Odia News Portal

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

ଧର୍ମଶାଳା : ଆଜି ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଗତ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଓ ଟେଷ୍ଟ ସିରିଜ୍‌ ପରାଜୟକୁ ଭୁଲି କୋହଲିବାହିନୀ ଘରୋଇ ପରିବେଶରେ ନୂଆ ଆରମ୍ଭ କରିବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି । ଦଳ ପୁଣି ପୂର୍ବ ଫର୍ମ ଫେରି ପାଇବା ଲକ୍ଷ୍ୟରେ ରହିଛି । କିନ୍ତୁ ‘କରୋନା’ ଭାଇରସ ପ୍ରଭାବ ଓ ବର୍ଷା ସମ୍ଭାବନା ଉଭୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପେସ୍‌ ବୋଲର ଭୁବନେଶ୍ୱର କୁମାର ଓ ଓପନର ଶିଖର ଧାୱନଙ୍କ ପ୍ରତ୍ୟାବର୍ତ୍ତନ ଘରୋଇ ଶିବିରକୁ ଦୃଢ଼ କରିଛି । ଅନ୍ୟ ପଟରେ ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଘରୋଇ ଦଳକୁ ଧୂଳି ଚଟାଇବାକୁ ପ୍ରସ୍ତୁତ । ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି ।

କୋହଲିବାହିନୀଙ୍କ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ ଦୁଃସ୍ୱପ୍ନ ସଦୃଶ ରହିଥିଲା । ଦଳ ୩-୦ରେ ଦିନିକିଆ ଓ ୨-୦ରେ ଟେଷ୍ଟ (ଟେଷ୍ଟ ଚାମ୍ପିଅନସିପ୍‌ ଅନ୍ତର୍ଗତ) ସିରିଜ୍‌ ହାରିଥିଲା । ଆହତ ସମସ୍ୟା ଦଳ ପରାଜୟର ଅନ୍ୟତମ କାରଣ ହୋଇଥିଲା । କିନ୍ତୁ ଘରୋଇ ପରିବେଶ ଓ ଅଭିଜ୍ଞ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଦୃଢ଼ କରିଛି । ଗତବର୍ଷ ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ୩ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳିଥିଲା । ସିରିଜ୍‌ ୧-୧ରେ ଡ୍ର’ ରହିଥିଲା । ଧର୍ମଶାଳାରେ ଖେଳାଯିବାକୁ ଥିବା ସିରିଜ୍‌ର ପ୍ରଥମ ଟି-ଟ୍ୱେଣ୍ଟିକୁ ବର୍ଷା ଧୋଇ ନେଇଥିଲା । ଏହାପରେ ଉଭୟ ଦଳ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇ ଥିବାବେଳେ ଭାରତ ମୂଳପୋଛ କରିଥିଲା । ଏହି ପ୍ରଦର୍ଶନ ଦଳୀୟ ଖେଳାଳିମାନଙ୍କ ମନୋବଳ ଦୃଢ଼ କରିବ। ଅନ୍ୟ ପଟରେ ଯୁବ ଖେଳାଳିଙ୍କ ଭରପୁର ଦକ୍ଷିଣ ଆଫ୍ରିକା ଦଳ ସଫଳ ପ୍ରଦର୍ଶନ ନେଇ ଆଶାବାଦୀ ରହିଛନ୍ତି । ପୂର୍ବତନ ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ମଜବୁତ୍‌ କରିଛି ।

ପାଣ୍ଡ୍ୟା, ଧାୱନଙ୍କ ଉପରେ ନଜର: ପ୍ରଥମ ଦିନିକିଆ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା କୋହଲିଙ୍କ ପାଇଁ ଚିନ୍ତାଜନକ ରହିଛି । ଦଳକୁ ଫେରିଥିବା ଅଭିଜ୍ଞ ଧାୱନ ଯୁବ ଓପନର ପୃଥ୍ୱୀଙ୍କ ସହ ପାଳି ଆରମ୍ଭ କରିବେ । ସେ କାନ୍ଧ ଆହତ ସମସ୍ୟା ପାଇଁ ନ୍ୟୁଜିଲାଣ୍ଡ ଗସ୍ତରୁ ଓହରି ଯାଇଥିଲେ । ସଦ୍ୟଶେଷ ଡିୱାଇ ପାଟିଲ ଟି-ଟ୍ୱେଣ୍ଟିରେ ଫିଟ୍‌ନେସ୍‌ ପରୀକ୍ଷା ଦେବା ପରେ ଧାୱନ ଦଳକୁ ଫେରିଥିଲେ । ସେହିପରି ମଧ୍ୟ ଭାଗରେ ମନୀଷ ପାଣ୍ଡେଙ୍କ ସ୍ଥାନରେ ଅଲରାଉଣ୍ଡର ପାଣ୍ଡ୍ୟା ଖେଳିବା ଏକ ପ୍ରକାର ନିଶ୍ଚିତ । ସେ ପିଠିରେ ସଫଳ ଅସ୍ତ୍ରୋପଚାର କରାଇବାର ଦୀର୍ଘ ୬ମାସ ପରେ ଦଳକୁ ଫେରିଛନ୍ତି। ଡିୱାଇ ପାଟିଲ ଟି-ଟ୍ୱେଣ୍ଟିରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ସେ ୨ଟି ବିସ୍ଫୋରକ ଶତକ ହାସଲ କରିଥିଲେ । ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ଦଳର ଚତୁର୍ଥ ପେସ୍‌ ବୋଲର ଦାୟିତ୍ୱ ତୁଲାଇବେ ।