Odia News Portal

ଜିଲ୍ଲା ସଭାପତି ବଦଳରେ ବାଇଁଆ ଓ ବୁନୁ ଗୋଷ୍ଠି ଖୁସ୍‍

ଭୁବନେଶ୍ୱର : ରାଜଧାନୀ ବିଜେଡି ରାଜନୀତିରେ ଘଡିକୋ ଘୋଡା ଛୁଟୁଥିବାବେଳେ ଏବେ କେନ୍ଦ୍ରୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ହୋଇଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡିର ନୂଆ ସଭାପତି । ଦଳର ଛାମୁଆ ନେତା ଅମରେଶ ଜେନା ଓରଫ ବାଇଁଆଙ୍କ ସ୍ଥାନରେ ଦଳ ତାଙ୍କୁ ଏହି ଦାୟିତ୍ୱ ଦେଇଛି । ଏଭଳି ପରିବର୍ତ୍ତନକୁ ନେଇ ଦଳରେ ଗୁଞ୍ଜରଣ ସୃଷ୍ଟି ହୋଇଥିବାବେଳେ ବାଇଁଆ ଓ ବୁନୁ ଗୋଷ୍ଠି କିନ୍ତୁ ଏହାକୁ ନେଇ ଖୁସ୍‍ । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୁନୁ ବାବୁ ଭୁବନେଶ୍ୱର ଜିଲ୍ଲା ସଭାପତି ହେବାପରେ ଏବେ ଦଳର କର୍ମୀମାନେ ଖୁସି ଅଛନ୍ତି । କାରଣ ମଧ୍ୟ ବିଧାୟକ ଭାବେ ତାଙ୍କର ବେଶ୍‍ ପତିଆରା ଥିବାବେଳେ ଦୁଇ ଦୁଇ ଥର ମେୟର ଥିବାରୁ ତାଙ୍କ ନିକଟକୁ ରାଜଧାନୀର ସବୁ ସ୍ତରର କର୍ମୀଙ୍କ ସହଜ ଆତଜାତ ରହିଛି ।
ତେଣୁ ବୁନୁବାବୁ ବିଜେଡି ରଥକୁ ଆଗକୁ ନେବେବୋଲି ଅନେକ ଆଶା ବାନ୍ଧିଛନ୍ତି । ବିଶେଷକରି ଗତ କିଛିଦିନ ଧରି ବିଜେଡିର ଗୋଟିଏ ଗୋଷ୍ଠି ଯେଭଳି ଛକାପଞ୍ଝା ଚଳାଇଥିଲେ ତାହାକୁ ଅନନ୍ତ ସହଜରେ ପ୍ରତିହତ କରିପାରିବେ । ବୁନୁଙ୍କ ଶିବିର ଭଳି ବାଇଁଆଙ୍କ ଶିବିର ବି ଏଭଳି ପରିବର୍ତ୍ତନରେ ଖୁସ୍‍ । କାରଣ ଆଗକୁ ପୌର ନିର୍ବାଚନ ଆସୁଥିବାରୁ ଏହା ଉପରେ ସେ ଅଧିକ ନଜର କେନ୍ଦ୍ରୀଭୂତ କରିପାରିବେ । ତେବେ ଅସଲ କଥା ହେଲା ଦଳ ପକ୍ଷରୁ କିଛିଦିନ ହେଲା ବାଇଁଆ ବିରୋଧି ଗୋଷ୍ଠିର ଜଣଙ୍କୁ ଜିଲ୍ଲା ସଭାପତି କରିବାପାଇଁ ଯେଭଳି ଉଦ୍ୟମ ଆରମ୍ଭ ହୋଇଥିଲା ତାହାକୁ ନେଇ ଅମରେଶ ଓ ତାଙ୍କ ସମର୍ଥକମାନେ ଢେର ଚିନ୍ତାରେ ଥିଲେ ।
ଏହାକୁ ନେଇ ବୁନୁଙ୍କ ଗୋଷ୍ଠି ବି ଖୁସି ନଥିଲେ । ହେଲେ ଶେଷ ମୂହୂର୍ତ୍ତରେ ବିରୋଧିଙ୍କ ଏହି ଚାଲ୍‍ ଫସର ଫାଟିଗଲା । ପୂର୍ବରୁ ସଫଳ କର୍ପୋରେଟର-ମେୟର ଯୋଡି ଥିବା ବାଇଁଆ-ବୁନୁ ଗୋଷ୍ଠି ବିରୋଧିଙ୍କ ଚାଲ୍‍କୁ ଟାଳିବାରେ ସମର୍ଥ ହେଲେ । ତେଣୁ ଏବେ ଭୁବନେଶ୍ୱର ବିଜେଡିରେ ଆଉ କୌଣସି ସମସ୍ୟା ନାହିଁ ଓ ପୌର ନିର୍ବାଚନ ବୈତରଣୀ ପାରିହେବା ଅଧିକ ସହଜ ହେଲା ବୋଲି ଦୁଇ ଗୋଷ୍ଠିର କର୍ମୀମାନେ ଖୋଲାଖୋଲି କହୁଛନ୍ତି ।