ଭୁବନେଶ୍ୱର : ରାଜଧାନୀରେ କାର୍ଯ୍ୟରତ ଜଣେ ବରିଷ୍ଠ ଖାକି ବାବୁଙ୍କ ଗୋଡ ଆଉ ତଳେ ଲାଗୁନାହିଁ । ରଙ୍ଗୀନ ମନରେ ସିଏ ଏବେ ସହରସାରା ପ୍ରଜାପତି ଭାବେ ଉଡି ବୁଲୁଛନ୍ତି । ଯାହାକୁ ଦେଖୁଛନ୍ତି କୁରୁଳୁଛନ୍ତି । ଶାୟରୀ ବି ବୋଲୁଛନ୍ତି । ମନ ଆଉ ସରକାରୀ କାମରେ ଲାଗୁନାହିଁ । ଏହା ଦେଖିଲାପରେ ଖାକି ବାବୁଙ୍କ ଏହି ପ୍ରଜାପତି ରଙ୍ଗୀନ ମନ ସଂକ୍ରାନ୍ତରେ ତାଙ୍କର କିଛି ନିକଟତମ ବ୍ୟକ୍ତି ଖୋଳତାଡ କରିଥିଲେ ।
ଏଥିରୁ ଜଣାପଡିଛି ଯେ ବାବୁଙ୍କର ଜଣେ ଅନ୍ତରଙ୍ଗ ବାନ୍ଧବୀ ନିକଟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ବଦଳିହୋଇ ରାଜଧାନୀରେ ଅଛନ୍ତି । ବାବୁ ଯେତେବେଳେ ନକ୍ସଲ ଦମନ ପାଇଁ ସେହି ଜିଲ୍ଲାକୁ ଯାଇଥିଲେ ସେତେବେଳେ ଏହି ମହିଳା ଅଧିକାରୀଙ୍କ ସହିତ ଅତି ଅନ୍ତରଙ୍ଗ ହୋଇଯାଇଥିଲେ । ନକ୍ସଲ ମାରିବା ପାଇଁ ଦୁଇଜଣ ଘଞ୍ଚ ଜଙ୍ଗଲରେ ଅନେକ ଅପରେସନ କରିଥିଲେ । ହେଲେ ବାବୁ ସେଠାରୁ ପ୍ରଥମେ କେନ୍ଦ୍ରୀୟ ଡେପୁଟେସନ୍ ଓ ପରେ ରାଜଧାନୀ ବଦଳିହୋଇ ଆସିବାପରେ ବି ସେ ଦିନର ଜଙ୍ଗଲିଆ ଅନୁଭୂତିକୁ ଭୁଲିପାରି ନଥିଲେ । ମହିଳା ଅଧିକାରୀଙ୍କର ବି ଅନୁରୂପ ଅବସ୍ଥା ହୋଇଥିଲା ।
ଶୁଣାଯାଉଛି ଯେ ବରିଷ୍ଠ ଅଧିକାରୀଙ୍କର ଭଞ୍ଜ ସାହିତ୍ୟ ପ୍ରତି କୁଆଡେ ଅହେତୁକ ଆଗ୍ରହ । ତାଙ୍କର ସାହିତ୍ୟ ପ୍ରୀତି ସହିତ ଖାକି ବାବୁଙ୍କ ପ୍ରୀତି ଭାରି ଜଡିତ । ତେଣୁ ସଂପୃକ୍ତ ମହିଳା ଅଧିକାରୀ କିଭଳି ରାଜଧାନୀକୁ ଆସିବେ ଛଟପଟ ହେଉଥିଲେ । ଏଣେ ନିଜ ଅନ୍ତରଙ୍ଗ ବାନ୍ଧୀବୀଙ୍କୁ ପାଖରେ ପାଇବାପାଇଁ ଖାକି ବାବୁ ଜଣଙ୍କ ତାଙ୍କର ବଦଳି ଲାଗି ସବୁ ସ୍ତରରେ ଉଦ୍ୟମ ଜାରି ରଖିଥିଲେ । ଏହି ମଉକାରେ ବାବୁ ନିଜର ପ୍ରଭାବ ବିସ୍ତାରକରି ବାନ୍ଧବୀଙ୍କୁ ରାଜଧାନୀକୁ ଆଣିବାରେ ସଫଳ ହୋଇଛନ୍ତି ।
ରାଜଧାନୀର ପୁଲିସ୍ ମହଲରେ ଏହି ଖାକି ଯୋଡିକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ସେମାନେ କିନ୍ତୁ କାହାରିକୁ ଖାତିର କରିବା ଅବସ୍ଥାରେ ନାହାନ୍ତି । କେବଳ ସେମାନଙ୍କ ପ୍ରଜାପତି ମନ ବିଷୟରେ ଯେଭଳି ଦୁଇଜଣଙ୍କ ପରିବାର ନଜାଣିବେ ସେଥିପାଇଁ ବେଶ୍ ସର୍ତକତା ଅବଲମ୍ବନ କରୁଛନ୍ତି । ଇତି ମଧ୍ୟରେ ଦୁଇଜଣ କୁଆଡେ ସୋସିଆଲ ମିଡିଆରେ ଚାଟିଂ ପାଇଁ ଅନ୍ୟ ନାମରେ ସିମ୍କାର୍ଡ ଆଣିଥିବା ଜଣାଯାଇଛି । ବାବୁ ଏବେ ଅଫିସରରେ ଖାଲି ଗୁଣୁ ଗୁଣୁ ହୋଇ ଗୀତ ଗାଉଛନ୍ତି – ଆଜି ମତେ ମିଳିଗଲା ମୋ ମନ ମୟୁରୀ….. । ଦେଖାଯାଉ ଆଗକୁ ଏମାନଙ୍କ ପ୍ରଜାପତିଆ କାରବାର ରାଜଧାନୀର କେଉଁ ପାର୍କ କି ହୋଟେଲରେ କେବେ କାହା ନଜରରେ ପଡୁଛି ।