ଭୁବନେଶ୍ୱର : ନଗର ଉନ୍ନୟନ ମନ୍ତ୍ରୀଙ୍କୁ ବଳିଗଲେ ସୁଡା ଅଧିକାରୀ ଶୀର୍ଷକ ଖବର ପ୍ରକାଶିତ ହେବାପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଖବରଟିକୁ ନେଇ ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନର ଶୀର୍ଷ ସ୍ତରରେ ଆଲୋଚନା ଲାଗି ରହିଥିବାବେଳେ ସମ୍ପୃକ୍ତ ଅଧିକାରୀଙ୍କ ଘରେ ଗତ ଦୁଇଦିନ ହେଲାଣି ଏକ ପ୍ରକାର କୁଆ ଉଡୁଛନ୍ତି । ରାତି ପାହିଲେ ଆଉ ଏନ୍ଜିଓ କର୍ମକର୍ତ୍ତାଙ୍କ ଭିଡ ଜମୁନାହିଁ । ପଟିଆ ଅଞ୍ଚଳରେ ରହୁଥିବା ସୁଡାର ଏହି ଅଧିକାରୀ ଜଣଙ୍କ ଘରେ ଗତ କିଛିଦିନ ହେଲା ରାଜ୍ୟର ବହୁ ଏନ୍ଜିଓ ପ୍ରତିନିଧି ସକାଳ ହେଲେ ପହଞ୍ଚି ଯାଉଥିଲେ । କାହା ହାତରେ ମିଠା ପ୍ୟାକେଟ ତ ଆଉ କାହା ହାତରେ ବାରି ଦେଖି ଆମିଷ ସାମଗ୍ରୀ ।
ଲକ୍ଷ୍ୟ ହେଲା ଗୋଟିଏ, ବାବୁଙ୍କୁ ପଟେଇ ବିଭିନ୍ନ ପୌର ସଂସ୍ଥାରେ କାମ ହାତେଇବା । ଏଥିରେ ଅନେକ ସଫଳ ବି ହୋଇଛନ୍ତି । ବିଶେଷକରି କିଛି ଏନ୍ଜିଓ ଏକାଧିକ ପୌରସଂସ୍ଥାରେ କାମ ପାଇଛନ୍ତି । ସେମାନେ ଯେମିତି କାମ ପାଇବେ ବାବୁ ଜଣଙ୍କ ସେହି ହିସାବରେ ବିଜ୍ଞାପନ ତିଆରି କରନ୍ତି । କାହା ପାଇଁ ମାର୍କିଂ ବ୍ୟବସ୍ଥା ତ ଆଉ କାହାପାଇଁ ଅଭିଜ୍ଞତାକୁ ମାନଦଣ୍ଡ କରାଯାଏ । ଯେତେ ଭଲ କାମ କଲେ ବି ଅନ୍ୟମାନେ କାମ ପାଆନ୍ତି ନାହିଁ । ତେବେ ବିଭାଗୀୟ ମବୀଙ୍କ ବାସ ଭବନ ଅପେକ୍ଷା ଏହି ଅଫିସରଙ୍କ ଘରେ ଅଧିକ ଲୋକ ଜମା ହେଉଥିବାର ଖବର ପ୍ରକାଶ ପାଇଲା ପରେ ଏହା ଉପରେ ତନାଘନା ଆରମ୍ଭ ହୋଇଛି ।
ବାବୁଙ୍କ ସମ୍ପର୍କରେ ଗୁଇନ୍ଦା ସୂଚନା ସଂଗ୍ରହ ଚାଲିଥିବାବେଳେ ତାଙ୍କର ପୂର୍ବାପର ରେକର୍ଡ ଯାଞ୍ଚ ହେଉଥିବାର ସୂଚନା ମିଳିଛି । ତେବେ ବାବୁ ଜଣଙ୍କ ଏହାର ସୁରାକ ପାଇଲା ପରେ ନିଜଆଡୁ ସତର୍କ ହୋଇଯାଇଛନ୍ତି । ନିୟମିତ ଡେରା ପକାଉଥିବା କିଛି ଏନ୍ଜିଓ ପ୍ରତିନିଧିଙ୍କୁ ଘରକୁ ନଆସିବାପାଇଁ ତାଗିଦ କରିଛନ୍ତି । ଏଥି ଯୋଗୁଁ ବାବୁଙ୍କ ଅଗଣା ଏବେ ଶୂନ୍ଶାନ୍ । ତେବେ ଆଗାମୀ ଦିନରେ ବାବୁ ଜଣଙ୍କ ମିଠା ମାଛ ଖାଇଥିବା ଓ ଉପହାର ନେଇଥିବା ଏନ୍ଜିଓମାନଙ୍କୁ କିଭଳି ଓ କେଉଁଠାରେ ଭେଟି ସେମାନଙ୍କ କାମ କରିବେ ତାହା ଉପରେ ଅନ୍ୟମାନେ ନଜର ରଖିଛନ୍ତି ।