Odia News Portal

କୁଳପତିମାନଙ୍କୁ ନେଇ ସମୀକ୍ଷା, NAAC ରେଟିଂ ଏବଂ NIRF ର଼୍ୟାଙ୍କିଙ୍ଗ୍ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ

ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକର କୁଳପତିମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କର ସମୀକ୍ଷା ବୈଠକ ଆଜି  ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏ ଅବସରରେ  ପ୍ରଫେସର, ଅଧ୍ୟାପକ, ଶିକ୍ଷକ ନିଯୁକ୍ତିରେ ସ୍ୱଚ୍ଛତା ରଖିବା ପାଇଁ ପରାମର୍ଶ ଦେବା ସହ ଗବେଷଣା, ଅନୁସନ୍ଧାନ ଏବଂ ପ୍ରକାଶନ ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାକୁ କହିଥିଲେ । ସେହିପରି  କ୍ୟାମ୍ପସରେ ଅନୁଶାସନ ରକ୍ଷା କରିବା, କ୍ୟାମ୍ପସରେ ବାହାର ଲୋକଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାନଯିବା,  ଅଣ-ଛାତ୍ର ଏବଂ ଅନଧିକୃତ ବ୍ୟକ୍ତିଙ୍କ ଠାରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ମୁକ୍ତ ରଖିବା,  ଫଳାଫଳ ପ୍ରକାଶନ ସହିତ ବିଶ୍ୱବିଦ୍ୟାଳୟ ପରୀକ୍ଷା ଠିକ୍ ସମୟରେ କରାଯିବା ଉପରେ ମୁଖ୍ୟମନ୍ତ୍ରୀ କୁଳପତି ମାନଙ୍କୁ ଗୁରୁତ୍ୱ ଆରୋପ କରିଥିଲେ ।

ଆସନ୍ତା ଶିକ୍ଷାବର୍ଷରୁ କୌଣସି  ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କୁଳପତିମାନଙ୍କୁ ଶୁଣାଇ ଦେଇଥିବା ବେଳେ  ଅନୁବନ୍ଧିତ କଲେଜଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରାଇବା,କୁଳପତି, ବରିଷ୍ଠ ଅଧିକାରୀ ଏବଂ ଅଧ୍ୟାପିକାମାନେ ସମୟ ସମୟରେ ଅନୁବନ୍ଧିତ କଲେଜଗୁଡ଼ିକୁ ଆକସ୍ମିକ ପରିଦର୍ଶନ କରିବା  ଓ  ଆଗାମୀ NAAC ରେଟିଂ ଏବଂ NIRF ର଼୍ୟାଙ୍କିଙ୍ଗ୍ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।  ସମସ୍ତ ବିଶ୍ୱବିଦ୍ୟାଳୟ ପରିସର ଭିତରେ ଅଧିକ ସମୟ ଛାତ୍ରମାନଙ୍କ ସହିତ କଥାବାର୍ତ୍ତା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ପାଣ୍ଠିର କୌଣସି  ପ୍ରତିବନ୍ଧକ ରହିବ ନାହିଁ  ବୋଲି କହିବା ସହ   ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ଉପାୟରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସମର୍ଥନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।  ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଶୀଘ୍ର ସଫଳତା ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ  ! ଏହି ବୈଠକରେ ଉଚ୍ଚଶିକ୍ଷା ଓ କୃଷି କୃଷକ କଲ୍ୟାଣ ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।