ନୂଆଦିଲ୍ଲୀ : ଚଳିତ ବର୍ଷ ଜାପାନରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆୟୋଜିତ ହେବାର ଅଛି ଏବଂ ଏହା ଜୁଲାଇ ୨୪ରୁ ଆରମ୍ଭ ହେବ ବୋଲି ଧାର୍ଯ୍ୟ ହୋଇଛି । ତେବେ କରୋନା ଭାଇରସ ସଂକ୍ରମଣ ଯୋଗୁ ଏହି କ୍ରୀଡା ପ୍ରତିଯୋଗିତା ହେବ କି ନାହିଁ, ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଜର୍ମାନୀର ଏକ ସମ୍ବାଦପତ୍ରରେ ପ୍ରଥମେ ଏନେଇ ଏକ ରିପୋର୍ଟ ପ୍ରକାଶିତ ହେବା ପରେ ସୋସିଆଲ ମିଡିଆରେ ବି ଏହା ଉପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । କୁହାଯାଉଛି କି ଜାପାନରେ ଏପର୍ଯ୍ୟନ୍ତ ୨୦ ଜଣ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
ତେଣୁ ଅଲିମ୍ପିକ୍ସ କ୍ରୀଡା ଆୟୋଜନ କରାଗଲେ ବହୁ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହେବେ । ଏହି କାରଣରୁ ଉକ୍ତ କ୍ରୀଡାକୁ ବାତିଲ କରାଯାଇପାରେ । ତେବେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ଯୋଗୁ ଯେପରି ଅଲିମ୍ପିକ୍ସ ପାଇଁ ଆୟୋଜନ ପ୍ରଭାବିତ ନହେବ, ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବେ । ଜାପାନ ସରକାର ଏଥିପାଇଁ ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଯୋଗାଯୋଗ କରୁଛନ୍ତି ।
