ଭୁବନେଶ୍ବର : ସ୍ଥାନୀୟ ସେଣ୍ଟ୍ ଜାଭିୟର୍ସ ସ୍କୁଲ, ଖଣ୍ଡଗିରିଠାରେ ଅଷ୍ଟମ ଅନ୍ତଃବିଦ୍ୟାଳୟ ପୋମ୍ସି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଭୁବନେଶ୍ବର ଟାଏକୋଣ୍ଡୋ ସଂଘ ଦ୍ବାରା ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ୫୩ ସ୍କୁଲର ୪୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହାର ୧୦ ବର୍ଷରୁ କମ୍ ବର୍ଗରେ ଟ୍ରିପଲ ଏ ସ୍କୁଲ ଖୋର୍ଧା, ୧୨ ବର୍ଷରୁ କମ୍ରେ ଡିଏଭି ପବ୍ଲିକ୍ ସ୍କୁଲ, ଶିଶୁପାଳଗଡ଼, ୧୪ ବର୍ଷରୁ କମ୍ରେ ସେଣ୍ଟ ଜାଭିୟର୍ସ ସ୍କୁଲ ଖଣ୍ଡଗିରି ଏବଂ ୧୬ ବର୍ଷରୁ କମ୍ ବୟସ ବର୍ଗରେ ଓଡିଏମ୍ ପବ୍ଲିକ୍ ସ୍କୁଲ ବିଜେତା ଆଖ୍ୟା ଅର୍ଜନ କରିଥିଲା।
ଓଡ଼ିଶା ଟାଏକୋଣ୍ଡୋ ସଂଘର ସଂପାଦକ ସନ୍ତୋଷ କୁମାର ମହାନ୍ତି ମୁଖ୍ୟ ଅତିଥି, ସେଣ୍ଟ ଜାଭିୟର୍ସ ଖଣ୍ଡଗିରିର ଉପାଧକ୍ଷା ମାୟାଦେବୀ ଅଗସକର, ଭୁବନେଶ୍ବର ଟାଏକୋଣ୍ଡୋ ସଂଘର ସଂପାଦକ ଜୟକୃଷ୍ଣ ପରିଡ଼ା, ଟ୍ରିପଲ ଏ ସ୍କୁଲ ଖୋର୍ଧାର ଅଧ୍ୟକ୍ଷା ଦୀପ୍ତିମୟୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଶେଷରେ ଶ୍ରୀ ପରିଡ଼ା ସମ୍ମାନିତ ଅତିଥି ଏବଂ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।