Odia News Portal

ମହିଳା ମାମଲା ଦେଖିଲେ ପୁଲିସ୍‍ ଛାତି ଧଡ ଧଡ

ଭୁବନେଶ୍ୱର : ଓଡିଶା ପୁଲିସ୍‍କୁ ଏବେ ମହିଳା ମାମଲା ଅଡୁଆ । ଅବସ୍ଥା ଏଭଳି ହେଲାଣି ଯେ ଏଭଳି ମାମଲା ଦେଖିଲାମାତ୍ରେ
ପୁଲିସ୍‍ ଛାତି ଧଡ ଧଡ ହେଉଛି । ତେଣୁ ମହିଳା ସଂକ୍ରାନ୍ତୀୟ ମାମଲାରୁ କିଭଳି ରକ୍ଷା ପାଇବେ ଓ ଅନ୍ୟକୁ ଆଗକୁ ଠେଲି ନିଜେ ଖସିବେ ସେଥିପାଇଁ ପୁଲିସ୍‍ ବିଭାଗରେ ଜୋରଦାର କସରତ ଚାଲିଛି । ରାଜ୍ୟରେ ଘଟିଥିବା କେତେକ ଘଟଣାରୁ ପୁଲିସ୍‍ ପ୍ରତି ମହିଳା ମାମଲା କିଭଳି ବିପଦ ତାହା ଜଳ ଜଳ ହୋଇ ଦିଶୁଛି । ସଦ୍ୟ ଘଟଣାଟି ହେଉଛି ରାଜଧାନୀରେ । ଯଦିଓ ଏହା କୌଣସି ମାମଲା ନୁହେଁ ତଥାପି ମହିଳାମାନଙ୍କୁ ପୁଲିସ୍‍ ଏସ୍‍ପିଓ ଭାବେ ନିଯୁକ୍ତି କରିବା ସହିତ ଉତ୍ସାହିତ ପରାମର୍ଶ ଦେଇ ଖୋଦ୍‍ ପୁଲିସ୍‍ କମିଶନର ଅଡୁଆରେ ଫସିଛନ୍ତି । ନିଯୁକ୍ତି ପର୍ଯ୍ୟନ୍ତ କଥା ଠିକ୍‍ ଥିଲା, ହେଲେ ଝିଅ ମାନଙ୍କୁ ବାହାଘର ପରାମର୍ଶ ଦେଇ ଅଡୁଆ ବଢାଇଦେଲେ କମିଶନର ।

 

ଅବସ୍ଥା ଏଭଳି ହେଲା ଯେ ସରକାରୀଦଳର ମୁଖପାତ୍ରଙ୍କୁ ଆସି ବିରୋଧ କରିବାକୁ ପଡିଲା । ଏବେ କୌଣସି ମହିଳା ସଂଗଠନ କିନ୍ତୁ କମିଶନରଙ୍କ ସପକ୍ଷରେ ବାହାରୁ ନାହାନ୍ତି । ଏହାକୁ ନେଇ ଏବେ ଟୁଇଟ ଯୁଦ୍ଧ ଚାଲିଛି । ସେହିଭଳି ଯାଜପୁରର ସ୍ମିତାରାଣୀ ଘଟଣା । ଏହି ମୃତ୍ୟୁ ଘଟଣାରେ ଯାଜପୁର ଏସ୍‍ପି ବକ୍ତବ୍ୟ ଦେଇ ଏକ ପ୍ରକାର ଫସିଗଲେ । ମହିଳା କମିଶନଙ୍କ ଠାରୁ ଆରମ୍ଭକରି ମହିଳା ସ୍ୱେଚ୍ଚାସେବୀମାନେ ତାଙ୍କୁ ଏଭଳି ଷଣ୍ଢୁଆସୀ ଆକ୍ରମଣ କଲେ ଯେ ସେବେଠାରୁ ଆଉ ତାଙ୍କର ଦେଖାଦର୍ଶନ ନାହିଁ । ମାମଲା ଉପରେ ଥାନା ସ୍ତରରେ କାର୍ଯ୍ୟାନୁଷ୍ଠାନ ହେବାକଥା । ହେଲେ ଏସ୍‍ପି ହସ୍ତକ୍ଷେପ କରି ତାହାର ଗୁରୁତ୍ୱ ବଢାଇଦେଲେ ଓ ଏହାର ରାଜନୈତିକ ରଙ୍ଗ ନେଇଗଲା । ଏହି ମାମଲାକୁ ନେଇ ଏବେ ବି ସରକାର ବିରୋଧି ନିୟମିତ ଭାବେ ତୁ ତୁ ମେ ମେ ହେଉଛନ୍ତି । ନବରଙ୍ଗପୁରରେ ବାଳିକା ମୃତ୍ୟୁ ଘଟଣାରେ ବି ସେଠାକାର ଏସ୍‍ପି ବକ୍ତବ୍ୟ ଦେଇ ଫସିଛନ୍ତି । ଝିଅଟି ମରିବା ସ୍ଥାନରୁ କିଛି ପ୍ୟାଣ୍ଟ ଓ ଚପଲ ଜବତ ହୋଇଥିଲା ।

 

ସେତେବେଳେ ଏହା ଧର୍ଷଣ ଓ ହତ୍ୟା ବୋଲି ହୁରି ପଡିଲା । ମାମଲାର କିଛିଦିନ ପରେ ଅପରାଧି ଧରାନପଡିବାରୁ କଂଗ୍ରେସର ପୂର୍ବତନ ଏମ୍‍ପି ଦଳ ବଳ ଧରି ପୋଡାଜଳା କଲେ । ଏପରିକି ନିଜ ନିଜ ସମର୍ଥକଙ୍କୁ ପ୍ରେଟ୍ରୋଲ ଡିଜେଲ ଧରି ଜଳାଇବାକୁ କହିଲେ । ଏଥିରେ ବି ରାଜନୀତି ପଶିଗଲା । ଏବେ ସେଠାକାର ଏସ୍‍ପି ଏହା ପ୍ରେମଜନିତ ବୋଲି କହି ଏକ ପ୍ରକାର ବିବାଦରେ ।
ଆଉ ଗୋଟିଏ ସଦ୍ୟତମ ଘଟଣା ହେଉଛି ପୁରୀ ପୁଲିସ୍‍ ଏରିଆରେ । ବଳଙ୍ଗା ଥାନା ଏଏସ୍‍ଆଇ ମହିଳା ଦୁଷ୍କର୍ମ
ମାମଳାରେ ଗିରଫ ହେଲାପରେ ପୁରୀ ଏସ୍‍ପି ଏହା ଦୁଷ୍ମର୍ମ ନୁହେଁ ବୋଲି ସଫେଇ ଦେଇ ଏବେ ବିବାଦରେ । ଘଟଣାରେ
ସତ୍ୟତା ଅଛି କି ନାହିଁ ତାହା ଜଣାପଡିବା ପୂର୍ବରୁ ଏହା ରାଜନୈତିକ ରଙ୍ଗ ନେବାରେ ଲାଗିଛି । ଏହାର କିଛିଦିନ ପୂର୍ବରୁ ପୁରୀ ପୁଲିସ୍‍ ବାରାକରେ ହୋଇଥିବା ଧର୍ଷଣ ମାମଲାର କଳାଦାଗ ଏବେ ବି ପୁଲିସ୍‍ ଦେହରୁ ଛାଡି ନଥିବାବେଳେ ପୁଣିଥରେ ମହିଳା ମାମଲା ବିବାଦରେ ପୁଲିସ୍‍ ଫସିଯାଇଛି ।

 

କେବଳ ଏହି ଦୁଇ ତିନିଟି ଘଟଣା ନୁହେଁ, ଅତୀତରେ ଛବିରାଣୀ ଠାରୁ ଆରମ୍ଭକରି ବେବିନା, କୁନ୍ଦୁଲି, ମାଧବିଲତା ଆଦି ଘଟଣାରେ ବି ପୁଲିସ୍‍ ବିବାଦକୁ ଆସିଥିବା ଦେଖିବାକୁ ମିଳିଛି । ହେଲେ ଗତ କିଛିଦିନ ହେଲା ଓଡିଶା ପୁଲିସ୍‍ ଯେମିତି ମହିଳାମାମଲାରେ ଫସିଯାଉଛି ତାହା ଦେଖିଲାପରେ ଅନେକ ପୁଲିସ୍‍ ବାବୁ ଏବେ ମହିଳା ମାମଲାରୁ ନିଜକୁ ଦୂରେଇ ରଖିବାପାଇଁ ଯଥାସାଧ୍ୟ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଉଛି ।