Odia News Portal

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ

ଗଞ୍ଜାମ/ଗଜପତି : ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ଗୋପାଳପୁର, ଶେରଗଡ଼ ଓ ସାନଖେମୁଣ୍ଡି ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଗୋପାଳପୁର ବନ୍ଦରର ନୂତନ ବର୍ଥ ଉଦଘାଟନ କରିବା ପରେ ଶେରଗଡ ଓ ସାନଖେମୁଣ୍ଡି ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ ସହ ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସେପଟେ ବ୍ରହ୍ମପୁର ଗସ୍ତ ପରେ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ୬୩୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହା ସହିତ ଗରାବନ୍ଧରେ ଆୟୋଜିତ କାଳିଆ ସମାବେଶରେ ଯୋଗଦେବେ । ଅପରାହ୍ନ ୧:୩୦ରେ ପାରଳାଖେମୁଣ୍ଡିରେ ଅବତରଣ କରିବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ପରେ ମୁଖ୍ୟମନ୍ତ୍ରୀ କିଛି ସମୟ ପାଇଁ ସର୍କିଟ୍ ହାଉସରେ ବିଶ୍ରାମ ନେବେ । ଅପରାହ୍ନ ୩ଟାରେ  ଗୋଷାଣି ବ୍ଲକର ଗାରାବନ୍ଧରେ ହେଉଥିବା କାଳିଆ ସମାବେଶରେ ଯୋଗଦେବେ । ୫୦ ହଜାର ଚାଷୀଙ୍କୁ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହିତ କାଳିଆ ଯୋଜନା ସମ୍ପର୍କରେ କହିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷାର ସୁବନ୍ଦୋବସ୍ତ କରାଯାଇଛି । ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ପ୍ରାୟ ୫୦ ଜଣ ଅଫିସରଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି ।