Odia News Portal

ଆସନ୍ତୁ ଜାଣିବା, ବିଜେଡି ଟିକେଟ କିଏ ପାଇଲେ

ଭୁବନେଶ୍ବର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ପ୍ରତିଶୃତି ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟର ୯ଟି ଲୋକସଭା ଆସନ ମଧ୍ୟରୁ ୩ଟି ଆସନରେ ଅର୍ଥାତ ୩୩ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଦେଇଛନ୍ତି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୮ଟି ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛନ୍ତି ।

ସୁନ୍ଦରଗଡ ଲୋକସଭା ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କୋରାପୁଟ ପାଇଁ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକା ଏବଂ ଆସିକା ଲୋକସଭା ପାଇଁ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରାଯାଇଛି । ମହିଳା ଓ ସ୍ବୟଂ ସହାୟିକା ଗୋଷ୍ଠିକୁ ସମ୍ମାନ ଜଣାଇ ଜଣେ ଜଣେ ଶୁଣା ମହିଳା ସ୍ବୟଂ ସହାୟିକା ଗୋଷ୍ଠିର ଉଦ୍ୟୋଗୀ ଭାବେ ପ୍ରମିଳାଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କଳାହାଣ୍ଡିରୁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବ୍ରହ୍ମପୁରରୁ ପୂର୍ବତନ ମନ୍ତ୍ରୀ ଚେନ୍ଦ୍ର ଶେଖର ସାହୁ, କନ୍ଧମାଳରୁ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବଲାଙ୍ଗିରରୁ କଳିକେଶ ନାରାୟଣ ସିଂହଦେଓ, ନବରଙ୍ଗପୁରର ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଏବଂ ବରଗଡ ଲୋକସଭା ଆସନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି ଘୋଷଣା ହୋଇଥିବା ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟର ୯ଟି ଲୋକସଭା ଆସନ ମଧ୍ୟରୁ ୮ଟିରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି ।

ନବରଙ୍ଗପୁରର ବିଜେଡି ସାଂସଦ ଥିବା ଇଂଜିନିୟର ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେହିଭଳି କୋରାପୁଟ ସାଂସଦ ଝିନ୍ନ ହିକକାଙ୍କୁ ପ୍ରାର୍ଥୀ କରାନଯାଇ ତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଯାଇଛି । କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ମଧ୍ୟ ନବୀନ ପ୍ରାର୍ଥୀ କରିନାହାଁନ୍ତି । ବ୍ରହ୍ମପୁର ସାଂସଦ ସିଧାନ୍ତ ମହାପାତ୍ରଙ୍କୁ ମଧ୍ୟ ତୃତୀୟ ଥର ପାଇଁ ପ୍ରାର୍ଥୀ କରିନାହାଁନ୍ତି ନବୀନ । କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓଙ୍କୁ ମଧ୍ୟ ଏଥର ପ୍ରାର୍ଥୀ କରାଯାଇନି । ବରଗଡ ସାଂସଦ ପ୍ରଭାସ କୁମାର ସିଂହଙ୍କୁ ମଧ୍ୟ ଟିକେଟ ନଦେଇ ତାଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି ।