ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ଫିଟ୍ ରଖିବା ସହିତ ମନୋରଞ୍ଜନ ଯୋଗାଉଥିବା ରାହାଗିରି ଓ ଡଟ୍ ଫେଷ୍ଟ କୁ କର୍ତ୍ତୃପକ୍ଷ ଭୁଲିଗଲେ । ଚଳିତବର୍ଷ ଏହି ଦୁଇଟି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିଲା ନାହିଁ । ସ୍ମାର୍ଟ ଜନପଥରେ ଆଉ ରାହାଗିରି ଦେଖିବାକୁ ମିଳୁନାହିଁ କି ଡଟ୍ଫେଷ୍ଟର ମଜା ରାଜଧାନୀବାସୀ ଉଠାଇ ପାରୁନାହାନ୍ତି ।
ରାଜଧାନୀବାସୀଙ୍କୁ ଫିଟ୍ ରଖିବା ସହିତ ମନୋରଞ୍ଜନ ପାଇଁ ପ୍ରତି ରବିବାର ଦିନ ଜନପଥରେ ଆୟୋଜିତ ହେଉଥି ରାହାଗିରି । ପର୍ଯ୍ୟଟନ ବିଭାଗ, ବିଏମ୍ସି, ବିଡିଏ ମିଳିତ ଭାବେ ଏହାକୁ ଆୟୋଜନ କରୁଥିଲେ । ରବିବାର ସକାଳୁ ସକାଳୁ ରାଜଧାନୀର ଲୋକେ ଏଠାରେ ଏକାଠି ହେବା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା । ନେତା ମବୀଙ୍କ ଠାରୁଆରମ୍ଭକରି ଅଫିସର, ଛାତ୍ରଛାତ୍ରୀ, ସାଧାରଣଲୋକେ ଜନପଥରେ ରୁଣ୍ଡ ହେଉଥିଲେ । କିଏ ମୁରୁଜ ପକାଉଥିଲା ତ କିଏ କଳାକୌଶଳ ପ୍ରଦର୍ଶନ କରୁଥିଲା । ବେସରକାରୀ ସଂଗଠନ ଗୁଡିକ ବାଣ୍ଟୁଥିଲେ ସଚେତନତାର ବାର୍ତ୍ତା । ରବିବାର ପାଇଁ ରାଜଧାନୀର ପିଲାଠୁ ବୁଢାଯାଏ ଅପେକ୍ଷା କରି ରହୁଥିଲେ । ସକାଳୁ ସକାଳୁ ଜନପଥ ହୋଇଉଠୁଥିଲା ଆମୋଦ ପ୍ରମୋଦର କେନ୍ଦ୍ରସ୍ଥଳ । ଏହାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ହେବା ସହିତ ପୁରୀ ଠାରୁ ଆରମ୍ଭକରି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଆରମ୍ଭ ହୋଇଥିଲା ରାହାଗରି ି ।
ହେଲେ ରାଜଧାନୀରେ ଆଉ ରାହାଗିରି ଦେଖିବାକୁ ମିଳୁନାହିଁ । ଏହା କାହିଁକି ଆୟୋଜନ ହେଉନାହିଁ ତାହାର ଉତ୍ତର ବି କାହାରି ପାଖରେ ନାହିଁ । ରାହାଗିରିର ଲୋକପ୍ରିୟତାକୁ ଦେଖି ନାଲ୍କୋ କର୍ତ୍ତୃପକ୍ଷ ଦୁଇଶହ ସାଇକେଲ ଯୋଗାଇ ଦେଇଥିଲେ । ରାହାଗିରି ଦିନ ସକାଳୁ ସକାଳୁ ଲୋକେ ସାଇକେଲ ଚଳାଇ ଫିଟ୍ ରହୁଥିଲେ । ଏହି ସାଇକେଲ ଏବେ ଖତ ହେବାକୁ ବସିଲାଣିା ଗୋଟିଏ ପଟେ ବିଏମ୍ସି କର୍ତ୍ତୃପକ୍ଷ ପ୍ରତି ଶୁକ୍ରବାର ସାଇକେଲ ଚଳାଇ ଫିଟ୍ ରହିବାପାଇଁ କର୍ମଚାରୀମାନଙ୍କୁ ପରାମର୍ଶ ଦେଉଥିବାବେଳେ ରାହାଗିରି ସଂକ୍ରାନ୍ତରେ କିନ୍ତୁ କିଛି ନିଷ୍ପତ୍ତି ହୋଇପାରୁନାହିଁ । ସେହିଭଳି ଗତବର୍ଷ ମହା ଆଡମ୍ବରରେ ଆୟୋଜିତ ଡଟ୍ଫେଷ୍ଟ ସମୟରେ ଏହା ପ୍ରତିବର୍ଷ ଆୟୋଜିତ ହେବବୋଲି ଘୋଷଣା କରାଯାଇଥିଲା । ହେଲେ ଏବର୍ଷ ଆଉ ଡଟ୍ ଫେଷ୍ଟ କଥା କେହି କହୁନାହାନ୍ତି । ଡଟ୍ ଫେଷ୍ଟ ଯୋଗୁଁ ପ୍ରଦର୍ଶନୀ ପଡିଆ ସମେତ ଏହାର ଆଖପାଖ ଏକ ପ୍ରକାର ରଙ୍ଗୀନ ପାଲଟି ଯାଇଥିଲା ।ରାଜଧାନୀର ଆବଳ ବୃଦ୍ଧ ବନିତା ଡଟ୍ ଫେଷ୍ଟକୁ ବେଶ୍ ଉପଭୋଗ କରିଥିଲେ । ଦେଶୀ ବିଦେଶୀ କଳାକାରଙ୍କ ପ୍ରଦର୍ଶନରେ କମ୍ପିଥିଲା ରାଜଧାନୀ । ସମସ୍ତେ ଆଶା କରିଥିଲେ ପ୍ରତିବର୍ଷ ଏଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ମିଳିବ । ହେଲେ ଏହାର ଅବସ୍ଥା ବି ରାହାଗିରି ଭଳି ହୋଇଛି । ଜନପଥ ଓ ପ୍ରଦର୍ଶନୀ ପଡିଆରେ ଆଉ ଦୁଇ କାର୍ଯ୍ୟକ୍ରମ ନେଇ କାହାରି ପାଖରେ ସତେ ଯେମିତି ଚିନ୍ତା କରିବାକୁ ବେଳ ହିଁ ନାହିଁ ।
