Odia News Portal

ରାଜଧାନୀରେ ପୁଣି ରାତି ଅଧରେ ଆତଙ୍କରାଜ

ଭୁବନେଶ୍ୱର : ରାଜଧାନୀରେ ପୁଣି ରାତି ଅଧରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ । ଦାଦାବଟି ପାଇଁ ସିଜୁଆ ଏମ୍‌ସ ରାସ୍ତାରେ ଥିବା ଏକ ଔଷଧ ଦୋକାନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଦୁଇ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର କରି ପକାଇଛନ୍ତି । ଖବରପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ କର୍ମଚାରୀଙ୍କୁ ହସ୍ପିଟାଲ ପଠାଇବା ସହ ଜଣେ ଆକ୍ରମଣକାରୀକୁ ଥାନାରେ ଅଟକ ରଖିଛି ।

ପୁଲିସ ସୂଚନା ଅନୁଯାୟୀ, କଟକ ବଡ଼ମ୍ବାର ଦୀପକ କୁମାର ରାଉତରାୟ ପାତ୍ରପଡ଼ାରେ ରହୁଛନ୍ତି । ସେ ସିଜୁଆ ଏମ୍‌ସ ରାସ୍ତାରେ ‘ସାଇ ଦୀପକ ମେଡିସିନ ଷ୍ଟୋର’ କରିଛନ୍ତି । ତାଙ୍କ ଦୋକାନ ଦିନରାତି ଖୋଲା ରହେ । ଗତକାଲି ବିଳମ୍ବିତ ରାତିରେ ଏମ୍‌ସ ହସ୍ପିଟାଲରୁ ଖବରପାଇ ଦୀପକ ଏକ ଇଞ୍ଜେକ୍ସନ୍‌ ନେଇ ହସ୍ପିଟାଲକୁ ଯାଇଥିଲେ । ଦୋକାନରେ ସେଲ୍ସମ୍ୟାନ୍‌ ନୟାଗଡ଼ର ପିଙ୍କୁ ଓରଫ ପ୍ରିୟବ୍ରତ ସାହୁ ଓ ରାଜା ଓରଫ ରାଜକିଶୋର ଗୁମାନସିଂହ ଥିଲେ । ରାତି ୧ଟା ୧୫ ମିନିଟ୍‌ ସମୟରେ ସିଜୁଆ ଅଞ୍ଚଳର ଦୁଇ ଯୁବକ ଆସି ଆଇଡ୍ରପ୍‌ ମାଗିଥିଲେ । ସେଲ୍ସମ୍ୟାନ୍‌ ପିଙ୍କୁ ଆଇଡ୍ରପ ଦେଇ ଟଙ୍କା ମାଗିବାରୁ ଉଭୟେ ଦେଇ ନଥିଲେ। ଓଲଟି ତୋ ମାଲିକ ଦାଦାବଟି କାହିଁକି ଦେଉନାହିଁ କହି ଗାଳିଗୁଲଜ କରିଥିଲେ। ଦୋକାନ କାଚ ଡୋର ଖୋଲିବାକୁ କହିଥିଲେ । ପିଙ୍କୁ ଓ ରାଜା ଡୋର ନ ଖୋଲିବାରୁ ସେମାନେ ତାକୁ ଭାଙ୍ଗି ଦେଇଥିଲେ । ଫଳରେ ଡୋରରୁ ଭଙ୍ଗାକାଚ ରାଜାଙ୍କ ବାମ ଗୋଡ଼ ଉପରେ ପଡ଼ି ଚିରି ହୋଇ ଯାଇଥିଲା ।

ସେହିପରି ପିଙ୍କୁଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିଲା । ଦୁଇ ଯୁବକ ଦୋକାନ ଭିତରେ ପଶି ପୁଣି ଉଭୟଙ୍କୁ ମାଡ଼ ମାରିଥିଲେ । ଖବରପାଇ ମାଲିକ ଦୀପକ ପହଞ୍ଚି ପୁଲିସକୁ ଫୋନ୍‌ କରିଥିଲେ । ପୁଲିସ ପହଞ୍ଚି ସେଠାରୁ ବୁବୁନା ନାମକ ଜଣେ ଯୁବକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି । ଅନ୍ୟଜଣେ ବାଇକ୍‌ ନେଇ ଖସି ପଳାଇଥିଲା । ଗୁରୁତର ଅବସ୍ଥାରେ ପିଙ୍କୁ ଓ ରାଜାଙ୍କୁ ଉଦ୍ଧାର କରାଯାଇ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ରାଜାଙ୍କ ବାମ ଗୋଡ଼ରେ ୯୬ଟି ଷ୍ଟିଚ୍‌ ପଡ଼ିଥିବା ବେଳେ ପିଙ୍କୁଙ୍କ ପିଠି ଓ ନାକରେ ୭ଟି ଷ୍ଟିଚ୍‌ ପଡ଼ିଥିବା ଦୀପକ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଗତ ୧୦ ତାରିଖରେ ମାର୍କେଟ ବିଲ୍ଡିଂରେ ୩୦ରୁ ଅଧିକ ମୁଖାଧାରୀ ଯୁବକ ଆତଙ୍କ ଖେଳାଇଥିଲେ । ଦୋକାନ ସବୁ ଭଙ୍ଗାରୁଜା କରିବା ସହ ଦୋକାନୀଙ୍କୁ ଗୋଡ଼ାଇ ପିଟିଥିଲେ । ଏହି ମାମଲାରେ କ୍ୟାପିଟାଲ ଥାନା ପୁଲିସ ୨୯ ଜଣଙ୍କୁ ଗିରଫ କରି ଜେଲ ପଠାଇଛି । ସେହିପରି ଗତକାଲି ବିଳମ୍ବିତ ରାତିରେ ସିଆରପି ଆଇଡି ମାର୍କେଟରେ କିଛି ଦୁର୍ବୃତ୍ତ ଅଧ ରାତିରେ ଆତଙ୍କ ଖେଳାଇଥିଲେ । କିଛି ଦୋକାନୀଙ୍କୁ ଆକ୍ରମଣ କରିବା ସହ ଦୁଇଟି କାର୍‌ ଭଙ୍ଗାରୁଜା କରିଥିଲେ । ସେହିପରି ସପ୍ତାହକ ତଳେ ରାତି ଅଧରେ ସହିଦନଗର ଥାନା ଅନ୍ତର୍ଗତ ମହର୍ଷି କଲେଜ ରାସ୍ତାରେ କିଛି ଦୁର୍ବୃତ୍ତ ଆତଙ୍କ ଖେଳାଇଥିଲେ ।