Odia News Portal

କିଟ୍ କ୍ୟାମ୍ପସ୍‌ରେ ଖେଲୋ ଇଣ୍ଡିଆର ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର : ସ୍ଥାନୀୟ କିଟ୍ କ୍ୟାମ୍ପସ୍‌ରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରିଡାର ଟ୍ରଫି ଔପଚାରିକ ଭାବେ ଉନ୍ମୋଚିତ ହୋଇଛି । ୟୁନିଭର୍ସିଟି ଅଫ୍ ମହୀଶୂର ଓ ଲକ୍ଷ୍ମୀ ବାଇ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ଏଜୁକେସନ ଗ୍ୱାଲିୟର୍‌ର ଛାତ୍ରଛାତ୍ରୀମାନେ ବହୁ ଆଡମ୍ବର ମଧ୍ୟରେ କିଟ୍ କ୍ୟାମ୍ପସ୍‌ର ରଗ୍‌ବି ଗ୍ରାଉଣ୍ଡରେ ଏହି ଟ୍ରଫିର ଉନ୍ମୋଚନ କରିଥିଲେ । ଗତ ମାସରେ ଗୌହାଟୀଠାରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ସଫଳ ସମ୍ପାଦନ ପରେ ଭାରତ ସରକାର ଭବିଷ୍ୟତର ଆନ୍ତର୍ଜାତ୍ରୀ ପ୍ରତିଯୋଗିତାଗୁଡିକ ପାଇଁ ଅଧିକ ପ୍ରତିଭା ଅନ୍ୱେଷଣ କରିବା ଲାଗି ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରିଡାର ଆୟୋଜନ କରିବାକୁ ନିଷ୍ପତି ନେଇଥିଲେ । ଏସମ୍ପର୍କରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ଯେ, ଭାରତର ଲୋକେ ନିଶ୍ଚିତ ଭାବେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରିଡାରୁ ବାହାରିବାକୁ ଥିବା ଅନେକ ଆନ୍ତର୍ଜାତୀୟ ଚାମ୍ପିଅନ୍‌ମାନଙ୍କୁ ଦେଖିବାକୁ ପାଇବେ । ଏହି ଟୁର୍ଣ୍ଣାମେଂଟ୍ ଆସନ୍ତା ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ ।

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରିଡା-୨୦୨୦, ଓଡିଶାରେ ଟେକ୍ନିକାଲ ଓ ସପୋର୍ଟିଙ୍ଗ୍ ଷ୍ଟାଫ୍‌ଙ୍କ ବ୍ୟତୀତ ପ୍ରାୟ ୮୦ରୁ ୧୦୦ଟି ବିଶ୍ୱବିଦ୍ୟାଳୟ ୩୩୪୩ ଜଣ ଆଥ୍‌ଲେଟ୍ (୧୭୩୮ ଜଣ ପୁରୁଷ ଓ ୧୬୦୫ ଜଣ ମହିଳା) ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଂଟ୍‌ରେ ୧୭ଟି କ୍ରିଡା ବର୍ଗରେ ପ୍ରତିଯୋଗିତା ହେବ; ସେଗୁଡିକ ହେଉଛି ବ୍ୟକ୍ତିଗତ ଇଭେଂଟ୍‌- ତୀରନ୍ଦାଜ, ଆଥ୍‌ଲେଟିକ୍ସଳ ବକ୍ସିଙ୍ଗ୍‌, ଫେନ୍ସିଙ୍ଗ, ଜୁଡୋ, ସ୍ୱିମିଙ୍ଗ୍‌, ଭାରୋତଳନ, କୁସ୍ତି ଓ ଟିମ୍ ଇଭେଂଟ୍‌- ବ୍ୟାଡ୍‌ମିଂଟନ, ବାସ୍କେଟ୍‌ବଲ, ଫୁଟ୍‌ବଲ, ହକି, ଟେବୁଲ ଟେନିସ୍‌, ଟେନିସ୍‌, ଭଲିବଲ, ରଗ୍‌ବି, କବାଡି । ଏହି ପ୍ରତିଯୋଗିତାଗୁଡିକ କଟକ ଓ ଭୁବନେଶ୍ୱରର ୧୦ଟି ସ୍ଥାନରେ ଆୟୋଜିତ ହେବ । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ଏହି ଟୁର୍ଣ୍ଣାମେଂଟ୍ ପାଇଁ ମୁଖ୍ୟ ସେଂଟର ହେବ ।

ଚଣ୍ଡୀଗଡର ପଞ୍ଜାବ ୟୁନିଭର୍ସିଟି, ଅମୃତସରର ଗୁରୁ ନାନକ ଦେବ୍ ୟୁନିଭର୍ସିଟି, ରୋହତକର ଏମ୍‌ଡିୟୁ, ପଟିଆଲାର ପଞ୍ଜାବୀ ୟୁନିଭର୍ସିଟି, ଦିଲ୍ଲୀର ଦିଲ୍ଲୀ ୟୁନିଭର୍ସିଟି ସ୍ପୋର୍ଟସ୍ କାଉନ୍ସିଲ ଆଦିର ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରିଡାରେ ଶୀର୍ଷ ସମ୍ମାନ ହାସଲ କରିବା ପାଇଁ ଲଢେଇ କରିବେ ।

 ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )