ହୋମଗାର୍ଡଙ୍କ ପାଇଁ ଖୁସି ଖବର । ବଢିବ ଦରମା । ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତିନି ମାସ ମଧ୍ୟରେ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ହୋମଗାର୍ଡଙ୍କୁ ଦରମା ଦେବାକୁ କହିଛନ୍ତି ହାଇକୋର୍ଟ । ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡଙ୍କୁ ଦୈନିକ ୫ ଶହ ଟଙ୍କା ଲେଖାଏଁ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ ।
ଏହାକୁ ଜାନୁଆରୀରୁ ପିଛିଲା ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ରହିଛି । ୨୦୧୫ରେ ହୋମଗାର୍ଡଙ୍କ ଦରମା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି ହାଇକୋର୍ଟ। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ୮ଟି ରାଜ୍ୟ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଓଡିଶାରେ ତାହା କାର୍ଯ୍ୟକାରୀ ହୋଇନଥିଲା। ପୋଲିସ ବିଭାଗର ସର୍ବନିମ୍ନ ଦରମା ସହ ହୋମଗାର୍ଡଙ୍କ ଦରମା ସମାନ ହେବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଥିଲା। ଅନ୍ୟପଟରେ ୨୦୧୯ରେ ରାଜ୍ୟ ହୋମଗାର୍ଡ ଡିଜି ସର୍ବନିମ୍ନ ଦରମା ଦେବାକୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । କିନ୍ତୁ ତାହା ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନଥିଲା। ଏହାକୁ ଏକ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।