Odia News Portal

ମନ୍ତ୍ରୀ ବିହୀନ ଜିଲ୍ଲାରେ ବିଜେଡି କର୍ମୀ ଖୁସ୍‍

ଭୁବନେଶ୍ୱର : ଜିଲ୍ଲାର ଜଣେ ହେଲେ ବିଧାୟକ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ନାହାନ୍ତି । କେନ୍ଦ୍ରାପଡାର ବିଜେଡି କର୍ମୀମାନେ କିନ୍ତୁ ଖୁସ୍‍ । ଜିଲ୍ଲାର ବିକାଶ କାର୍ଯ୍ୟ ଯେଭଳି ଭାବେ ଚାଲିଛି ତାହା ପୂର୍ବରୁ ମାଳ ମାଳ ମନ୍ତ୍ରୀ ଥାଇ ହୋଇପାରୁନଥିଲା ବୋଲି ଖୋଲାଖୋଲି ଭାବେ କହୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜେ କେନ୍ଦ୍ରାପଡା ପ୍ରତି ଦୃଷ୍ଟି ଦେବେବୋଲି ଘୋଷଣା କରିବାପରେ ବରିଷ୍ଠ ଅଧିକାରୀମାନଙ୍କ ଘନ ଘନ ଜିଲ୍ଲା ଗସ୍ତ ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦିନ ରାତି ପରିଶ୍ରମ ଏବେ ବିକାଶକୁ ଆଗକୁ ବଢିବାରେ ସହାୟକ ହୋଇଛି । କେନ୍ଦ୍ରାପଡାର ବିଜେଡି କର୍ମୀମାନଙ୍କ ମତରେ ରାଜ୍ୟ ରାଜନୀତିରେ ଜିଲ୍ଲାର ରାଜନେତାଙ୍କ ସବୁବେଳେ ଦବ୍‍ଦବା ରହିଆସିଛି । ଏକଦା ମନ୍ତ୍ରୀମଣ୍ଡଳରେ ପ୍ରଭାବଶାଳୀ ମନ୍ତ୍ରୀ ତାଲିକାରେ ବିଜୟ ମହାପାତ୍ର, ନଳିନୀ ମହାନ୍ତିଙ୍କ ଭଳି ନେତା ରହିବା ସହିତ ଏକାଧିକ ବିଭାଗ ଏମାନଙ୍କ ହାତରେ ଥିଲା । ପରବର୍ତ୍ତୀ ପୀଢିରେ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବଙ୍କ ଭଳି ଯୁବ ମନ୍ତ୍ରୀ ବି ରାଜ୍ୟ ମବୀମଣ୍ଡଳରେ ସ୍ଥାନ ପାଇଥିଲେ ।

 

ଏହାଛଡା ଏଠାକାର ସାଂସଦମାନେ ବି ଏକଦା ପ୍ରଭାବଶାଳୀ ଥିଲେ । ହେଲେ ଜିଲ୍ଲାରେ ସେଭଳି ଆଖିଦୃଶିଆ କାର୍ଯ୍ୟ ହୋଇପାରିନାହିଁ । ଏବେ ବି କେନ୍ଦ୍ରାପଡା ରାଜ୍ୟର ଶିଳ୍ପବିହୀନ ତାଲିକାରେ ରହିଛି । କିନ୍ତୁ ମୁଖ୍ୟମବୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ପାଳି ସରକାରରେ କେନ୍ଦ୍ରାପଡାରୁ କାହାରିକୁ ମନ୍ତ୍ରୀ କରିନଥିବାବେଳେ ନିଜେ ଜିଲ୍ଲା ପ୍ରତି ଧ୍ୟାନ ଦେଇଛନ୍ତି । ଫଳରେ ଜିଲ୍ଲାକୁ ଏବେ ଅର୍ଥର ସୁଅ ଛୁଟିବାରେ ଲାଗିଛି । ଆରାଧ୍ୟ ଦେବତା ବଳଦେବଜୀଉଙ୍କ ଲାଗି ସରକାର ସହାୟତାର ହାତ ବଢାଇଥିବାବେଳେ ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ଅତ୍ୟାଧୁନିକ ପାର୍କ । ସେହିଭଳି ଭିତରକନିକାରେ ପ୍ରଥମଥର ପାଇଁ ଆୟୋଜି ମହୋତ୍ସବ କେବଳ ରାଜ୍ୟ ନୁହେଁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଇତି ମଧ୍ୟରେ ଜମ୍ବୁ, ବତୀଘର ଓ ହୁକିଟୋଲାର ବିକାଶ ପାଇଁ ଗୋଟିଏ ସଂସ୍ଥା ସର୍ଭେ ଆରମ୍ଭ କରିଛି । ଏହା କାର୍ଯ୍ୟକାରୀ ହେଲେ କେନ୍ଦ୍ରାପଡା ଏବଂ ରାଜ୍ୟ ପର୍ଯ୍ୟଟନ ଶିଳ୍ପର କେନ୍ଦ୍ରବିନ୍ଦୁ । କର୍ମୀଙ୍କ କହିବା କଥା ଯେ ଏଭଳି ବିକାଶ ପଛରେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଶକ୍ତି ଓ ଜିଲ୍ଲାପାଳଙ୍କ କଠିନ ପରିଶ୍ରମ ରହିଛି ।

 

ଯଦି ମନ୍ତ୍ରୀ ବିହୀନ ହୋଇ ଏତେ ବିକାଶହୋଇ ପାରୁଛି ତେବେ ମନ୍ତ୍ରୀମଣ୍ଡଳରେ କିଏ ରହିଲେ ବା ନରହିଲେ ସେମାନଙ୍କର କିଛି ଯାଏ ଆସେ ନାହିଁ । ଲୋକେ ଯେଉଁଭଳି ବିକାଶ ଚାହୁଁଛନ୍ତି ତାହା ପାଇ ପାରୁଛନ୍ତି । ତେଣୁ କିଏ କ୍ଷମତାରେ ରହିବ ବ କିଏ ନରହିବ ସେ ହିସାବ କରିବା ସେମାନଙ୍କର କାମ ନୁହେଁ । ବର୍ତ୍ତମାନର ଜିଲ୍ଲାପାଳ ଯେଭଳି କୌଣସି ଠାରେ ସମସ୍ୟା ଦେଖିଲାମାତ୍ରେ ହାଜର ହୋଇ ତାହାର ସମାଧାନ କରୁଛନ୍ତି ତାହା ବି ପୂର୍ବରୁ କେବେ ଦେଖିବାକୁ ମିଳୁନଥିଲା । ତେଣୁ ରାଜ୍ୟ ମନ୍ତ୍ରୀମଣ୍ଡଳକୁ ନେଇ ସାଧାରଣ ଲୋକଙ୍କର କିଛି ହିସାବ ନିକାଶ କରିବାର ନାହିଁ । ବିକାଶ ଯେଭଳି ଭାବେ ହେଉଛି ସେଥିରେ ବିଜେଡିର ଲାଭ ହିଁ ଲାଭ ।