Odia News Portal

ଆଜି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା

ଭୁବନେଶ୍ବର : ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ମାଘ ଶୁକ୍ଲ ପଞ୍ଚମୀ ବା ଶ୍ରୀପଞ୍ଚମୀ ଦିନ ଓ ଶିଶୁମାନଙ୍କ ବିଦ୍ୟାରମ୍ଭ କାଳରେ ମାଙ୍କର ପୂଜା କରାଯାଇଥାଏ। ହିନ୍ଦୁ ସଂସ୍କୃତିରେ ଦେବୀ ସରସ୍ୱତୀଙ୍କର ଉପାସନା ବହୁ ପ୍ରାଚୀନ। ଆଦ୍ୟ ବସନ୍ତର ବର୍ଣ୍ଣାଢ୍ୟ ପୃଷ୍ଠଭୂମିରେ ଅନୁଷ୍ଠିତ ହୋଇଥାଏ ବାଗଦେବୀ ସରସ୍ୱତୀଙ୍କ ପବିତ୍ର ପାର୍ବଣ। ସରସ୍ୱତୀ ଆତ୍ମଜ୍ଞାନର ଅବିଚ୍ଛେଦ୍ୟ ଅଙ୍ଗ। ସେ ନିତ୍ୟା, ଶୁଦ୍ଧା, ବିକାର ବିବର୍ଜିତା। ତାଙ୍କ ବିନା ଜ୍ଞାନର ବର୍ତ୍ତିକା ପରିକଳ୍ପନା କରିବା ଅସମ୍ଭବ।

ମା ସରସ୍ୱତୀ ଶୁଭ୍ରତାର ପ୍ରତୀକ। ଯାହା ଧବଳ ତାହା ହିଁ ସତ୍ତ୍ୱ। ସ୍ୱଚ୍ଛ, ପବିତ୍ର ଓ ନିର୍ମଳ ମୂର୍ତ୍ତି ସାତ୍ତ୍ୱିକତାର ପରିପ୍ରକାଶ। ତୁଷାର ପରି ସ୍ୱଚ୍ଛ, ସୁନ୍ଦର ଓ ପବିତ୍ରତାର ପ୍ରତୀକ ଧବଳ ବର୍ଣ୍ଣର ହଂସ ଦେବୀଙ୍କ ବାହନ। ଏହି ଶୁଭଦିବସରେ ଉତ୍କଳର ସବୁଠି କଳା, ସାହିତ୍ୟ, ସଙ୍ଗୀତ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ପରମ୍ପରା ଅନୁସରଣ କରି ଦେବୀ ଭଗବତୀଙ୍କର ପୂଜା କରାଯାଉଛି।