Odia News Portal

ପୁଣି ଥରେ ବୁର୍ଲା ମେଡିକାଲରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ବୁର୍ଲା : ପୁଣି ଥରେ ବୁର୍ଲା ମେଡିକାଲରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଘଟଣା ସମ୍ନାକୁ ଆସିଛି । ସାମାନ୍ୟ ବଥ ଚିକିତ୍ସା ପାଇଁ ଇଏନ୍‌ଟି ବିଭାଗ ଓପିଡିକୁ ଆସିଥିବା ଜଣେ ଯୁବତୀଙ୍କ ଓଠରେ ଡାକ୍ତର ଇଂଜେକ୍‌ସନ୍‌ ଦେଇଥିଲେ । ଏହାପରେ ଯୁବତୀଙ୍କ ଓଠରୁ ନେଇ ସମଗ୍ର ମୁହଁ କଳା ପଡିଯାଇ ମାଂସ ପଚିଯିବା ପରେ ଖଣ୍ଡ ଖଣ୍ଡ ହୋଇ ଛିଣ୍ଡିବାରେ ଲାଗିଛି । ସେପଟେ, ନିଜ ଭୁଲ୍‌ ଜାଣିବା ପରେ ଘଟଣାକୁ ଚପାଇ ଦେବା ପାଇଁ ତରିବରିଆ ଭାବେ ଉକ୍ତ ଯୁବତୀଙ୍କୁ ୱାର୍ଡରେ ଭର୍ତ୍ତି କରି ଦିଆ ଯାଇଥିଲା । ଏବେ ଅବସ୍ଥା ସଙ୍ଗୀନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରି ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ଉଠିଛି ।

ଅଭିଯୋଗ ମୁତାବକ, ଗତ ଜାନୁଆରୀ ୨୨ ତାରିଖ ବୁର୍ଲା ଅଞ୍ଚଳର ଜଣେ ଯୁବତୀ ଭାତୁଡ଼ି ଉଠିଥିବାରୁ ବୁର୍ଲା ମେଡିକାଲ ଇଏନ୍‌ଟି ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ । ସେ ଦିନ ଆଉଟ୍‌ଡୋର୍‌ରେ ଡ୍ୟୁଟିରେ ଥିବା ପ୍ରଫେସରଙ୍କ ନିର୍ଦ୍ଦେଶ କ୍ରମେ ଜଣେ ବରିଷ୍ଠ ଆବାସିକ ଡାକ୍ତର ଯୁବତୀଙ୍କ ଓଠ ତଳ ପାଶ୍ୱର୍ରେ ଏକ ଇଂଜେକ୍‌ସନ୍‌ ଦେଇଥିଲେ । ମାତ୍ର ଏହି ଇଂଜେକ୍‌ସନ୍‌ ରିଏକ୍ସନ କରିଥିଲା ଓ ଯୁବତୀଙ୍କ ମୁହଁ ସଙ୍ଗେ ସଙ୍ଗେ କଳା ପଡ଼ି ଯାଇଥିଲା । ଏଭଳି ଅବସ୍ଥା ପରେ ଯୁବତୀ ଜଣକ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଇଏନ୍‌ଟି ବିଭାଗର ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସତ୍ତେ୍ୱ ତାଙ୍କ ଅବସ୍ଥା ଭଲ ହେବା ପରିବର୍ତ୍ତେ ତାଙ୍କ ମୁହଁର ସମଗ୍ର ଅଂଶ ସମୟ କ୍ରମେ ପଚିଯିବା ସହିତ ରକ୍ତ ବାହାରିବାକୁ ଲାଗିଥିଲା ।

ଏଥିସହିତ ତାଙ୍କ ଓଠର କିଛି ଅଂଶ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି । ଏବେ କିନ୍ତୁ ଡାକ୍ତର ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇ ନିଜ ମୁଣ୍ଡରୁ ଦୋଷ ହଟେଇବା ପାଇଁ ଉଦ୍ୟମ କରିଛନ୍ତି । ଯୁବତୀ ଜଣକ ଏକ ଗରିବ ପରିବାରର ହୋଇଥିବା ବେଳେ ଏବର ଜଟିଳ ଚିକିତ୍ସା କରାଇବା ତାଙ୍କ ପରିବାର ପକ୍ଷେ ଅସାଧ୍ୟ ହୋଇପଡ଼ିଛି। ଏନେଇ ମେଡିକାଲ କର୍ତୃପକ୍ଷଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ହେଁ ସମ୍ଭବ ନହେବାରୁ ପ୍ରତିକ୍ରିୟା ମିଳି ପାରି ନାହିଁ ।