ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘରେ ଦୀର୍ଘଦିନ ଧରି ନେତୃତ୍ୱ ଓ ନିର୍ବାଚନକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବାର ସମ୍ଭାବନା ସୃଷ୍ଟି ହୋଇଛି । କେତେକ ନୂତନ ସହକାରୀ ଉପବିଭାଗ ଅଧିକାରୀଙ୍କ ଉଦ୍ୟମ କ୍ରମେ ନିର୍ବାଚନ ହେବାକୁ ଯାଉଛି । ଗତକାଲି ଏ ସଂକ୍ରାନ୍ତରେ ଯୁବ ସଦସ୍ୟମାନେ ଡାକିଥିବା ବୈଠକରେ ସଂଘର ସାଧାରଣ ସମ୍ପାଦକ ଯୋଗ ଦେଇଥିବାବେଳେ ସଭାପତି ଓ ତାଙ୍କ ଗୋଷ୍ଠି ଆସିନଥିଲେ । ତେବେ ଏହି ନୂତନ ଯୁବ ଅଧିକାରୀମାନଙ୍କୁ ପୂର୍ବତନ ସଭାପତିମାନଙ୍କ ସହିତ ଅନ୍ୟ କେତେକ ବରିଷ୍ଠ ସଦସ୍ୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଗତବର୍ଷ ଜୁଲାଇ ମାସରୁ ଶେଷହୋଇ ଥିଲେ ହେଁ ସେମାନେ ପରବର୍ତ୍ତୀ କର୍ମକର୍ତ୍ତା ଚୟନ ସକାଶେ ନିର୍ବାଚନ ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି ।
ସେମାନେ ନା ସଂଘ ଆଇନ୍କୁ ମାନୁଛନ୍ତି ନା ସଂଘର ପରମ୍ପରାକୁ ସ୧ାନ ଦେଉଛନ୍ତି । କର୍ମକର୍ତ୍ତା ସାଜି ରହିଲେ, କିନ୍ତୁ ସେଥିପାଇଁ ଆବଶ୍ୟକ ସାଧାରଣ ପରିଷଦର ଅନୁମୋଦନ ନେବାକୁ ମଧ୍ୟ ଉଚିତ୍ ମଣିଲେ ନାହିଁ । ଗୋଟିଏ ପକ୍ଷରେ ସଂଘ କାର୍ଯ୍ୟାଳୟ ଛାଡିଲେ ନାହିଁ, ଅପର ପକ୍ଷରେ ସଂଘର କାର୍ଯ୍ୟ କଲେ ନାହିଁ । ସଂଘର ୧୨୦୦ ସାଧାରଣ ସଭ୍ୟ ଗୃହ ବିଭାଗର ଦୃଷ୍ଟି ଆକର୍ଷଣ କରି ନିର୍ବାଚନ ପାଇଁ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେବାକୁ ଏକ ସ୍ମାରକପତ୍ର ମାଧ୍ୟରେ ଗୃହ ସଚିବଙ୍କୁ ଅନୁରୋଧ କରିଥିଲେ । ତଦନୁଯାୟୀ ଗୃହ ବିଭାଗ ସାଧାରଣ ସମ୍ପାଦକ ଓ ସଭାପତିଙ୍କୁ ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ନିର୍ବାଚନ ଶେଷ କରିବାପାଇଁ ନିର୍ଦ୍ଦେଶ ଦେଲେ । ଏ ନିର୍ଦ୍ଦେଶକୁ ମଧ୍ୟ କର୍ମକର୍ତ୍ତା ଶୁଣିନଥିଲେ । ଶେଷରେ ୬ମାସ ପରେ କେତେକ ନୂତନ ସହକାରୀ ଉପବିଭାଗ ଅଧିକାରୀ ଏ ଅଚଳ ଅବସ୍ଥା ଦୂର କରିବାପାଇଁ ଅଣ୍ଟା ଭିଡିଛନ୍ତି । ସେମାନେ ସମସ୍ତ କର୍ମକର୍ତ୍ତାଙ୍କୁ ଭେଟିବା ସାଙ୍ଗକୁ ପୂର୍ବତନ ସଭାପତି, କର୍ମକର୍ତ୍ତା ଓ କେତେକ ବରିଷ୍ଠ ସଦସ୍ୟଙ୍କୁ ଭେଟି ଅଚଳ ଅବସ୍ଥାକୁ ଦୂରଣ କରିବାପାଇଁ ପ୍ରୟାସ ଲାଗି ଅନୁରୋଧ କରୁଛନ୍ତି ।
ଇତି ମଧ୍ୟରେ ସେମାନଙ୍କ ଉଦ୍ୟମରେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇ ଯାଇଛି । ପରବର୍ତ୍ତୀ ବୈଠକକୁ ସମସ୍ତ କର୍ମକର୍ତ୍ତାଙ୍କ ସାଙ୍ଗକୁ ବରିଷ୍ଠ ଓ ସଚେତନ ସଭ୍ୟଙ୍କୁ ଡକାଯାଇଥିଲା । ତେବେ ଗତକାଲିର ବୈଠକରେ ସାଧାରଣ ସମ୍ପାଦକ ଯୋଗ ଦେଇ ଖୁବ୍ଶୀଘ୍ର ନିର୍ବାଚନ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସଂଘ କାହାର ପୈତୃକ ସମ୍ପତ୍ତି ନୁହେଁ ଏବଂ ଏହାର ପୂର୍ବ ଗୌରବ ବଜାୟ ରଖିବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ସେ କହିବା ସହିତ ଯେତେଶୀଘ୍ର ସମ୍ଭବ ନିର୍ବାଚନ କରିବାପାଇଁ ଯାହା କିଛି ଆବଶ୍ୟକ ତାହା ସେ କରିବେ ବୋଲି ଯୁବ ଅଧିକାରୀମାନଙ୍କୁ ପ୍ରତିଶ୍ରୁତି ଦେବାପରେ ରାଜ୍ୟର ସର୍ବବୃହତ୍ କର୍ମଚାରୀ ସଂଘରେ ନିର୍ବାଚନ ହେବାର ଆଶା ସଞ୍ଚାର ହୋଇଛି ।