Odia News Portal

ବାଉଁସର ଏବେ କଂଗ୍ରେସ ପାଇଁ ବାଉଁଶ କୀଳା !

ଭୁବନେଶ୍ୱର : ନେତାଙ୍କ ସୁରକ୍ଷା ପାଇଁ କଂଗ୍ରେସ ଭବନରେ ମୁତୟନ ହୋଇଥିବା ବାଉଁସର ଏବେ ଦଳ ପାଇଁ ବାଉଁଶ କୀଳା ପ୍ରାୟ ହୋଇଛନ୍ତି । ବାଉଁସର କୀଳା ଏବେ ଏଭଳି ଗୋଡେଇବା ଆରମ୍ଭ କରିଛି ଯେ ଜୀବନ ବିକଳରେ ଏହି ବାହୁବଳୀମାନଙ୍କୁ କିଏ ଆଣିଥିଲା ତାହା ମାନିବାକୁ ସଭିଏ ନାରାଜ । ଏପରିକି କିଛି କଂଗ୍ରେସିଆ ଏବେ ଏବେ ଏହି ବାଉଁଶ କୀଳାକୁ ବିଜେଡି ଓ ବିଜେପି ଦପ୍ତର ଆଡେ ଫୋପାଡିବାକୁ ଉଦ୍ୟମ କରୁଛନ୍ତି । ଦୁଇଦିନ ତଳେ କଂଗ୍ରେସ ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ବେଳେ ଏହି ବାଉଁସରମାନେ ମୁତୟନ ହୋଇଥିଲୋ  ଏମାନେ ଯଦି ଅନ୍ୟ ପୋଷାକରେ ଆସିଥାନ୍ତେ ତେବେ ଧରାପଡିନଥାନ୍ତେ ।
ତେବେ ଏହି ବରାଦିଆ ବାହୁବଳୀମାନେ କଳା ପୋଷାକ ସହିତ ଟିଭି କ୍ୟାମେରା ଆଗରେ ଯେଭଳି ଶକ୍ତି ପ୍ରଦର୍ଶନ ମୁଦ୍ରା ଦେଖାଇଲେ ତାହା ଅନେକ କଂଗ୍ରେସିଆଙ୍କୁ ଆହତ କରିଛି । କାହ୍ନୁଲେଙ୍କା, ଶରତ ରାଉତ ଏପରିକି ସୁରେଶ କୁମାର ରାଉତରାୟଙ୍କ ଭଳି ବରିଷ୍ଠ ନେତା ବି ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି । କାହ୍ନୁ ଏ ସଂକ୍ରାନ୍ତରେ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରିବେ ବୋଲି କହିଥିବାବେଳେ ଶରତ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେଣି । ସୁର ତ କେଇପାଦ ଆଗେଇଯାଇ ଏମାନଙ୍କୁ କିଏ ଆଣିଥିଲା ଓ ଆବଶ୍ୟକତା କ’ଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି । ତେବେ କଂଗ୍ରେସ ଭବନରେ ଏହି ବାହୁବଳୀମାନେ କଂଗ୍ରେସର ଟୋକା ବୋଲି ଖୋଦ୍‍ ପିସିସି ସଭାପତି କହିଥିବାବେଳେ ଏଭଳି ବାଉଁଶ କୁଆଡେ ଆସିଲେ ତାହା କହିପାରୁ ନାହାନ୍ତି । ଯେତେବେଳେ ଏହି ବାହୁବଳୀମାନେ କଂଗ୍ରେସ ଭବନରେ ପଇଁତରା ମାରୁଥିଲେ ସେତେବେଳେ ସମସ୍ତ ଗଣମାଧ୍ୟମ ସମେତ କଂଗ୍ରେସର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ବହୁ ବଡ ବଡ ନେତା ଉପସ୍ଥିତ ଥିଲେ । ଏହି ସମୟରେ ପୂର୍ବତନ ଛାତ୍ରନେତା ଇତିଶ୍ରୀ ପ୍ରଧାନ କଂଗ୍ରେସ ଭବନ ଆଗରେ ଧାରଣାରେ ବସିଥିଲୋ  ତେବେ ଏମାନଙ୍କୁ କିଏ କାହା ସୁରକ୍ଷା ପାଇଁ କେଉଁଠୁ ଆଣିଲା ତାହା କେହି କହିପାରୁ ନାହାନ୍ତି ।
କଂଗ୍ରେସ ଭବନରେ ଏବେ କେଉଁ କଂଗ୍ରେସିଆ ନିଜକୁ ଅସୁରକ୍ଷିତ ମଣି ଏଭଳି ବାଉଁସର ଆଣିଲେ ଓ ସେଥିଯୋଗୁଁ ଦଳ ନିନ୍ଦିତ ହେଲା ତାହା ସହଜରେ କେହି ମାନୁ ନାହାନ୍ତି । ଯିଏ ଜାଣିଛନ୍ତି ସିଏ କଥା ବାଆଁରଉଛନ୍ତି ଆଉ ଯିଏ ଜାଣିନାହାନ୍ତି ସିଏ ବଡ ବଡ ନେତାଙ୍କୁ ଦୋଷ ଦେଉଛନ୍ତି । ତେବେ ଏହା ଭିତରେ ଇତିଶ୍ରୀ ସମର୍ଥକ ଏହି ମାମଲାକୁ ନେଇ ଥାନାକୁ ଯାଇଥିବାବେଳେ ଆଗକୁ ଏହା କି ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର । ବାଉଁସରଙ୍କୁ ଡାକି ବାଉଁଶ କୀଳା ପ୍ରାୟ ଦଶା ଭୋଗୁଥିବା କିଛି କଂଗ୍ରେସୀ ନେତା କିନ୍ତୁ ଏହି ବାହୁବଳୀମାନଙ୍କ ବୋଝକୁ ଏବେ ବିଜେଡି ଓ ବିଜେପି ମୁଣ୍ଡରେ ଥୋଇବାକୁ ଚେଷ୍ଟା କରୁଛନ୍ତିା
ଏହି ଦୁଇଦଳ କୁଆଡେ ସେମାନଙ୍କୁ ପଠାଇଥିଲେ ବୋଲି କହିବା ଆରମ୍ଭ କରିଥିବାବେଳେ ଯିଏ ଏହାକୁ ଶୁଣୁଛି ସିଏ ହସିବାରେ ଲାଗିଛି । ତେବେ କିଛି କଂଗ୍ରେସିଆଙ୍କ କହିବା କଥା ଯେ ଦଳର ଜଣେ ଯୁବରାଜ ମାଡ ଭୟରେ ଏହି ବାଉଁଶ ଆମଦାନୀ କରିଥିବାବେଳେ କିଛିଦିନ ଧରି ସକ୍ରିୟ ଥିବା ଆଉଜଣେ ଯୁବନେତା ନିଜ କାରଖାନାରୁ ଏହାର ସପ୍ଲାଇ କରିଛନ୍ତି । ହେଲେ ଦୁଇଜଣ ଯାକ ଏବେ ମାନିବା ତ ଦୂରରକଥା ଧରାଛୁଆଁ ନଦେଇ କୀଳାକୁ ଅନ୍ୟଆଡେ ଠେଲୁଛନ୍ତି ।