ଭୁବନେଶ୍ୱର : ଆଜି ଲୋକସେଭା ଭବନର ନୂଆ କନ୍ଭେନସନ ହଲ୍ରେ ଅନୁଷ୍ଠିତ ହେବ ଜିଲ୍ଲାପାଳ ସମ୍ମିଳନୀ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏ ସମ୍ମିଳନୀରେ ସମସ୍ତ ଜିଲ୍ଲାପାଳଙ୍କ ସହ ବିଭାଗୀୟ ସଚିବ ଓ ସମସ୍ତ ଆଇଏସ୍ ଅଫିସରମାନେ ଯୋଗ ଦେବେ । ଏ ସମ୍ମିଳନୀରେ ରାଜ୍ୟର ବିକାଶକୁ ଆଗକୁ ନେବା ସହ ଜନସାଧାରଣଙ୍କ ନିକଟରେ ଗୁଣାତ୍ମକ ସରକାରୀ ସେବା ପହଞ୍ଚାଇବା ନେଇ ମାନସ ମନ୍ଥନ କରାଯିବ । ଆଗାମୀ ୫ ବର୍ଷ ପାଇଁ ବିକାଶର ମଡେଲ ନେଇ ସରକାରଙ୍କ ଆଗରେ ଥିବା ଚାଲେଞ୍ଜ ଉପରେ ମଧ୍ୟ ଚର୍ଚ୍ଚା ହେବ ।
କାର୍ଯ୍ୟସୂଚୀ ଅନୁସାରେ କନ୍ଭେନସନ ସେଣ୍ଟରରେ ଶୁକ୍ରବାର ସାଢ଼େ ୯ରୁ ପଞ୍ଜୀକରଣ ଆରମ୍ଭ ହେବ । ଠିକ୍ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ମିଳନୀକୁ ଉଦ୍ଘାଟନ କରିବେ । ଉନ୍ନୟନ କମିଶନର ସୁରେଶ ମହାପାତ୍ର ସ୍ୱାଗତ ଭାଷଣ ଦେବା ପରେ ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅବଗତ କରାଇବେ । ଏହାପରେ ମୁଖ୍ୟମନ୍ତ୍ରୀ ସମସ୍ତ ବରିଷ୍ଠ ପଦାଧିକାରୀମାନଙ୍କୁ ରାଜ୍ୟର ବିକାଶ ନେଇ ନିଷ୍ଠାର ସହ କାମ କରିବାକୁ ମନ୍ତ୍ର ଦେବେ ।
ସମ୍ମିଳନୀରେ ସଚିବ ଓ ଜିଲ୍ଲାପାଳମାନେ ବିଭିନ୍ନ ଗ୍ରୁପରେ ବିଭକ୍ତ ହୋଇ ଆଲୋଚନା କରିବେ । ସଚିବମାନେ ୫ଟି ଏବଂ ଜିଲ୍ଲାପାଳମାନେ ୫ଟି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବେ । ଏହି ସମ୍ମିଳନୀକୁ ସରକାର ବେଶ ଗୁରୁତ୍ୱ ଦେଉଛନ୍ତି । ‘ନୂଆ ବୈଷୟିକ କୌଶଳ ଏବଂ ଉଦ୍ଭାବନ’, ଅଭିବୃଦ୍ଧି ପାଇଁ ଭିତ୍ତିଭୂମି ସୁଦୃଢ଼ୀକରଣ’, ‘ରାଜ୍ୟର ନୂଆ ସହରଗୁଡ଼ିକର ନିରନ୍ତର ଓ ସାମଗ୍ରୀକ ବିକାଶ’, ‘ସାମଗ୍ରୀକ ଅଭିବୃଦ୍ଧି’ ଆଦି ବିଷୟ ଉପରେ ସଚିବମାନେ ଚର୍ଚ୍ଚା କରିବେ।
ସେହିଭଳି ୩୦ ଜିଲ୍ଲାର ଜିଲ୍ଲାପାଳମାନେ ୫ ଭାଗରେ ବିଭକ୍ତ ହୋଇ ‘ଜୀବିକା ଓ ପ୍ରଶାସନ’, ‘ସ୍ୱାସ୍ଥ୍ୟ’, ‘ବିଦ୍ୟାଳୟ ଶିକ୍ଷା’, ‘ମହିଳା ସଶକ୍ତୀକରଣ’ ଓ ‘ ଜିଲ୍ଲାସ୍ତରରେ ପ୍ରଶାସନ ପାଇଁ ଚାଲେଞ୍ଜ’ ଶୀର୍ଷକ ବିଷୟ ଉପରେ ଆଲୋଚନା କରିବେ । ଏ ସଂପର୍କରେ ନିର୍ଯ୍ୟାସକୁ ଅନୁଧ୍ୟାନ କରାଯାଇ ରାଜ୍ୟର ବିକାଶ ପାଇଁ ସରକାର ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।