ଭୁବନେଶ୍ୱର : ଟିଉସନଖୋର ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଚର୍ଚ୍ଚାରେ ଥିବାବେଳେ ଦୀର୍ଘଦିନ ଧରି ରାଜଧାନୀରେ ଆସ୍ଥାନ ଜମାଇଥିବା ବିଦ୍ୟାଳୟ ଶିକ୍ଷକଙ୍କୁ କେବେ ହଟାଯିବ ତାହାକୁ ନେଇ ଦାବି ଉଠିଲାଣି । ରାଜଧାନୀର ଗୋଟିଏ ଗୋଟିଏ ହାଇସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀମାନେ ୨୦/୨୫ ବର୍ଷ ଧରି ଚାକିରି କରିଥିଲେ ବି ସେମାନଙ୍କର କାହିଁକି ବଦଳି ହେଉନାହିଁ ତାହାକୁ ନେଇ ପ୍ରଶ୍ନବାଚୀ । ରାଜଧାନୀର ବିଭିନ୍ନ ୟୁନିଟ୍ରେ ରହିଛି ସରକାରୀ ହାଇସ୍କୁଲ । ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ତୁଳନାରେ ଶିକ୍ଷୟତ୍ରୀଙ୍କ ସଂଖ୍ୟା ଅଧିକ । ହେଲେ ଏହି ଶିକ୍ଷୟତ୍ରୀମାନେ ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ୨୦/୨୫ ବର୍ଷ ଧରି ଗୋଟିଏ ସ୍କୁଲରେ ଚାକିରି କରିଛନ୍ତି । ଏମାନଙ୍କୁ ଦୂର ଦୂରାନ୍ତ ତ ଦୂରରକଥା ଗୋଟିଏ ୟୁନିଟ୍ରୁ ଆଉ ଗୋଟିଏ ୟୁନିଟ୍ରେ ଥିବା ବିଦ୍ୟାଳୟକୁ ବଦଳି କରିବାକୁ କର୍ତ୍ତୃପକ୍ଷଙ୍କ ସାହସ ପାଉନାହିଁ । ଗୋଟିଏ ଗୋଟିଏ ବିଦ୍ୟାଳୟରେ ଏକାଧିକ ବର୍ଷ ରହିବାଫଳରେ ଏମାନେ ଆଉ ସେଭଳି ପାଠ ପଢାଉନଥିବା ଅଭିଯୋଗ ହେଉଛି ।
ଦୁଇବର୍ଷ ତଳେ ମାଟ୍ରିକ ପରୀକ୍ଷାରେ ରାଜଧାନୀର ହାଇସ୍କୁଲ ଗୁଡିକ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାବେଳେ ଏହାର ସମୀକ୍ଷା ହେବବୋଲି ଖୋଦ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ କହିଥିଲେ । ସମସ୍ତେ ଭାବିଥିଲେ ଯେଉଁସବୁ ବିଦ୍ୟାଳୟରେ ଭଲ ଫଳାଫଳ ହୋଇନାହିଁ ସେଠାରେ ଦୀର୍ଘଦିନ ଧରି ଥିବା ଶିକ୍ଷକଙ୍କୁ ବଦଳି କରାଯିବ । ହେଲେ ସେଭଳି କିଛି ହେଲାନାହିଁ । କେହି ଦାୟିତ୍ୱ ମୁଣ୍ଡାଇଲେ ନାହିଁ । ଶିକ୍ଷକଙ୍କ ବଦଳି ତ ଦୂରରକଥା ଦୀଘଦିନ ହେଲା ଜିଲ୍ଲା ଶିକ୍ଷା ଅଧିକାରୀ ପଦବୀରେ ଜଣେ ବ୍ୟକ୍ତି ଥିଲେ ବି ତାଙ୍କୁ ବଦଳାଯାଇ ପାରୁନାହିଁ ।
ରାଜଧାନୀରେ ଥିବା ହାଇସ୍କୁଲ ଗୁଡିକରେ ଭିତ୍ତିଭୂମିର ଅଭାବ ନାହିଁ କି ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କର ବି ଅଭାବ ନାହିଁ । ହେଲେ ଅତି ସାଧାରଣ ଘରୋଇ ବିଦ୍ୟାଳୟ ଠାରୁ ଏମାନଙ୍କ ପ୍ରଦର୍ଶନ ଅତି ନୈରାଶ୍ୟଜନକ । ଏହାର ଏକମାତ୍ର କାରଣ ହେଲା ଶିକ୍ଷକମାନେ ମନ ଦେଇ ପାଠ ପଢାଉ ନାହାନ୍ତି । ଏମାନଙ୍କୁ ଜଗିବା ଦାୟିତ୍ୱରେ ଥିବା ଉପରିସ୍ଥ ଅଧିକାରୀ ବି ଶିକ୍ଷକଙ୍କ ଦେହରେ ହାତ ମାରିବାକୁ ଡରୁଛନ୍ତି । କାରଣ ଯଦି କାହାକୁ ତାଗିଦା କରିବେ ତେବେ ନିଜ ବଦଳି ସୁନି୧⁄୨ିତ ବୋଲି ସିଏ ଜାଣିଛନ୍ତି । ତେଣୁ ନିଜେ ବଞ୍ଚିଲେ ବାପ ନା ନ୍ୟାୟରେ ସମସ୍ତେ ରାଜଧାନୀରେ ରହିବାକୁ ଲାଗି ପଡିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ବିଭିନ୍ନ ୟୁନିଟ୍ରେ ସରକାରୀ ଘର ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଗୋଟିଏ କିମ୍ବା ଦୁଇ କିଲୋମିଟର ଦୂରରେ ଥିବା ବିଦ୍ୟାଳୟକୁ ବଦଳି ହୋଇ ଯିବାକୁ ନାରାଜ । ଧରା ଧରି କରି ଘର ପାଖରେ ରହୁଛନ୍ତି । ତେବେ
ଏତେସବୁ ସୁବିଧା ପରେ ବି କାହିଁକି ରାଜଧାନୀର ସ୍କୁଲ ପିଲାଏ ଉଜ୍ୱଳ, ଉତ୍କର୍ଷ ଓ ଉତ୍ଥାନ ଭଳି ଯୋଜନାର ହିତାଧିକାରୀ ହେଉଛନ୍ତି ତାହାର ଉତ୍ତର କାହାରିପାଖରେ ନାହିଁ ।
ତେଣୁ ଦୀର୍ଘଦିନ ଧରି ଗୋଟିଏ ଗୋଟିଏ ବିଦ୍ୟାଳୟରେ ଆସ୍ଥାନ ଜମାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ଅନ୍ୟ ସ୍ଥାନକୁ ବଦଳି କରି ପାଠପଢାରେ ଉନ୍ନତି ଆଣିବାପାଇଁ ସାଧାରଣରେ ଦାବି ହେଉଛି । ନହେଲେ ରାଜଧାନୀର ସରକାରୀ ସ୍କୁଲରେ ତାଲା ପଡିବାକୁ ଆଉ ବେଶି ଡେରି ହେବନାହିଁ ବୋଲି ଅନେକ ଅଭିଭାବକ ମତ ଦେଉଛନ୍ତି ।