Odia News Portal

କାଳିଆ ଯୋଜନା ଚାଷୀ ଭାଇଙ୍କ ଯୋଜନା : ମୁଖ୍ୟମନ୍ତ୍ରୀ

ନୂଆପଡା : ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡାରେ ୨୪୦ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ନୂଆପଡାରେ ୨୩୭ କୋଟି ୩୫ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୩୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶୁଭ ଉଦଘାଟନ ଓ ୧୦୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ସଦର ମହକୁମାଠାରେ ୩୭ କୋଟି ଟଙ୍କା ବ୍ୟୟରେ ୩୦୦ ଶଯ୍ୟାର ୭ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଗୋତମା ଫିଲ୍ଡ ନିକଟରେ ଏକ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି କାଳିଆ ଯୋଜନା ହେଉଛି ଚାଷୀ ଭାଇଙ୍କ ଯୋଜନା । କାଳିଆ ଯୋଜନାରେ ୩୦ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇଲେଣି । ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ୬ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦିଅନ୍ତୁ ବୋଲି କହିଛନ୍ତି ନବୀନ ।ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଏବଂ କୃଷି ଶ୍ରମିକଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତାର ବ୍ୟବସ୍ଥା ନଥିବା ଦୁଃଖର ବିଷୟ । ହେଲେ ଭୂମିହୀନ ଚାଷୀ, ଭାଗ ଚାଷୀ , କୃଷି ଶ୍ରମିକଙ୍କ ସାର୍ଥ ଯେପରି ସୁରକ୍ଷିତ ରହିବ, ସେମାନେ ଯେପରି ଅନ୍ୟମାନଙ୍କ ପରି ସହୟତା ପାଇବେ, ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଯାଇଛି ।