ଭୁବନେଶ୍ବର : କଥାରେ ଅଛି ପ୍ରେମ ଅନ୍ଧ । ପ୍ରେମ ମାନେନି ବନ୍ଧବାଡ଼ । ପ୍ରେମରେ ଅନ୍ଧ ହୋଇ ଏମିତି ଜଣେ ଯୁବତୀ ପ୍ରେମିକକୁ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଋଣ ଦେଇ ଏବେ ହରଡ ଘଣାରେ ପଡିଛନ୍ତି । ପ୍ରେମିକ ଟଙ୍କା ନ ଫେରାଇବାରୁ ଶେଷରେ କିଛି ଉପାୟ ନପାଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଠକ ପ୍ରେମିକକୁ ବାଙ୍ଗାଲୋରରୁ ଗିରଫ କରିଛି । ଗିରଫ ଯୁବକ ହେଲେ ରାକେଶ କୁମାର ପାତ୍ର (୨୯) । ଘର ବ୍ରହ୍ମପୁର ହାଉସିଂବୋର୍ଡରେ ।
ସୂଚନା ଅନୁଯାୟୀ ଶୈଳଶ୍ରୀ ବିହାରର ଏକ ଘରୋଇ ବ୍ୟାଙ୍କରେ ଶ୍ରଦ୍ଧାଞ୍ଜଳି (ଛଦ୍ମନାମ) ଚାକରି କରିଛନ୍ତି । ରାକେଶ ଓ ଶ୍ରଦ୍ଧାଞ୍ଜଳି ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ସେହି ସୁଯୋଗ ନେଇ ଗତ ସେପ୍ଟେମ୍ବରରେ ରାକେଶ ବ୍ୟାଙ୍କରୁ ଲୋନ୍ କରାଇ ଦେବା ପାଇଁ ଯୁବତୀଙ୍କୁ କହିଥିଲେ । ରାକେଶଙ୍କର ଏଠାରେ କିଛି ପରିଚୟପତ୍ର ନଥିବାରୁ ଯୁବତୀ ନିଜ ନାଁରେ ୨୫ ଲକ୍ଷ ଟଙ୍କା ଋଣ କରି ରାକେଶଙ୍କୁ ଦେଇଥିଲେ । ରାକେଶ ଟଙ୍କା ପାଇବା ପରେ ଯୁବତୀଙ୍କ ଠାରୁ ଦୂରେଇ ରହୁଥିଲେ। ଯୁବତୀଙ୍କ ସନ୍ଦେହ ହେବାରୁ ସେ ରାକେଶକୁ ଦେଖା କରିବାକୁ କହିଲେ ବି ରାକେଶ ବାହାନା କରି ଦେଖା କରନ୍ତି ନାହିଁ । ଯୁବତୀଙ୍କୁ ଟଙ୍କା ମାଗିବାରୁ ସେ ଓଲଟି ତାଙ୍କୁ ଧମକ ଚମକ ଦେଉଥିଲେ । ଯୁବତୀ ଜଣଙ୍କ କିଛି ଉପାୟ ନପାଇ ଚନ୍ଦ୍ରଶେଖରପୁର ଥାନରେ ଅଭିଯୋଗ କରିଥିଲେ । ରାକେଶ ଫେରାର ଥିବାରୁ ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲା । ସେ ବେଙ୍ଗାଲୁରୁରେ ଥିବାର ଖବର ପାଇ ପୁଲିସର ଏକ ଟିମ୍ ଯାଇ ଗତକାଲି ତାଙ୍କୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି ।