ଭୁବନେଶ୍ବର : ଆଜିଠୁ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ହଜାରେ ୯୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ । କଳାରେ ୨ ଲକ୍ଷ ୩୫ ହଜାର ୧୮୩, ବିଜ୍ଞାନରେ ୯୯ ହଜାର ୧୮, ବାଣିଜ୍ୟରେ ୨୭ ହଜାର ୨୭୮ ଏବଂ ଭୋକେସନାଲରେ ୮ ହଜାର ୫୮ ଜଣ ପରୀକ୍ଷାର୍ଥୀ ରହିଛନ୍ତି । କଡା ସୁରକ୍ଷା ମଧ୍ୟରେ ୧ହଜାର୨୦୨ଟି ହବ୍ରେ ରଖାଯାଇଥିଲା ପ୍ରଶ୍ନପତ୍ର । ପ୍ରଥମେ ୧୦୯୧ଟି ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ ପରେ ଏହାକୁ ୧୦୯୩କୁ ବୃଦ୍ଧି କରାଯାଇଥିଲା । ଅଧିକାଂଶ କେନ୍ଦ୍ରରେ ଲାଗିଛି ସିସିଟିଭି । ଏଥର ପରୀକ୍ଷାର୍ଥୀଙ୍କ ପାଇଁ କିଛି ନୂଆ କଟକଣା କରାଯାଇଛି । ପରୀକ୍ଷା ହଲ୍କୁ ଘଣ୍ଟା କି ମୋବାଇଲ୍ ନେଇପାରିବେନି ପରୀକ୍ଷାର୍ଥୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି କଡା ପଦକ୍ଷେପ ଗ୍ରହଣ କରିଛି । ମାଟ୍ରକ୍ ପରୀକ୍ଷା ଭଳି ବିଭ୍ରାଟ ଯେଭଳି ଯୁକ୍ତ ୨ ରେ ରିପିଟ୍ ନହେବ ସେଥିପାଇଁ ସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧଘଣ୍ଟା ଆଗରୁ ପରୀକ୍ଷାକେନ୍ଦ୍ରରେ ପରୀକ୍ଷାର୍ଥୀ ପ୍ରବେଶ କରିବାକୁ କୁହାଯାଇଛି । ଦୁଇଟି ପଯ୍ୟାୟରେ ଯାଞ୍ଚ୍ କରାଯିବ । ବ୍ଲାକ୍ ବଲ୍ ପଏଣ୍ଟ ପେନରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶ୍ନପତ୍ର ବଣ୍ଟାଯିବା ପରେ ବଳକା ପ୍ରଶ୍ନକୁ ସଙ୍ଗେ ସଙ୍ଗେ ସିଲ୍ କରାଯିବ । ଭାଇରାଲ୍ ରୋକିବା ପାଇଁ ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀ ରୋଲ୍ ନମ୍ବର ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ରୋଲ୍ ନମ୍ବର ବ୍ୟତୀତ ଯେଉଁମାନେ ପ୍ରଶ୍ନପତ୍ରରେ କିଛି ଲେଖିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।