Odia News Portal

ଦିଲ୍ଲୀ ପରେ ଏବେ ଏହି ରାଜ୍ୟରେ ବିଜୁଳି ବିଲ୍ ମାଗଣା, କେଜ୍ରିଓ୍ବାଲ କଲେ ସ୍ବାଗତ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ଭଳି ଏବେ ପଶ୍ଚିମବଙ୍ଗ ସରକାର ମଧ୍ୟ ମାଗଣାରେ ବିଜୁଳି ଯୋଗାଣ କରିବାର ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏନେଇ ଆଜି ଘୋଷଣା କରିଛନ୍ତି। ମମତାଙ୍କ ଘୋଷଣା ଅନୁସାରେ, ୩ ମାସରେ ୭୫ ୟୁନିଟ୍ ବିଦ୍ୟୁତ ଉପଯୋଗ କରିଥିବା ଲୋକଙ୍କୁ ବିଲ୍ ଦେବାକୁ ପଡିବ ନାହିଁ। ଲୋକଙ୍କୁ ମାଗଣା ବିଜୁଳି ଯୋଗାଇବାର ଅଭିଯାନ ଆରମ୍ଭ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହାକୁ ସ୍ବାଗତ କରିଛନ୍ତି।

ଦିଲ୍ଲୀର କେଜ୍ରିଓ୍ବାଲ ସରକାର ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଉଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ମାଗଣା ବିଜୁଳି ଯୋଗାଣକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ମମତା ସରକାର ଆଜି ନିଜର ବଜେଟ୍ ବିଧାନସଭା ଉପସ୍ଥାପନ କରିଥିଲେ। ୨,୫୫,୬୭୭ କୋଟି ଟଙ୍କା ବଜେଟ୍ ଘୋଷଣା କରିଥିଲେ। ରାଜ୍ୟର ଅର୍ଥମନ୍ତ୍ରୀ ନିଜର ଭାଷଣରେ କହିଥିଲେ ପଶ୍ଚିମବଙ୍ଗ ବଜେଟରେ ଆଗାମୀ ୩ ମାସରେ ୧୦୦ ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାର୍କ ତିଆରି କରିବାର ପ୍ରସ୍ତାବ ରହିଛି। ୨୦୨୦-୨୧ ପାଇଁ ଏଥିପାଇଁ ୨୦୦ କୋଠି ଟଙ୍କାର ଆବଣ୍ଟନ କରାଯାଇଛି।

ଝାଡଖଣ୍ଡ ସରକାର ମଧ୍ୟ ଦିଲ୍ଲୀ ଭଳି ଝାଡଖଣ୍ଡରେ ଘରୋଇ ଉପଯୋଗ ପାଇଁ ମାଗଣା ବିଜୁଳି ଦେବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଶକ୍ତି ବିଭାଗ ୧୦୦ ୟୁନିଟ୍ ମାଗଣା ବିଜୁଳି ଦେବାର ପ୍ରସ୍ତାବ ପ୍ରସ୍ତୁତ କରୁଛି। ଏହା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଘୋଷଣାରେ ରହିଛି।