ଭୁବନେଶ୍ୱର : ସରକାରୀ ହିସାବରେ ରାଜଧାନୀରେ ୪୮୮ ଏକର ଜମି ଜବରଦଖଲ ହୋଇସାରିଥିବା ଜଣାପଡିବା ପରେ ଏବେ ଜବରଦଖଲ ହଟାଇବାପାଇଁ ସରକାରଙ୍କର ତିନି ଛାମୁଆ ସଂସ୍ଥା ବିଡିଏ, ବିଏମ୍ସି ଓ ସାଧାରଣ ପ୍ରଶାସନର ସ୍କ୍ୱାଡ୍ ଉପରେ ପ୍ରଶ୍ନଚିହ୍ନ ଲାଗି ଗଲାଣି । ଜମି ମାଫିଆମାନଙ୍କ ଆଗରେ ଏମାନଙ୍କ ବଳ କାମକରୁନାହିଁ ବୋଲି ଲୋକେ ଖୋଲାଖୋଲି କହିଲେଣି । ଏପରିକି ବିଭିନ୍ନ ୟୁନିଟ୍ରେ ରାସ୍ତାଘାଟ ଓ କନଜରଭେନ୍ସି ଜବରଦଖଲ ହୋଇଯାଉଥିବାବେଳେ କାହିଁକି ଏହି ତିନି ସ୍କ୍ୱାଡ୍ ସେମାନଙ୍କୁ ହଟାଇ ପାରୁନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ରାଜଧାନୀର ବିଭିନ୍ନ ୟୁନିଟ୍ ସମେତ ଏହାର ଆଖପାଖ ଅଞ୍ଚଳରେ ୪୮୮ ଏକର ସରକାରୀ ଜମି ଜବରଦଖଲ ହୋଇଛି । ଜୟଦେବବିହାର ତାଲିକାର ସବୁଠାରୁ ଆଗରେ ଥିବାବେଳେ ବାପୁଜୀନଗର ଠାରୁ ଖାରବେଳନଗର ପର୍ଯ୍ୟନ୍ତ ପ୍ରାୟତଃ ସବୁ ଅଞ୍ଚଳ ଏହି ତାଲିକାରେ ରହିଛି । ତେବେ ସରକାରୀ ହିସାବ ଠାରୁ ବାସ୍ତବ ଜବରଦଖଲ ଢେର ଅଧିକ ବୋଲି ଅଭିଯୋଗ ହେଉଛି ।
ବିଶେଷକରି ରାଜ୍ୟ ଲୋକସେବା ଭବନ ଓ ରାଜଭବନ ନିକଟରେ ଥିବା ଅଞ୍ଚଳର ରାସ୍ତାକଡ ଓ କନଜରଭେନ୍ସି ଜବଦରଦଖଲ ଜମିକୁ ହିସାବକୁ ନେଲେ ଏହା ୬୦୦ ଏକରକୁ ଟପିଯିବ ବୋଲି ଅନୁମାନ କରାଯାଉଛି । ତେବେ ଜମି ମାଫିଆମାନେ ରାଜଧାନୀରେ ଏଭଳି ସାହସ କରୁଛନ୍ତି କିଭଳି ? ବିଏମ୍ସି କମିଶନର ଜବରଦଖଲ ବିରୁଦ୍ଧରେ ଅତ୍ୟନ୍ତ କଠୋର ହେବା ସହିତ ଏମାନଙ୍କୁ ବିଜୁଳି ଓ ପାଣି ସଂଯୋଗ ନଦେବା ଲାଗି ସାଧାରଣ ପ୍ରଶାସନ ବିଭାଗକୁ ପତ୍ର ଲେଖିଛନ୍ତି । ହେଲେ ମାଫିଆମାନେ କିନ୍ତୁ ଏହାକୁ ଖାତିର କରୁନାହାନ୍ତି । ଚୋରାରେ ବିଜୁଳି, ପାଣି ସବୁ ନେଇ ଆସୁଛନ୍ତି । ଏପରିକି ରାସ୍ତାକଡରେ ରାତାରାତି ଘର ଛିଡା କରିଥିବା ମାଫିଆମାନେ ଅମୃତ ଯୋଜନାରେ ଜଳସଂଯୋଗ ନେଇଗଲେ ବି ସେମାନଙ୍କୁ କେହି ଦେଖିବାକୁ ନାହିଁ । ବିଭିନ୍ନ ଅଞ୍ଚଳରେ ଏଭଳି ଜବରଦଖଲ ହେଉଥିବାବେଳେ ବିଏମ୍ସି ଦ୍ୱାରା ନିଯୁକ୍ତ ହୋଇଥିବା ୱାର୍ଡ ଅଫିସରମାନେ ଏକ ପ୍ରକାର ନିରବ ଦର୍ଶକ ସାଜିଛନ୍ତି ।
ଏମାନେ ବିଏମ୍ସିକୁ ଜବରଦଖଲ ସଂକ୍ରାନ୍ତରେ ଠିକଣା ରିପୋର୍ଟ ଦେଉନଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ସ୍ଥାନୀୟ ଜଳଯୋଗାଣ ଓ ବିଦ୍ୟୁତ୍ ବିଭାଗର କିଛି କର୍ମଚାରୀ ଜବରଦଖଲ ଯୋଗୁଁ ମାଲେମାଲ ହୋଇଗଲେଣି । ଘରପିଛା ମାସିକିଆ ଅର୍ଥ ଆଦାୟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ତିନି ସଂସ୍ଥାର ଉଚ୍ଛେଦ ସ୍କ୍ୱାଡ୍ ସେଭଳି କିଛି ପଦକ୍ଷେପ ନେଇପାରୁ ନାହିଁ । ଇତି ମଧ୍ୟରେ କିଛି ଜମି ମାଫିଆ ଏକାଧିକ ବସ୍ତିରେ ଘର କରି ଭଡା ଲଗାଇବା ସହିତ ତାହାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛନ୍ତି । ଏମାନେ କାହାକୁ ଘରଭଡା ଦେଉଛନ୍ତି ଓ କାହାକୁ ଘର ବିକୁଛନ୍ତି ତାହାର କୌଣସି ହିସାବ ନଥିବାରୁ ଏହି ମଉକାରେ ବିଭିନ୍ନ ପ୍ରକାର ଅପରାଧି ଓ ନକ୍ସଲମାନେ ମଧ୍ୟ ରାଜଧାନୀରେ ଆସ୍ଥାନ ଜମାଇବା ବଡକଥା ନୁହେଁ ବୋଲି କିଛି ପୂର୍ବତନ ପୁଲିସ୍ ଅଧିକାରୀ ମତ ଦେଉଛନ୍ତି ।