ଇସଲାମାବାଦ : ବିଶ୍ୱ କବାଡି ଚାମ୍ପିୟନସିପ୍ ପାଇଁ ଭାରତୀୟ ଦଳ ପାକିସ୍ତାନ ପହଁଚିବା ପରେ ବିବାଦ ଉତ୍ପନ୍ନ ହୋଇଛି। କାରଣ କ୍ରୀଡାମନ୍ତ୍ରୀ ଓ ରାଷ୍ଟ୍ରୀୟ ମହାସଙ୍ଘ ଏ ବାବଦରେ କିଛି ଜାଣିନଥିବା କିମ୍ବା ମଞ୍ଜୁରି ଦେଇନଥିବା କୁହାଯାଉଛି। ଚାମ୍ପିୟନସିପରେ ଭାଗ ନେବା ପାଇଁ ଗତ ଶନିବାର ଦିନ ଭାରତୀୟ ଦଳ ଓ୍ୱାଘା ବର୍ଡର ଦେଇ ଲାହୋର ପହଁଚିଛି। ଯାହାର ଆୟୋଜନ ପ୍ରଥମ ଥର ପାଇଁ ପାକିସ୍ତାନ କରୁଛି। ସୋସିଆଲ ମିଡିଆରେ ଭାରତୀୟ ଦଳ ପାକ୍ ପହଁଚିବା ପରେ ଫଟୋ ଭାଇରାଲ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଆଜିଠୁ ଲାହୋରର ପଞ୍ଜାବ ଫୁଟୁବଲ ଷ୍ଟାଡିୟମରେ ଆମ୍ଭ ହେବ। କିଛି ମ୍ୟାଚ ଫୈସଲାବାଦ ଓ ଗୁଜରାତରେ ଖେଳାଯିବ।
କ୍ରୀଡା ମନ୍ତ୍ରାଳୟର ସୂଚନାନୁସାରେ, ସରକାର କୌଣସି ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ଅନୁମତି ପ୍ରଦାନ କରିନାହାଁନ୍ତି। ଏପରିକି ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏ ବାବଦରେ କିଛି ଜାଣିନାହିଁ। କାରଣ ଦେଶ ପାଇଁ ପ୍ରତିନିଧିତ୍ୱ ପାଇଁ ବୈଦେଶିକ ମନ୍ତ୍ରାଳୟର ଅନୁମତି ଜରୁରୀ। ଭାରତୀୟ କବାଡି ମହାସଙ୍ଘର ପ୍ରଶାସକ ନ୍ୟାୟାଧିଶ ଏସପି ଗର୍ଗ କହିଛନ୍ତି ଯେ, ଦଳକୁ ମଞ୍ଜୁରି ମିଳିନି। ପାକିସ୍ତାନ ଯାଇଥିବା କୌଣସି କବାଡି ଟିମ ବାବଦରେ କିଛି ସୂଚନା ନାହିଁ। ଏପରି କରିଥିବା ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ତେବେ ପାକିସ୍ତାନରେ ଭାରତୀୟ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପାକିସ୍ତାନ ସ୍ଥିତ ପଞ୍ଜାବର କ୍ରୀଡାମନ୍ତ୍ରୀ ରାୟ ତୈମୁର ଖାନ ଭଟ୍ଟି ଲାହୋର ହୋଟେଲରେ ଭାରତୀୟ ଦଳଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି।