Odia News Portal

ଭାରତରେ ଦୌଡ଼ିପାରେ ବିଶ୍ୱର ପ୍ରଥମ ହାଇପରଲୁପ୍‌ ଟ୍ରେନ୍‌

ଭାରତରେ ଦୌଡ଼ିପାରେ ବିଶ୍ୱର ପ୍ରଥମ ହାଇପରଲୁପ୍‌ ଟ୍ରେନ୍‌। ଏହି ଟ୍ରେନ୍‌ ଏକ ଟ୍ୟୁବ୍‌ ଦେଇ ବାହାରିବ, ଯାହାର ବେଗ ପ୍ରତି ଘଣ୍ଟା ୧୨୦୦ କିଲୋମିଟର ପଯ୍ୟର୍ନ୍ତ ପହଞ୍ଚିଯିବ। ହାଇପରଲୁପ୍‌କୁ ନେଇ ଭର୍ଜିନ୍‌ ଗ୍ରୁପ୍‌ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଆଗରେ ପ୍ରସ୍ତାବ ରଖିଛି। ଗ୍ରୁପ୍‌ ଏହି ଟ୍ରେନ୍‌କୁ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଚଲାଇବା ପାଇଁ ଆଗ୍ରହ ପ୍ରକାଶ କରିଛି।

ଏହି ପ୍ରୋଜେକ୍ଟକୁ ନେଇ ମହାରାଷ୍ଟ୍ର ସରକାରଙ୍କ ସହ ପୂର୍ବରୁ ମଧ୍ୟ କଥାବାର୍ତ୍ତା ହୋଇସାରିଥିଲା। କିନ୍ତୁ ଶିବସେନା ସରକାର ଗଠନ ପରେ ପ୍ରୋଜେକ୍ଟକୁ ରୋକି ଦିଆଯାଇଥିଲା। ଏବେ ଗ୍ରୁପ୍‌ର ପ୍ରତିନିଧି ନିତିନ ଗଡକରୀଙ୍କ ସହ କଥାବାର୍ତ୍ତା ଆଗକୁ ବଢ଼ାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଗଣମାଧ୍ୟମର ରିପୋର୍ଟ ମୁତାବକ, ଭର୍ଜିନ ଗ୍ରୁପ୍‌ କମ୍ପାନୀର ପ୍ରତିନିଧିମାନେ ଦିଲ୍ଲୀରୁ ମୁମ୍ବାଇ ମଧ୍ୟରେ ୧୩୦୦ କିଲୋମିଟର ପଯ୍ୟର୍ନ୍ତ ଏହି ଟ୍ରେନ୍‌ ଚଲାଇବା ପାଇଁ ଗଡକରୀଙ୍କୁ ଭେଟିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରୁପ୍‌ର କିଛି ପ୍ରତିନିଧି ଭାରତ ଆସିଛନ୍ତି।

ଗତ ସପ୍ତାହରେ ଗଡକରୀ କହିଥିଲେ, ସେ ବୁଲେଟ ଟ୍ରେନ୍‌ ଭଳି ଏକ ପ୍ରୋଜେକ୍ଟକୁ ନେଇ କିଛି ନିବେଶକଙ୍କୁ ଭେଟିଛନ୍ତି। ଭର୍ଜିନ୍‌ ଗ୍ରୁପ୍‌ ପୂର୍ବରୁ ମୁମ୍ବାଇ ଏବଂ ପୁନେ ମଧ୍ୟରେ ଟ୍ରେନ୍‌ ଚଲାଇବାକୁ ନେଇ ପ୍ରସ୍ତାବ ଦେଇଥିଲା। ଏହାକୁ ତତ୍କାଳୀନ ବିଜେପି ସରକାର ମଞ୍ଜୁରୀ ମଧ୍ୟ ଦେଇଥିଲେ।

ଅନ୍ୟପକ୍ଷରେ ଗାଦି ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଲେଟ୍‌ ଟ୍ରେନ୍‌ ସହ ଏମିତି କେତେକ ପ୍ରୋଜେକ୍ଟକୁ ବାତିଲ କରିଦେଇଛନ୍ତି। ଡେପୁଟୀ ସିଏମ୍‌ ଅଜିତ୍‌ ପାଓ୍ଵାର କହିଥିଲେ, ‘ଆମର ଏମିତି ଆର୍ଥିକ ସ୍ଥିତି ନାହିଁ ଯେ ଆମେ ହାଇପରଲୁପ୍‌ ଭଳି କନ୍‌ସେପ୍ଟକୁ ଦେଶରେ ପ୍ରୟୋଗ କରିପାରିବୁ। ବର୍ତ୍ତମାନ ଟ୍ରାନ୍ସପୋର୍ଟର ଅନ୍ୟ ମାଧ୍ୟମ ଉପରେ ବିଚାର କରାଯିବ। ଯେବେ ଏହିଭଳି ଟେକ୍ନୋଲୋଜି ଅନ୍ୟ ଦେଶରେ ପ୍ରୟୋଗରେ ଆସିବ, ସେବେ ଆମେ ଏହା ଉପରେ ବିଚାର କରିବୁ’।

ଖବର ମୁତାବକ, ହାଇପରଲୁପ୍‌କୁ ନେଇ ଯଦିଓ ଏବେ କଥାବାର୍ତ୍ତା ଚାଲିଛି, କିନ୍ତୁ ଏବେ ଏହା ସମ୍ଭବ ନୁହେଁ। ସାରା ବିଶ୍ୱରେ ଏ ପଯ୍ୟର୍ନ୍ତ କୌଣସି ବି ସ୍ଥାନରେ ଏହି ଟେକ୍ନୋଲୋଜି ବ୍ୟବହାର ହୋଇନାହିଁ।