୍ଦରଗଡ଼ ୧୦.୫, ଅନୁଗୁଳ ୧୦.୬, ଦାରିଙ୍ଗିବାଡ଼ି ୧୧.୫, ତାଳଚେର ୧୧.୫, ସୋନପୁର ୧୨, ଫୁଲବାଣୀ ୧୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।