Odia News Portal

ଖଣିରେ ପୁଞ୍ଜି ଲଗେଇଛନ୍ତି ଦୁଇ ଅଧିକାରୀ : ଲୋକସେବା ଭବନରେ ଚର୍ଚ୍ଚା

ଭୁବନେଶ୍ୱର : ରାଜ୍ୟର ଦୁଇଜଣ ଆଇଏଏସ୍‍ ଅଫିସର ଖଣି ବେପାରରେ ପୁଞ୍ଜି ଖଟାଇବାକୁ ନେଇ ଲୋକସେବା ଭବନରେ ଚର୍ଚ୍ଚା ଜୋରଦାର ହୋଇଛି । ନିର୍ଦ୍ଦେଶକ ପଦବୀରେ ଥିବା ଦୁଇ ଅଧିକାରୀ ତିନିଟି ଖଣିରେ ପୁଞ୍ଜି ଖଟାଇ ବେନାମୀ ଅଂଶୀଦାର ସାଜିଥିବାବେଳେ ଗୁପ୍ତା ସାଙ୍ଗିଆଧାରୀ ଜଣେ ବ୍ୟବସାୟୀ ଏମାନଙ୍କର ସହଯୋଗୀ ଅଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି ଯେ ସଂଯୋଗ ବଶତଃ ଦୁଇଜଣ ଯାକ ଅଧିକାରୀ ଅତୀତରେ ଅନୁଗୁଳ ଜିଲ୍ଲାରେ କାମ କରିଛନ୍ତି । ନିକଟରେ ଅନୁଗୁଳ ଜିଲ୍ଲାରେ ମୂଲ୍ୟବାନ ଜମି କିଣା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ ଆସିବାପରେ ଏଭଳି କାରବାରର ଗୁମର ଖୋଲିବାରେ ଲାଗିଛି । କେବଳ ମଧ୍ୟସ୍ଥି ମାଧ୍ୟମରେ ଜମି କିଣା ନୁହେଁ ଜିଲ୍ଲାରେ କାର୍ଯ୍ୟରତ ଥିବା ସମୟରେ ଏହି ଆଇଏଏସ୍‍ ଅଧିକାରୀ ଜଣଙ୍କ ବିପୁଳ ସମ୍ପତ୍ତି ରୋଜଗାର କରିଥିଲେ । ଏହାପରେ ସେ ଉପକୂଳ ଜିଲ୍ଲାକୁ ବଦଳି ହୋଇ ଆସିଥିଲେ । ତେବେ ତାଙ୍କର ବିପୁଳ ପରିମାଣର ସମ୍ପତ୍ତିର ସୂଚନା ପାଇବାପରେ ଗୁପ୍ତା ନାମଧାରୀ ବ୍ୟକ୍ତି ଯିଏ କି ଗୋଟିଏ ବଡ କମ୍ପାନୀରେ କାର୍ଯ୍ୟରତ ସିଏ ଯୋଗାଯୋଗ କରିଥିଲେ ।
ଏହି ଗୁପ୍ତା ବାବୁଙ୍କୁ ବହୁ ସମୟରେ ଲୋକସେବା ଭବନ କରିଡରରେ ବି ଦେଖିବାକୁ ମିଳିଥାଏ । ଏହାପରେ ନିର୍ଦ୍ଦେଶକ ପାହ୍ୟାରେ କାର୍ଯ୍ୟରତ ଆଉଜଣେ ଅଧିକାରୀ ମଧ୍ୟ ଗୁପ୍ତାଙ୍କ ସଂସ୍ପର୍ଶରେ ଆସି ଖଣିରେ ପୁଞ୍ଜି ଖଟାଇବାକୁ ମନ ବଳାଇଥିଲେ । ଏହି ଦୁଇ ଅଧିକାରୀଙ୍କର ବିପୁଳ ପୁଞ୍ଜି ଅର୍ଥକୁ ନେଇ ସମ୍ପୃକ୍ତ ଗୁପ୍ତା ନାମଧାରୀ ବ୍ୟକ୍ତି ଜଣଙ୍କ ଶ୍ରୀଜୋଡା ଏବଂ ଜରିବାହାଲ ଅଞ୍ଚଳରେ ତିନି ଖଣିରେ ଖଟାଇଛନ୍ତି । ହେଉଥିବା ଆଲୋଚନା ଅନୁଯାୟୀ ଏହି ତିନ ଖଣିରେ ଅଧିକାରୀମାନେ ଯେଉଁ ପରିମାଣରେ ଅର୍ଥ ଖଟାଇଛନ୍ତି ତାହା ଶହେଗୁଣରୁ ଅଧିକ ହୋଇ ବାହାରିବ । ଗୁପ୍ତାଙ୍କ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଜଣଙ୍କ ଅତୀତରେ କୌଶଳ ବିକାଶ ତାଲିମ ନାଁରେ ବିପୁଳ ପରିମାଣର ଅର୍ଥ ରୋଜଗାର କରିଛନ୍ତି । ଏବେ ଖଣିରେ ପୁଞ୍ଜି ଖଟାଇଥିବା ଜଣେ ଅଧିକାରୀ ସେତେବେଳେ ତାଲିମ ଦାୟିତ୍ୱରେ ଥିଲେ । ବିଭିନ୍ନ ତାଲିମ ଏପରିକି ଯୁବକଙ୍କୁ ସାଇକେଲ ମରାମତି ନାଁରେ ଗୁପ୍ତା ଭଲ ରୋଜଗାର କରିଥିଲେ ।
ଏବେ ଆଉ ଜଣେ ଅଧିକାରୀଙ୍କୁ ଧରି ରାଜ୍ୟ ସରକାରଙ୍କୁ ପ୍ରାୟ ୧୦ହଜାର ଚାଇନା ମୋବାଇଲ ଯୋଗାଇବା ଚକ୍କରରେ ଅଛନ୍ତି । କିଛି ଅଧିକାରୀ ଚାଇନା ମୋବାଇଲ ସପକ୍ଷରେ ନଥିବାରୁ କୌଣସି ପ୍ରକାରେ ତାହାକୁ ସରକାରଙ୍କ ମୁଣ୍ଡରେ ଲଦି ଭଲ ଦୁଇ ପଇସା କମାଇବାପାଇଁ ଗୁପ୍ତା ବାବୁ ପ୍ରାଣପଣେ ଲାଗିଛନ୍ତି । ଅଳ୍ପ ଦିନର ଚାକିରି କାଳ ମଧ୍ୟରେ ଏହି ଦୁଇ ସରକାରୀ ଅଧିକାରୀ କିଭଳି ଖଣିରେ ଅର୍ଥ ଖଟାଇଲେ ତାହାକୁ ଏବେ ଲୋକସେବା ଭବନରେ ଚର୍ଚ୍ଚା । କିଛି କର୍ମଚାରୀଙ୍କ ମତରେ ଖଣିରେ ପୁଞ୍ଜି ଖଟାଇବା ପୂର୍ବରୁ ଜଣେ ଅଧିକାରୀ କଟକ ଜିଲ୍ଲାରେ ଅଧକୋଟି ଟଙ୍କାର ବେନାମୀ ସମ୍ପତ୍ତି ବି କିଣିଛନ୍ତି । ଯାହାଙ୍କ ନାମରେ ସମ୍ପତ୍ତି ରହିଛି ସେ ଜଣେ ମହିଳା ହୋଇଥିବାରୁ ଏ କଥା ବି ଚର୍ଚ୍ଚାର ବିଷୟ ପାଲଟିଛି । ଖଣିରେ ପୁଞ୍ଜି ଖଟାଇଥିବା ଦୁଇ ଅଧିକାରୀଙ୍କ ସଂକ୍ରାନ୍ତରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏ ସଂକ୍ରାନ୍ତରେ ବାସ୍ତବ୍ୟ ଚିତ୍ର ଲୋକଙ୍କ ଜଣାଇବାପାଇଁ ଗୋଟିଏ ଗୋଷ୍ଠି ବିଭିନ୍ନ ସୂତ୍ରରୁ ସୂଚନା ସଂଗ୍ରହରେ ଲାଗିଛନ୍ତି ।