Odia News Portal

ଆଜି ମହାଶିବରାତ୍ରୀ : ଜାଗର ଯାତ୍ରା ପାଇଁ ସବୁ ଶୈବ ପୀଠରେ ପ୍ରସ୍ତୁତି ଚୂଡାନ୍ତ , ଆସନ୍ତୁ ଜାଣିବା କେତେବେଳେ ଉଠିବ ମହାଦୀପ

ଭୁବନେଶ୍ବର : ଆଜି  ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ରାଜ୍ୟର ସବୁ ଶୈବ ପୀଠରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଶ୍ରୀଲୋକନାଥ, ଆରଡିର ବାବାଆଖଣ୍ଡଳମଣି, ନୟାଗଡ଼ର ଲଡୁବାବା, ରାଉରକେଲାର ବେଦବ୍ୟାସ, ଢେଙ୍କାନାଳର କପିଳାସରେ ବ୍ୟାପକ ଆୟୋଜନ ହୋଇଛି ।

ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ପୁରୀର ଶ୍ରୀଲୋକନାଥ ପୀଠ । ରାତି ସାଢେ ୧୨ ଟାରେ ଖୋଲିବ ମନ୍ଦିର ଦ୍ବାର । ରାତି ୨ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ସୋମବାର ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ଓ ମହାଦୀପ ଉଠିବା କାର୍ଯ୍ୟକ୍ରମ ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ୍ ହୋଇଛି । ନୀତିକାନ୍ତି, ଯାତ୍ରୀ ସମାଗମ ଉପରେ ନଜର ରଖିବ ସିସିଟିଭି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୃତୟନ ରହିବେ । ଶନିବାର ରାତିରୁ ପାର୍ବତୀ ସାଗରରେ ଜଳୁଛି ଅଖଣ୍ଡ ଦୀପ ।

ଶ୍ରୀଲିଙ୍ଗରାଜ :

ସେପଟେ ଏବେଠୁ ଦୁଲୁକିଲାଣି ଭୁବନେଶ୍ବର ଶ୍ରୀ ଲିଙ୍ଗରାଜଙ୍କ ପୀଠ । ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ ଟାରେ ମହାପ୍ରଭୁଙ୍କ ପହଡ ଖୋଲିବ । ସାଢେ ୩ ଟାରୁ ସାଢେ ୧୦ ଟା ଯାଏଁ ଚାଲିବ ସାହାଣ ମେଲା ଦର୍ଶନ ।  ଦିନ ୧୨ ଟା ୧୫ ରୁ ଦୁଇଟା ମଧ୍ୟରେ ସୂର୍ଯ୍ୟ ପୂଜା, ଦ୍ବାର ପାଳ ପୂଜା, ଠାକୁରାଣୀ ବହ୍ଲଭ ନୀତି ହେବ ।  ରାତି ୧୦ ଟାରେ ଉଠିବ ମହାଦୀପ ।  ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବକ ବ୍ୟବସ୍ଥା ହୋଇଛି ।

ବାବା ଆଖଣ୍ଡଳମଣି :

ଜାଗର ପାଇଁ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ସମାଗମ । ଭୋର ୪ ଟା ୩୦ରେ ଉଠିବ ମହାଦୀପ । ବାବାଙ୍କ ମହାସ୍ନାନ ଏବଂ ରୁଦ୍ରାଭିଷେକ ରୀତିନୀତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ଜଣେ ଏଏସପିଙ୍କ ସହ ୪ ଜଣ ମାଜିଷ୍ଟ୍ରେଟ୍, ୪ ଜଣ ଡିଏସପି, ୨ ଜଣ ଇନ୍ସପେକ୍ଟର, ୨୫ ସବ୍ ଇନ୍ସପେକ୍ଟରଙ୍କ ସହ ୩୦ ସେକ୍ସନ ପୋଲିସ ମୁତୟନ ରହିବେ ।

ଲଡୁବାବା :

ନୟାଗଡ଼ ଲଡୁବାବାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ସକାଳୁ ରାତି ଯାଏ ସହରରେ ଭାରିଯାନ ପ୍ରବେଶ ବାରଣ କରାଯାଇଛି । ଶାନ୍ତି ଶୃଖଂଳା ରକ୍ଷା ପାଇଁ ୪ ପ୍ଳାଟୁନ ଫୋର୍ସ, ୨୦ ଅଫିସର ସଜାଗ ରହିବେ । ମଧ୍ୟ ରାତ୍ରରେ ଦ୍ବାର ଫିଟା ପରେ ଭୋର ୪ ଟାରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ରାତି ୧୨ ଟାରୁ ଗୋଟାଏ ମଧ୍ୟରେ ଉଠିବ ମହାଦୀପ ।

କପିଳାସ :

ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ଜାଗରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି କପିଳାସ। ସମସ୍ତ ଦେବନୀତି ଶୃଙ୍ଖଳିତ କରିବାକୁ ପ୍ରଶାସନ, ପୋଲିସ ଓ ଦେବୋତ୍ତର ବିଭାଗ ପକ୍ଷରୁ ଜୋର୍‌ସୋର୍‌ରେ ପ୍ରସ୍ତୁତି ହୋଇଛି । ଶାନ୍ତି ଶୃଖଂଳା ରକ୍ଷା ପାଇଁ ୨ ଜଣ ଏଏସ୍‌ପି, ୫ ଡିଏସ୍‌ପି, ୧୦ ଇନ୍ସପେକ୍ଟର, ୯୪ ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସହ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ମନ୍ଦିର ପରିସରରେ ଏଲ୍‌ସିଡି ବ୍ୟବସ୍ଥା ହୋଇଛି ।