Odia News Portal

ଥାନାରେ ପଶି ଆକ୍ରମଣ : ୪ ପୁଲିସ ଅଧିକାରୀ ଆହତ

ଭୁବନେଶ୍ବର : ଥାନାରେ ପଶି ଆକ୍ରମଣ । ବିଳମ୍ବିତ ରାତିରେ ଭୁବନେଶ୍ବର ସହିଦନଗର ଥାନାରେ ଥାନା ଅଧିକାରୀଙ୍କ ସମେତ ୪ପୁଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ପୋଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସମୟରେ ପୋଲିସ ଅଟକାଇବାରୁ ଆକ୍ରମଣର ଶିକାର ହୋଇଛି। ଏଥିରେ ଆଇଆଇସି ବିରଞ୍ଚି ପତି ଓ ଏଏସ୍ ଆଇ ଏମ୍ ସିଏଚ୍ ମୁର୍ମୁଙ୍କ ସମେତ ୪ ପୁଲିସ ଗୁରୁତର ଆହତ ହୋଇଛନ୍ତି।

 ଖାଲି ସେତିକି ନୁହେଁ, ୮ରୁ ୧୦ଜଣ ଦୁର୍ବୃତ୍ତ ଥାନାରେ  ଲଙ୍କାକାଣ୍ଡ ଭିଆଇଛନ୍ତି । ସ୍ଥିତି ଏପରି ହୋଇଥିଲା ଯେ, ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଖଣ୍ଡଯୁଦ୍ଧ ଲାଗିଥିଲା। ଦୁର୍ବୃତ୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍ , ସିସିଟିଭି ଓ ଟିଭିକୁ ଭାଙ୍ଗି ଚୁରମାର୍ କରିଦେଇଛନ୍ତି। ପ୍ରାୟ ଅଧଘଣ୍ଟା କାଳ ଥାନା ଭିତରକୁ ଢେଲା ପଥର ମାଡ଼ କରିଥିଲେ । ପୋଲିସକୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଖସି ଯାଉଥିବା ବେଳେ ୬ଜଣଙ୍କୁ ଅଟକ ରଖିଛି ପୋଲିସ । ଏହାପରେ ଉଭୟ ପକ୍ଷର ଶତାଧିକ ଯୁବକ ସହିଦନଗର ଥାନା ଘେରାଉ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତି ଅଣାୟତ୍ତ ହେବାରୁ ଥାନାରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।