Odia News Portal

ୱାର୍ଡ଼ ଅଫିସରଙ୍କ ନାମରେ ଏତଲା ଦେଲେ ବି.ଏମ୍‌.ସି କର୍ତୃପକ୍ଷ

ନିଲମ୍ବିତ ହେଲେ ଆଉ ଜଣେ ୱାର୍ଡ ଅଫିସର, ବ୍ୟବସାୟିକ ପ୍ରତିଷ୍ଠାନକୁ କଡା ନଜର

ଭୁବନେଶ୍ୱର : ନିଜ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ତୃଟି ବିଚ୍ୟୁତି ପାଇଁ ଆଜି ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ ୱାର୍ଡ଼ ଅଫିସର ମାନସ କୁମାର ପ୍ରଧାନଙ୍କ ନାମରେ ଏତଲା ଦେଇଛନ୍ତି । ମଂଚେଶ୍ୱର ପୋଲିସ୍ ଥାନାରେ ଏହି ଏତଲା ଦିଆଯାଇଛି । ସମ୍ପୃକ୍ତ ୱାର୍ଡ଼ ଅଧିକାରୀଙ୍କର କାର୍ଯ୍ୟକଳାପକୁ ଗତ ସେପ୍ଟେମ୍ବର-୨୦୧୯ ଠାରୁ ଲକ୍ଷ୍ୟ ରଖି କର୍ତୃପକ୍ଷ ଏପରି ନିଷ୍ପତି ନେଇଛନ୍ତି । ସୂଚନାଯୋଗ୍ୟ କି, ମାନସ କୁମାର ପ୍ରଧାନ ୱାର୍ଡ଼ ନଂ-୫ ରେ ୱାର୍ଡ଼ ଅଫିସର ଭାବେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ପ୍ରଦତ ଠିକଣା ଅନୁସାରେ ସେ ବରମୁଣ୍ଡା ଜଗନ୍ନାଥ ବିହାର ୧୨ ନଂ ଲେନ୍‌ର ୩୩୮ ନମ୍ବର ପ୍ଲଟ୍‌ରେ ରହୁଥିଲେ । ବ୍ୟବସ୍ଥିତ ଭାବେ ତାଙ୍କୁ ୱାର୍ଡ଼ ନଂ-୫ ରୁ ଦକ୍ଷିଣ-ପୂର୍ବ ଜୋନ୍‌ର ୱାର୍ଡ଼ ନଂ-୨୭ କୁ ବଦଳି କରାଯାଇଥିଲା । ତେଣୁ ବଦଳି ଆଦେଶ ସଂଖ୍ୟା-୧୮୮୬ ତା ୦୪.୦୯.୨୦୧୯ ରିଖ ଅନୁସାରେ ତାଙ୍କୁ ପୂର୍ବ ୱାର୍ଡ଼ ନଂ-୫ ରୁ ରିଲିଭ୍ କରାଯିବାପାଇଁ ତାଙ୍କ ଦାୟିତ୍ୱରେ ଥିବା ନଥିପତ୍ର ଏବଂ ଅଗ୍ରୀମ ଟଙ୍କା ଇତ୍ୟାଦିକୁ ହସ୍ତାନ୍ତର କରିବା ପାଇଁ କୁହାଯାଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ତାହାକୁ ହସ୍ତାନ୍ତର ନକରି ନିଜେ କାର୍ଯ୍ୟାଳୟକୁ ନଆସିବା ବାଚିକ ଏବଂ ଲିଖିତ ଆଦେଶକୁ କୌଣସି ଭାବେ ଗ୍ରହଣ ନକରିବା ତଥା ନିଜେ ଆସି କର୍ତୃପକ୍ଷଙ୍କୁ ସାକ୍ଷାତ ନକରିବା ପ୍ରଭୃତି ଅଣ ପେଶାଦାର ଆଚରଣ କର୍ତୃପକ୍ଷଙ୍କୁ ସନ୍ଦେହରେ ପକାଇଛି ।

 

