Odia News Portal

ବିଗିଡ଼ିଯାଇଛି ପାଣିପାଗ : ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା, ସୋମବାରଠୁ ପାଗ ଫିଟିବ

ଭୁବନେଶ୍ୱର : ବିଗିଡ଼ିଯାଇଛି ପାଣିପାଗ । ରାଜ୍ୟ ତମାମ ବର୍ଷା । କେଉଁଠି ଅସରାଏ ତ ଆଉ କେଉଁଠି ଝିପିଝିପି । ସାରା ଦିନ ଛାଡ଼ିଲାନି ବର୍ଷା । ଉତ୍ତର, ଦକ୍ଷିଣ, କେନ୍ଦ୍ରୀୟ, ପଶ୍ଚିମ ସବୁଠି ଆଜି ଅଦିନିଆ ବର୍ଷାକୁ କାଲୁଆ ପବନ । ଦେହ ହାତ ଥରିଯାଉଛି ଏ ବର୍ଷା, ପବନରେ । ଜନଜୀବନ ପୂରାପୂରି ନାକେଦମ୍‌ ଏଭଳି ପାଗରେ । ଚାଷୀକୁଳ ଚିନ୍ତା ବଢିଯାଇଛି ।

ପାଣିପାଗ ବିଭାଗ କହିଛି, ତାମିଲନାଡ଼ୁରୁ ଛତିଶଗଡ଼ ଉପର ଦେଇ ଏକ ଟ୍ରଫ୍‌ ଲାଇନ (ନିମ୍ନ ଚାପରେଖା) ଲମ୍ବିଛି । ଏହାସହ ବିହାର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି । ଆଜି ମଧ୍ୟ ରାଜ୍ୟରେ ପାଗ ମେଘୁଆ ରହିବା ସହ କେତେକ ଜାଗାରେ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ମାତ୍ର ଶନିବାର ତୁଳନାରେ ବର୍ଷା ପରିମାଣ କମ୍‌ ରହିବ । ଅପରପକ୍ଷରେ ରାତିରୁ ଶୀତ ବଢ଼ିବ । ୫ ଜିଲ୍ଲାରେ ଶୀତ ଲହରୀ ଥରାଇବ । ସୋମବାରଠାରୁ ପାଗ ପୂରା ଫିଟିଯିବ ।

ବାୟୁମଣ୍ଡଳର ଉପରିଭାଗରେ ଛତିଶଗଡ଼ ଉପରେ ଏକ ଟ୍ରଫଲାଇନ୍‌ ଅଛି । ରବିବାର ଏହା ଓଡ଼ିଶା ପାଖକୁ ଆସିବା ସହ ବାଂଲାଦେଶ ଆଡ଼କୁ ପଳାଇବ । ତେବେ ବାୟୁମଣ୍ଡଳର ନିମ୍ନଭାଗ ଓ ଉପରଭାଗରେ ପ୍ରବାହିତ ପବନରେ ବଡ଼ ଫରକ ରହୁଛି । ଯାହାକି ବର୍ଷା କରାଉଛି । ବର୍ଷାର ପ୍ରଭାବ ଆଉ ଦିନଟିଏ ରହିବ ।
ରବିବାର ଅଳ୍ପ କେତେକ ଜାଗାରେ ସ୍ୱଳ୍ପ ବର୍ଷା ହେବ । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ଉପକୂଳରେ ବି ପାଗ ମେଘୁଆ ରହିବ । କେତେକ ଜାଗାରେ ସାମାନ୍ୟ ବର୍ଷା ହୋଇପାରେ ।

