ଭୁବନେଶ୍ୱର : ବର୍ତମାନ ଆଗ୍ରହୀ ବ୍ୟବସାୟୀମାନେ ଅନ୍ଲାଇନ୍ ବ୍ୟବସ୍ଥାରେ ଟ୍ରେଡ଼୍ ଲାଇସେନ୍ସ ପାଇପାରିବେ । ହୋଲ୍ଡିଂ ଟ୍ୟାକ୍ସ ଦେବାଭଳି ଜଣେ ବ୍ୟକ୍ତି ଭୁବନେଶ୍ୱର ଡ଼ଟ୍ମି କୁ ଯାଇ ନିଜର ଟ୍ରେଡ଼୍ ଲାଇସେନ୍ସ କରିପାରିବେ । ଏହା ଖୁବ୍ ସହଜିଆ ଯାହାକି ଭୁବନେଶ୍ୱର ଡ଼ଟ୍ମି ଉପରେ କ୍ଲିକ୍ କରି ସିଟିଜେନ୍ ସର୍ଭିସ୍, ଟ୍ରେଡ଼୍ ଲାଇସେନ୍ସ, ଆପ୍ଲାଏ ଟ୍ରେଡ଼୍ ଲାଇସେନ୍ସ, ଲଗ୍ ଇନ୍ ଆଜ୍ ଗେଷ୍ଟ୍, ଆପ୍ଲିକେସନ୍ ଫର୍ମ ଇତ୍ୟାଦି ପାହାଚ ଦେଇ ଅନ୍ଲାଇନ୍ରେ ଆସିଥିବା ଟ୍ରେଡ଼୍ ଲାଇସେନ୍ସ ଦରଖାସ୍ତର ସମସ୍ତ ବିବରଣୀ ଦେଇ ଆବେଦନ କରିହୁଏ । ଏପରିକି, ଜଣେ ନିଜର ଆନ୍ଡ଼୍ରଏଡ଼୍ ମୋବାଇଲ୍ରେ ମଧ୍ୟ ଏହା କରିପାରିବେ ।
ଏହି ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍ । ସମୁଦାୟ ୬୭ ଜଣ ୱାର୍ଡ଼ ଅଫିସର ଏବଂ ୧୪ ଜଣ ମିସ୍ ସରକାରଙ୍କୁ ତିନୋଟି ବ୍ୟାଚ୍ରେ ଏହି ପ୍ରଶିକ୍ଷଣ ଦିଆଯାଇଅଛି । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ ଦ୍ୱାରା ପ୍ରସ୍ତୁତ ଉକ୍ତ ପ୍ରଶିକ୍ଷଣର ଅନ୍ ଲାଇନ୍ ମଡ଼୍ୟୁଲ୍ ଦେଖାଇ ପ୍ରଶିକ୍ଷଣ ଦିଆଯାଇଥିଲା । କ୍ରମାଗତ ଭାବେ ନିଜ ନିଜ ଜୋନ୍ ର କର୍ମଚାରୀମାନେ ନେଉଥିବା ଉକ୍ତ ପ୍ରଶିକ୍ଷଣ ସମୟରେ ଜୋନାଲ୍ ଡ଼େପୁଟି କମିଶନର (ସାଉଥ୍ ଇଷ୍ଟ୍) ଅଂଶୁମାନ ରଥ, ଜୋନାଲ୍ ଡ଼େପୁଟି କମିଶନର (ସାଉଥ୍ ୱେଷ୍ଟ୍) ରବିନାରାୟଣ ଜେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର (ନର୍ଥ ଜୋନ୍) ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ଥିଲେ ।
ପ୍ରସ୍ତୁତ ମଡ଼୍ୟୁଲ୍ ଅନୁସାରେ ଅନ୍ ଲାଇନ୍ ପ୍ରକ୍ରିୟାରେ ଟ୍ରେଡ଼୍ ଲାଇସେନ୍ସ ପାଇବା ପାଇଁ ସମୁଦାୟ ୧୫ ଦିନର ଅବଧି ରଖାଯାଇଛି । ଜଣେ ବ୍ୟବସାୟୀ ଅନ୍ ଲାଇନ୍ରେ ବିଭିନ୍ନ ସେପାନକୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ଦେଇ ଆବେଦନ କରିବା ପରେ ଏହାର ବାର୍ତା ସମ୍ପୃକ୍ତ ୱାର୍ଡ଼ ଅଫିସରଙ୍କ ପାଖକୁ ଚାଲିଯାଇଥାଏ । ୱାର୍ଡ଼ ଅଫିସର ଦୁଇ ଦିନ ମଧ୍ୟରେ ନିଜର ମତାମତ ସମ୍ପୃକ୍ତ ମିସ୍ ସରକାରଙ୍କୁ ଦେଇ କ୍ଷେତ୍ର ପରିଦର୍ଶନ ପାଇଁ କହିଥାନ୍ତି । କ୍ଷେତ୍ର ପରିଦର୍ଶନ ସମ୍ପୂର୍ଣ୍ଣ ହେବାପରେ ତିନି ଦିନ ମଧ୍ୟରେ ୱାର୍ଡ଼ ସୁପରଭାଇଜର ଉକ୍ତ ଅନ୍ ଲାଇନ୍ ଦରଖାସ୍ତକୁ ଅବଗତ କରାଇବେ । ଅବଗତ କରାଇବାର ତିନି ଦିନ ମଧ୍ୟରେ ଜୋନାଲ୍ ଡ଼େପୁଟି କମିଶନର ଆବେଦନକୁ ସୁପାରିଶ କରିବେ ଏବଂ ଆବେଦନକାରୀଙ୍କୁ ଟ୍ରେଡ଼୍ ଲାଇସେନ୍ସ ମିଳିବ । ଯଦି ଆବେଦନକାରୀଙ୍କର ଆବେଦନରେ କିଛି ତୃଟି ଥାଏ ତେବେ ଏହା ସଂଶୋଧନ କରି ବା ପୂରଣ କରି ଆବେଦନ କରିବା ପାଇଁ ୱାର୍ଡ଼ ଅଫିସର ଅନ୍ ଲାଇନ୍ରେ ଜଣାଇବେ । କିନ୍ତୁ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଠିକ୍ ଥାଇ ଯଦି ସମ୍ପୃକ୍ତ କର୍ମଚାରୀ ବା ଅଧିକାରୀ ଅନ୍ ଲାଇନ୍ ଆବେଦନର ଜବାବ ନଦିଅନ୍ତି ତେବେ ଆବେଦନକାରୀଙ୍କ ପାଇଁ ଅନ୍ ଲାଇନ୍ ସାର୍ଟିଫିକେଟ୍ ଆପେ ପୟସ୍ତୁତ ହୋଇଯିବାର ବ୍ୟବସ୍ଥା ରହିଛି ।
ତେଣୁ ଟ୍ରେଡ଼୍ ଲାଇସେନ୍ସକୁ ଏକ ସ୍ୱଚ୍ଛ ପ୍ରକ୍ରିୟା ଭାବେ ନାଗରିକ ଅଭିମୁଖି କରାଯାଇଛି । ସୂଚନାଯୋଗ୍ୟ କି, ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନ୍ ୨୦୦୩ ଅନୁସାରେ ବି.ଏମ୍.ସି ସୀମା ମଧ୍ୟରେ ବ୍ୟବସାୟ କରୁଥିବା ପ୍ରତ୍ୟେକ ବ୍ୟବସାୟୀ ନିଜ ନିଜର ଟ୍ରେଡ଼୍ ଲାଇସେନ୍ସ କରାଇ ନେବାର କୁହାଯାଇଛି । ପୂର୍ବରୁ ଟ୍ରେଡ଼୍ ଲାଇସେନ୍ସ ଅଫ୍ ଲାଇନ୍ରେ କରାଯାଉଥିଲା ଯେଉଥିପାଇଁ ଅଧିକ ସମୟ ଲାଗୁଥିଲା । ବର୍ତମାନ ଅନ୍ ଲାଇନ୍ ସୁବିଧା ଦ୍ୱାରା କମ୍ ସମୟରେ ଅଧିକ ସଂଖ୍ୟକ ଟ୍ରେଡ଼୍ ଲାଇସେନ୍ସ କରାଯାଇପାରିବ ଏବଂ ଏହାର ବିବରଣୀ ଉଭୟ ଆବେଦନକାରୀ ଓ ବି.ଏମ୍.ସି ପାଇଁ ଉନ୍ମୁକ୍ତ ରହିବ । କୌଣସି ପ୍ରକାର ତୃଟି ବିଚ୍ୟୁତିର ସମାଧାନ ଶୀଘ୍ର ହୋଇପାରିବ ।