ଏଥି ନିମନ୍ତେ କମିଶନର ପ୍ରେମଚନ୍ଦ୍ର ଚୋøଧରୀଙ୍କ ଆଦେଶ କ୍ରମେ ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବୈଠକ ବସାଯାଇ ପରିସ୍ଥିତିର ତର୍ଜମା କରାଯାଇଥିଲା । ଉପରୋକ୍ତ ପୂର୍ବତନ ୱାର୍ଡ଼ ଅଫିସର ଫନି ସହାୟତା ଅଗ୍ରୀମ ଟଙ୍କା, ନୂଆ ୱାର୍ଡ଼ କାର୍ଯ୍ୟାଳୟ ପାଇଁ ଅଗ୍ରୀମ ଟଙ୍କା, ଆବଶ୍ୟକୀୟ ନଥିପତ୍ର ଯଥା-ଡ଼େଲି କଲେକ୍ସନ୍ ରେଜିଷ୍ଟର, ଡ଼ିମାଣ୍ଡ କଲେକ୍ସନ୍ ବାଲାନ୍ସ, ଆସେସ୍‌ମେଂଟ ରେଜିଷ୍ଟର, ଫାଇଲ୍‌, ୱାର୍ଡ଼ ନଂ-୫ ର ମନି ରିସପ୍ଟ ଇତ୍ୟାଦି ଦାଖଲ କରିନଥିବା କହିଥିଲେ ଜୋନାଲ୍ ଡ଼େପୁଟି କମିଶନର (ଉତର ଜୋନ୍‌) ପ୍ରମୋଦ କୁମାର ପୃଷ୍ଟି ।
ଏପରି ପରିସ୍ଥିତିରେ ୱାର୍ଡ଼ ନଂ-୫ ର ଅନେକ ରାଜସ୍ୱ ଜନିତ କାରବାରରେ ଜଟିଳତା ସୃଷ୍ଟିହେବା ଏବଂ ଅନେକ କ୍ଷେତ୍ରରେ ଏହା ଅଚଳ ହେବା ଦେଖାଦେଇଛି । ଏପରିକି ସେ ବିଭିନ୍ନ ନଥିପତ୍ର ନଫେରାଇବାରୁ ଅନ୍ ଲାଇନ୍ କାରବାରକୁ ଅପ୍‌ଡ଼େଟ୍ କରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି । ସେ ପ୍ରାୟ ଏକ ଲକ୍ଷ ସାତ ହଜାର ଟଙ୍କା ଅଗ୍ରୀମ ନେଇଥିବାର ଜଣାପଡ଼ିଛି । ଏପରି ପରିସ୍ଥିତିରେ ତାଙ୍କ ପାଖକୁ ଦିଆଯାଇଥିବା କାର୍ଯ୍ୟାଳୟ ଆଦେଶର କୌଣସି ପ୍ରକାର ଉତର ନମିଳିବାରୁ ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍‌ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଏତଲା ଦେଇଛନ୍ତି ଜୋନାଲ୍ ଡ଼େପୁଟି କମିଶନର (ଉତର ଜୋନ୍‌) ପ୍ରମୋଦ କୁମାର ପୃଷ୍ଟି ।

 

ଅଭିଯୁକ୍ତଙ୍କୁ ଠାବ କଲାମାତ୍ରେ ତାଙ୍କୁ ଗିରଫ କରିବାକୁ ଏତଲାରେ ଉଲ୍ଲେଖ କରାଯାଇଛି । ଜାଣିଶୁଣି ୱାର୍ଡ଼ ନଂ-୫ ରେ ଏପରି ଅଭାବ ଘଟାଇଥିବା ପରିସ୍ଥିତିରେ ସୁଧାର ଆଣିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି କର୍ତୃପକ୍ଷ । ଆଜି କମିଶନରଙ୍କର ଅଧ୍ୟକ୍ଷତାରେ ରାଜସ୍ୱ ଆଦାୟକୁ ନେଇ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ସଂପୃକ୍ତ କର୍ମଚାରୀ ମାନଙ୍କର କାର୍ଯ୍ୟକାରୀତା ବାବଦରେ ବିଷଦ ଆଲୋଚନା କରାଯାଇଥିଲା । ଜାଣିଶୁଣି ରାଜସ୍ୱ ଆଦାୟରେ କାର୍ଯ୍ୟରେ ଅନିୟମିତ ଆଚରଣ ପ୍ରମାଣିତ ହେବାରୁ ୫୧ ୱାର୍ଡ ର ୱାର୍ଡ ଅଫିସର୍ ଇଶ୍ୱର ସ୍ୱାଇଁ ଙ୍କୁ ନିଲମ୍ବିତ କରାଯାଇଛି । ଉକ୍ତ ବୌଠକର ନିଷ୍ପତି ଅନୁସାରେ ହୋଲ୍ଡିଂ ଟାକ୍ସ ଦେଉନଥିବା ବୃହତ୍ ବ୍ୟବସାୟିକ ପ୍ରତିଷ୍ଠାନ ଯାହାକି, ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳଳୟ, ହୋଟେଲ୍ ଇତ୍ୟାଦିଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ସଂପୃକ୍ତ ଜୋନନାଲ୍ ଡେପୁଟି କମିଶନର୍‌ମାନେ ରିପୋର୍ଟ କରି ହୋଲ୍ଡିଂ ଟାକ୍ସ ଦେଉନଥିବା ଅନୁଷ୍ଠାନ ଗୁଡିକର ଜଳ ଏବଂ ବିଦ୍ୟୁତ୍ ସଂଯୋଗ ଚ୍ଛିନ୍ନ କରିବା ପାଇଁ ୱାଟ୍‌କୋ ଏବଂ ସେସୁକୁ କହିବେ । ଏପରିକି ଖିଲାପକାରୀ ଙ୍କ ବିରୁଦ୍ଧରେ ଓଡିଶା ପବ୍ଲିକ୍ ଡିମାଣ୍ଡ ରିକଭରି ଆକ୍ଟ ୧୯୬୨ କୁ ଭିତିକରି ବି ଏମ୍ ସି ସଂପୃକ୍ତ ଜୋନ୍‌ରେ ଖିଲାପକାରୀ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ବନ୍ଦ କରିବ ।