Odia News Portal

ସୈନିକ ସ୍କୁଲର ୫୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ସୈନିକ ସ୍କୁଲ୍‌ର ୫୯ତମ ବାର୍ଷିକ ତଥା ପ୍ରତିଷ୍ଠା ଉତ୍ସବ ଓ ଦ୍ୱାଦଶ ଶ୍ରେଣୀ କ୍ୟାଡ଼େଟଙ୍କ ପାସିଙ୍ଗ ଆଉଟ୍ ପ୍ୟାରେଡ୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଦ୍ୱାଦଶ ଶ୍ରେଣୀର ୪୫ ଜଣ କ୍ୟାଡେଟ୍ ପାସିଂଆଉଟ୍ ପ୍ୟାରେଡ୍‌ରେ ଯୋଗଦାନ କରିଥିଲେ । ଏହିମାନଙ୍କ ସହ ୩୦୦ ରୁ ଅଧିକ ଜୁନିଅର କ୍ୟାଡେଟ୍ ମାର୍ଚ୍ଚ ପାଷ୍ଟରେ ଭାଗ ନେଇଥିଲେ । ଏହି କ୍ୟାଡେଟ୍ ମାନେ ୨୦୧୩-୨୦୧୪ ଶିକ୍ଷାବର୍ଷରେ ଷଷ୍ଠଶ୍ରେଣୀ କ୍ୟାଡେଟ୍ ଭାବେ ସୈନିକସ୍କୁଲରେ ଯୋଗଦାନ କରିଥିଲେ ।

ଆଜିର ଏହି ଫାସିଂ ଆଉଟ୍ ପ୍ୟାରେଡ୍‌ରେ ଆଇ.ଏନ୍‌.ଏସ୍‌. ଚିଲିକାର ନାଭାଲ ଅଫିସର ଇନ୍‌ଚାର୍ଜ, ଓଡିଶା ଏବଂ କମାଣ୍ଡିଙ୍ଗ୍ ଅଫିସର କମୋଡର ରିତୁରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି କମୋଡର ସାହୁଙ୍କୁ ସୈନିକସ୍କୁଲର ପ୍ରିନ୍ସପାଲ ଗ୍ରୁପ୍ କ୍ୟାପଟେନ ଏସ୍ ଡୋମିନିକ ରାୟନ, ସ୍କୁଲର ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା, ଭାଇସ୍ ପ୍ରିନ୍ସପାଲ ଉଇଙ୍ଗ୍ କମାଣ୍ଡର ଅମିତାଭ୍ ରଞ୍ଜନ, କର୍ଣ୍ଣେଲ ଡିିଡି ସ୍ୱାଇଁ , ଡାକ୍ତର ନିରଞ୍ଜନ ପାଢି, ଶ୍ରୀ ଗଣେଶ କୁମାର ତୋଡ୍‌କର ସମସ୍ତ ଶିକ୍ଷକଗଣ , କର୍ମଚାରୀ ଓ କ୍ୟାଡେଟ୍‌ଙ୍କ ଗହଣରେ ସ୍ୱାଗତ ଜଣାଇଥିଲେ । ଏହି ପାସିଙ୍ଗ୍ ଆଉଟ୍‌ପରେ ସେମାନେ ସିବି.ଏସ୍‌.ସି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଜୀବନରେ ଥିବା ଲକ୍ଷ ସାଧନ କରିବା ନିମନ୍ତେ ବିଭିନ୍ନ ବୃତିଗତ ଅନୁଷ୍ଠାନ ତଥା କେତେକ ଜାତୀୟ ପ୍ରତୀରକ୍ଷା ଏକାଡେମି ରେ ଯୋଗଦାନ କରିବେ ।

ଏହା ବ୍ୟତୀତ ସୈନିକ ସ୍କୁଲର ପ୍ରତିଷ୍ଠା ଉତ୍ସବ ପାଳନ ଉପଲକ୍ଷେ ଗ୍ରୁପ୍ କ୍ୟାପଟେନ୍ ରେୟାନ୍ ବିଜୁ ବାବୁଙ୍କ ପ୍ରତିମୂର୍ତୀଙ୍କୁ ମାଲ୍ୟାର୍ପଣ କରିଥିଲେ ଓ ସ୍କୁଲ କ୍ୟାପଟେନ୍ କେକ୍ କାଟି ଉତ୍ସବକୁ ପାଳନ କରିଥିଲେ । ଏହା ଛଡ଼ା ସ୍କୁଲର ସମସ୍ତ କ୍ୟାଡ଼େଟ୍ ଏକ ସ୍ୱରରେ ସୈନିକ ସ୍କୁଲ ଗୀତ ଗାଇ ଅନୁଷ୍ଠାନକୁ ସମ୍ମାନ ଜଣାଇଥିଲେ । ଉକ୍ତ ସନ୍ଧ୍ୟାରେ ସୈନିକ ସ୍କୁଲର ବାର୍ଷିକ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଥିଲା ଏବଂ କ୍ୟାଡେଟ୍‌ଙ୍କ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ଭୁୟସି ପ୍ରଶଂସା କରିଥିଲେ ।