ଅପରପକ୍ଷରେ ଆସନ୍ତାକାଲିଠାରୁ ଶୀତ ପ୍ରକୋପ ବଢ଼ିବ । ୧୦ ତାରିଖରେ ଅଧିକ ଶୀତ ଅନୁଭୂତ ହେବ । ୧୧ରୁ ଶୀତ କମିବ । ୧୩ରୁ କ୍ରମଶଃ ଦିନ ତାପମାତ୍ରା ବଢ଼ିବ । ୧୪ ଓ ୧୫ ତାରିଖବେଳକୁ ଦିନ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍‌ ପାଖାପାଖି ପହଞ୍ଚିଯିବ । ଏହା ପରେ ଆଉ ଶୀତ ବଢ଼ିବନି । ସକାଳବେଳା ସାମାନ୍ୟ ଶୀତ ଅନୁଭୂତ ହୋଇପାରେ ।
ଶନିବାର ସକାଳୁ ଆଖି ଖୋଲିଲାବେଳକୁ ଆକାଶକୁ ପୂରା ମେଘ ଢାଙ୍କି ଦେଇଛି । ଝିପିଝିପି ବର୍ଷା ଓ କାଲୁଆ ପବନ । ପଦାକୁ ବାହାରିଲେ ଦେହ ଶିହିରି ଉଠୁଥିଲା । ଦିନ ତମାମ ପାଗ ଫିଟିଲାନି । ଦିନ ଭିତରେ କେନ୍ଦୁଝରରେ ସର୍ବାଧିକ ୨୨ ମିଲିମିଟର ବର୍ଷା ହୋଇଥିଲା । ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ବୌଦ୍ଧରେ ୧୫.୩ ମିମି, ନୟାଗଡ଼ରେ ୧୫.୨, ଟିଟିଲାଗଡ଼ରେ ୧୨, ଫୁଲବାଣୀରେ ୧୨, ବାଲେଶ୍ୱରରେ ୧୦, ଅନୁଗୁଳରେ ୧୦, ପୁରୀରେ ୧୦, ସୋନପୁରରେ ୧୦, ଦାରିଙ୍ଗିବାଡ଼ିରେ ୧୦ ମିମି ବର୍ଷା ହୋଇଛି । ଏହାବାଦ୍‌ ଭୁବନେଶ୍ୱର, କଟକ, ଚାନ୍ଦବାଲି, ପାରାଦୀପ, ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ତାଳଚେର, ଭବାନୀପାଟଣା, ବଲାଙ୍ଗିର, ରାୟଗଡ଼ାରେ ବର୍ଷା ହୋଇଛି । ବର୍ଷା ଯୋଗୁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ।

ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଚାଷୀ । ଖଳାରେ ଅମଳ ପାଇଁ ଗଦା ହୋଇଥିବା ଧାନ ବତୁରିଯାଇଛି । ବିଭିନ୍ନ ମଣ୍ଡିରେ ଖୋଲାରେ ପଡ଼ିଥିବା ଧାନ ବସ୍ତା ବି ଭିଜିଯାଇଛି । ନୂଆପଡ଼ାରେ ୪୨ ହଜାର ଧାନ ବସ୍ତା ବର୍ଷାରେ ଭିଜୁଥିବା ଖବର ଆସିଛି । ଅଦିନିଆ ବର୍ଷା ଯୋଗୁ ପନିପରିବା ଚାଷ ବେଶି କ୍ଷତିଗ୍ରସ୍ତ ହୋଇଛି । ଝାରସୁଗୁଡ଼ା, ସୋନପୁର, ପୁରୀ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ବାରିପଦା, ଭଦ୍ରକ, ଅନୁଗୁଳ, ବ୍ରହ୍ମପୁର, ନୂଆପଡ଼ାରେ ବ୍ୟାପକ ପନିପରିବା ବିଲରେ ନଷ୍ଟ ହୋଇଛି ।

ପାଣିପାଗ ପୂର୍ବାନୁମାନ ହେଲା, ରବିବାର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି । ଅଧିକ ବର୍ଷା ହେବନି। ତଥାପି ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।

ଅପରପକ୍ଷରେ ଆଜି ରାତିରୁ କେତେକ ଜାଗାରେ ପାରଦ ୩-୪ ଡିଗ୍ରୀ କମିପାରେ । ଅନୁଗୁଳ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଶୀତ ଲହରୀ ଅନୁଭୂତ ହେବ । ଏହାସହ ଆସନ୍ତାକାଲି ସକାଳେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, କଳାହାଣ୍ଡିରେ ଘନ କୁହୁଡ଼ି ହୋଇପାରେ ।