ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଚନ୍ଦକାରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିବା ବେଳ ପୁଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ବୁଧବାର ଅପରାହ୍ଣରେ ଚନ୍ଦକାରେ ଥିବା ଜଙ୍ଗଲ ଭ୍ୟୁ ରେଷ୍ଟୁରାଂଟକୁ ୩ଜଣ ଯୁବକ ଆସିଥିଲେ । ସେତେବେଳେ ହୋଟେଲ ବନ୍ଦ ହେଉଥିଲା । ସେମାନେ ହୋଟେଲ କର୍ମଚାରୀଙ୍କୁ ଖାଇବାକୁ ମାଗିଥିଲେ । ହୋଟେଲ ବନ୍ଦ ହେଉଥିବାରୁ ଖାଇବାକୁ ଦେବାକୁ ମନା କରିଥିଲେ । ଏହାକୁ ନେଇ ସେଠାରେ ସେମାନେ ପାଟିତୁଣ୍ଡ କରିବା ସହ ମାଲିକଙ୍କୁ ଧମକଚମକ ଦେଇ ପଳାଇଯାଇଥିଲେ ।
ଏହାର କିଛି ସମୟ ପରେ ସେମାନେ ପୁଣି ଥରେ ସେଠାରେ ପହଂଚି ମାଲିକଙ୍କୁ ଗାଳିଗୁଲଜ କରିବା ସହ ଅନ୍ଧାଧୂନିଆ ୩ ରାଉଣ୍ଡ ଗୁଳିମାଡ କରିଥିଲେ । ଗୁଳିମାଡରେ ଜଣେ ଗ୍ରାହକ ଆହତ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରୁଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି ।
