ରାଜକୋଟ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ମୁମ୍ବାଇ ଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜ୍କୁ ବଞ୍ଚାଇବାକୁ ହେଲେ ଆସନ୍ତା କାଲି ଘରୋଇ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । ଅନ୍ୟ ପଟରେ ଅଷ୍ଟ୍ରେଲିଆ କ୍ରମାଗତ ଦ୍ୱିତୀୟ ଦିନିକିଆ ସିରିଜ୍ ବିଜୟ ପାଇଁ ଆସନ୍ତା କାଲି ସବୁ ଶକ୍ତି ଖଟାଇବ ।
ପ୍ରଥମ ମ୍ୟାଚ୍ରେ ଭାରତକୁ ୧୦ ୱିକେଟ୍ରେ ହରାଇଥିଲା ଅଷ୍ଟ୍ରେଲିଆ । ଘରୋଇ ମାଟିରେ ଏଭଳି ପରାଜୟକୁ ସହଜରେ ଗ୍ରହଣ କରି ହେବ ନାହିଁ । ଏକଦା ସର୍ବ ଶକ୍ତିମାନ ବୋଲାଉଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆ ସମ୍ମୁଖରେ କେତେ ଦୁର୍ବଳ, ତାହା ପ୍ରଥମ ମ୍ୟାଚ୍ରୁ ପ୍ରମାଣିତ ହୋଇଛି । ଦ୍ୱିତୀୟ ଦିନିକିଆ ପୂର୍ବରୁ ସବୁ ବିଭାଗରେ ଭାରତ ଦୁର୍ବଳ ମନେ ହେଉଛି ।
ଆସନ୍ତା କାଲି ବ୍ୟାଟିଂ କ୍ରମର ୩ନମ୍ବର ସ୍ଥାନକୁ ନେଇ ପରୀକ୍ଷା ନୀରିକ୍ଷା କରିବା ସମ୍ଭବ ହେବ ନାହିଁ । ପୂର୍ବ ଭଳି ବିରାଟ କୋହଲି ଏହି ସ୍ଥାନକୁ ଫେରିବେ । ଲୋକେଶ ରାହୁଲଙ୍କୁ ଆବଶ୍ୟକ ସ୍ଥଳେ ୪ନଂ ସ୍ଥାନରେ ବ୍ୟାଟିଂ କରାଇବାକୁ ପଡ଼ିବ । ରିଶଭ ପନ୍ତ ଆହତ ହୋଇ ବାଦ ପଡ଼ିଥିବାରୁ ରାହୁଲ ହିଁ ୱିକେଟ୍ କିପିଙ୍ଗ୍ ଦାୟିତ୍ୱ ତୁଲାଇବେ । କେଦାର ଯାଦବ ଏକାଦଶକୁ ଫେରିବା ଏକ ପ୍ରକାର ନିଶ୍ଚିତ ।
ପ୍ରଥମ ଦିନିକିଆରେ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନଥିବା କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଝବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ଦଳରେ ଅଲ୍ରାଉଣ୍ଡର ନଥିବାରୁ ରବିନ୍ଦ୍ର ଜାଡେଜା ଏକାଦଶରେ ସ୍ଥାନ ବଜାୟ ରଖିବେ । ରାଜକୋଟ୍ରେ ୩ଜଣ ସ୍ପିନରଙ୍କ ଆବଶ୍ୟକତା ନଥିବାରୁ ଚହଲ ଓ କୁଲଦୀପଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବ।
ଭାରତର ଜାମ୍ପା ଭୟ:ଆଜି ଭାରତୀୟ ଦଳ ପାଇଁ ଅଷ୍ଟ୍ରେଲିଆ ଲେଗ୍ ସ୍ପିନର ଆଡାମ ଜାମ୍ପା ଚିନ୍ତାର କାରଣ ହୋଇ ପାରନ୍ତି। ପ୍ରଥମ ମ୍ୟାଚ୍ରେ ସେ ବିରାଟ କୋହଲିଙ୍କ ୱିକେଟ୍ ନେଇଥିଲେ । ଗତ ବର୍ଷ ମଧ୍ୟ ସେ କୋହଲିଙ୍କୁ ୩ଥର ଆଉଟ୍ କରିଥିଲେ । ତେଣୁ କୋହଲି ଆଜି ଜାମ୍ପାଙ୍କୁ ସତର୍କତାର ସହ ସାମ୍ନା କରିବେ । ପୂର୍ବ ରେକର୍ଡକୁ ଅନୁଧ୍ୟାନ କଲେ ଲେଗ୍ ସ୍ପିନରଙ୍କ ବିପକ୍ଷରେ କୋହଲି କେବେ ଦୁର୍ବଳ ପ୍ରଦର୍ଶନ କରି ନାହାନ୍ତି । ଲେଗ୍ ସ୍ପିନରଙ୍କ ବିପକ୍ଷରେ କୋହଲି ଦିନିକିଆ କ୍ରିକେଟ୍ରେ ୭୨.୨୬ ହାରରେ ରନ୍ ସଂଗ୍ରହ କରିବାର ରେକର୍ଡ ରହିଛି । ଜାମ୍ପାଙ୍କ ପାଇଁ କୋହଲି ସ୍ୱତନ୍ତ୍ର ପ୍ରସ୍ତୁତି କରି ଗ୍ରାଉଣ୍ଡକୁ ଓହ୍ଲାଇବା ଆଶା କରାଯାଉଛି ।
ଟସ୍ ଜିତିଲେ ଫିଲ୍ଡିଂ: ୱାଙ୍ଖଡେ ଷ୍ଟାଡିୟମ୍ ଭଳି ରାଜକୋଟ୍ ପିଚ୍ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ସହାୟତା ପ୍ରଦାନ କରିବ । ରାତିରେ କାକର ପ୍ରଭାବ ରହୁଥିବାରୁ ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ ସହଜ ହେବ । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।