Odia News Portal

ରାଜ୍ୟରେ ପ୍ରଥମ : ସ୍ୱଚ୍ଛ ଅଭିଯାନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରକୁ ସ୍ୱଚ୍ଛ କରିବା ଲାଗି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ର ସଦସ୍ୟାମାନେ ମଙ୍ଗ ଧରିଛନ୍ତି । ଘରକୁ ଘର ବୁଲି ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ତାହାକୁ ଗାଡ଼ିରେ ନେଇଯାଉଛନ୍ତି । ସହରର ଦୁଇଟି ୱାର୍ଡରେ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ମାସକ ମଧ୍ୟରେ ୨୧ଟି ୱାର୍ଡକୁ ସମ୍ପ୍ରସାରିତ ହେବ ।

ଜିଲ୍ଲାପାଳ ସମର୍ଥ ବର୍ମା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ସଦସ୍ୟାମାନଙ୍କୁ ଗୋଟିଏ ବ୍ୟାଟେରୀ ଚାଳିତ ଯୋଗାଇଥିବା ବେଳେ ଖୁବଶୀଘ୍ର ଆଉ ୩ଟି ଗାଡ଼ି ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ରାତି ପାହିଲେ ମହିଳା ସଦସ୍ୟାମାନେ ଏହି ବ୍ୟାଟେରୀଚାଳିତ ଗାଡ଼ିରେ ପ୍ଲାଷ୍ଟିକ ଡବାମାନ ରଖି ଘରକୁ ଘର ବୁଲି ଲୋକଙ୍କଠାରୁ ବର୍ଜ୍ୟବସ୍ତୁ ମାଗି ଆଣୁଛନ୍ତି । ସେଗୁଡ଼ିକର ପ୍ରକାର ଭେଦ ଅନୁସାରେ ବିଭିନ୍ନ ପ୍ଲାଷ୍ଟିକ ଡବାଗୁଡ଼ିକରେ ରଖାଯାଉଛି । ଏ କ୍ଷେତ୍ରରେ ଆଗକୁ ଆସିଥିବା ରେଣୁବାଳା ସ୍ୱୟଂ ସହାୟିକା ଗୋଷ୍ଠୀର ଜଣେ ମହିଳା ସଦସ୍ୟା ଏହି ବ୍ୟାଟେରୀଚାଳିତ ଗାଡ଼ି ଚଳାଉଥିବା ବେଳେ ଅନ୍ୟମାନେ ବିଭିନ୍ନ ଘରକୁ ଯାଇ ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି ।

ରାଜ୍ୟର କୌଣସି ପୌରସଂସ୍ଥାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ବର୍ଜ୍ୟବସ୍ତୁ ସଂଗ୍ରହ କ୍ଷେତ୍ରରେ ଏହା ପ୍ରଥମ ହୋଇଥିବା ବେଳେ ମହିଳାମାନଙ୍କ କାର୍ଯ୍ୟକୁ ଦେଖି ସହରବାସୀ ବି ନିଜଆଡ଼ୁ ଉତ୍ସାହ ଦେଖାଉଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀର ଅଳିଆ ସଂଗ୍ରହ ଗାଡ଼ି ଘର ନିକଟରେ ପହଞ୍ଚିବା ପୂର୍ବରୁ ଲୋକମାନେ ନିଜ ନିଜ ଘରର ଅଳିଆକୁ ଆଣି ଅପେକ୍ଷା କରିବା ସହିତ ସେମାନଙ୍କ ଗାଡ଼ିରେ ପକାଇ ଦେଉଛନ୍ତି ।

ଏକଦା ରାସ୍ତାଘାଟରେ ଅଳିଆ ପକାଉଥିବା ଲୋକେ ସଚେତନ ହେବା ସହିତ ସହରର ଗୋଟିଏ ପରେ ଗୋଟିଏ ଗଳି ପରିସ୍କାର ହେଉଥିବା ଲକ୍ଷ୍ୟ କରାଯାଉଛି । କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଜିଲ୍ଲା ପ୍ରଶାସନ ସହାୟତାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଏଭଳି ଅଭିନବ ପଦକ୍ଷେପ ରାଜ୍ୟର ଅନ୍ୟ ପୌରାଞ୍ଚଳ ପାଇଁ ଏବେ ଉଦାହରଣ ପାଲଟିଛି ।