ଭୁବନେଶ୍ୱର: ଚଳିତ ବର୍ଷ ଜାଗରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଆସନ୍ତା ମାର୍ଚ ୪ ତାରିଖ ଜାଗର ଯାତ୍ରା ସୁରୁଖୁରୁରେ ସମାପନ ପାଇଁ ଅନୁଷ୍ଠିତ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଅନୁଷ୍ଠିତ ଏହି ବୈଠକରେ ଜାଗର ଯାତ୍ରାର ନୀତି ନିର୍ଘଣ୍ଟ, ପରିମଳ, ଆଲୋକ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନ ଶୃଙ୍ଖଳା ଆଦି ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ଏହି ବୈଠକରେ ତିନି ପ୍ରମୁଖ ନିଯୋଗର ପ୍ରତିନିଧିମାନେ ଯୋଗ ନ ଦେବା ଘଟଣା ଆଜି ଆଲୋଚ୍ୟ ବିଷୟ ହୋଇଛି।ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା ପ୍ରମୁଖ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଯେପରି ଠିକଣା ସମୟରେ ମହାଦୀପ ଉଠିବ ଏବଂ ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ରାସ୍ତା ମରାମତି ଓ ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍ ବ୍ୟବସ୍ଥା କରିବା, ଯାତ୍ରାର ପୂର୍ବ ଓ ପରଦିନ ଯଥେଷ୍ଟ ଅଧିକ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବା ପାଇଁ କୁହାଯାଇଛି। ସେହିପରି କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନ ପରିଷ୍କାର କରାଯିବା, ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଏଥିପାଇଁ ୪୦ଜଣ ପ୍ରତ୍ନତତ୍ତ୍ୱ ବିଭାଗର କର୍ମଚାରୀ ଉପସ୍ଥିତ ରହିବେ ବୋଲି କୁହାଯାଇଛି।