ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ କରୋନା ପାଇଁ ମାତ୍ର ତିନିଦିନ ବସିଥିବାବେଳେ ଗୃହ ଭିତରେ ସରକାରଙ୍କୁ ସରକାରୀଦଳ ବିଧାୟକଙ୍କ ସୁରକ୍ଷା ଦେବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହୋଇଛି । ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦରି ଅର୍ଥ ରଖିବା ପ୍ରସଙ୍ଗରେ ଆସିଥିବା ମୁଲତବି ଆଲୋଚନାବେଳେ ବିରୋଧିଦଳ ସଦସ୍ୟମାନେ ସରକାର ବିଶେଷକରି ସରକାରେ ଥିବା ଅଧିକାରୀଙ୍କ ନାଁ ନେଇ କଡା ସମଲୋଚନା କରୁଥିବାବେଳେ ଏହାକୁ ଶାସକଦଳରୁ ଯେଭଳି ପ୍ରତିରୋଧ ହେବାକଥା ତାହା ହେଲାନାହିଁ । ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ବ୍ୟତିତ ଅନ୍ୟ କେହିହେଲେ ଜଣେ ଏହାକୁ ନଅଟକାଇବା ଏବେ ସମସ୍ତଙ୍କୁ ବିସ୍ମିତ କରିଛି । ବିଧାନସଭା ଭିତରେ କୌଣସି ପ୍ରସଙ୍ଗରେ ଯେତେବେଳେ ବିରୋଧିଦଳ ସରକାରଙ୍କୁ ଆକ୍ରମଣ କରିଥାଏ ସାଧାରଣତଃ ସେତେବେଳେ ଶାସକଦଳର ସଦସ୍ୟମାନେ ଏକଜୁଟ ହୋଇ ଏହାର ବିରୋଧ କରିଥାନ୍ତି ।
ହେଲେ ୟେସ୍ ବ୍ୟାଙ୍କ୍ ପ୍ରସଙ୍ଗରେ ଏହା ଦେଖିବାକୁ ମିଳିଳା ନାହିଁ । ବିରୋଧିଦଳର ମୁଖ୍ୟ ସଚେତକ ମୋହନ ମାଝି ଓ ବି୩⁄୪ୁ ସେଠୀ ପ୍ରମୁଖ ସରକାରଙ୍କୁ କଡା ସମାଲୋଚନା କରିବା ସହିତ ସରକରରେ ଥିବା ଅଧିକାରୀମାନଙ୍କ ନାଁ ନେଇଥିଲେ । ସେତେବେଳେ ଗୃହରେ ଉପସ୍ଥିତ ଥିବା ଶାସକଦଳ ସଦସ୍ୟମାନେ ଏହାକୁ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ପଏଣ୍ଟ ଅଫ ଅର୍ଡର ଜରିଆରେ ବିରୋଧିଦଳ ଏଭଳି ନାଁ ନେଇ ସମାଲୋଚନା କରିପାରିବେ ନାହିଁ ବୋଲି ଦର୍ଶାଇବା ସହିତ ବକ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦେବାପାଇଁ କହିଥିଲେ । ସେ ଦର୍ଶାଇଥିଲେ ଯେ ବିଧାନସଭାର ବିଧି ବ୍ୟବସ୍ଥା ଅନୁଯାୟୀ ଗୃହର ସଦସ୍ୟ ନଥିବା କୌଣସି ବ୍ୟକ୍ତିଙ୍କ ନାମ ଏଠାରେ ନିଆଯାଇ ପାରିବନାହିଁ । ଶ୍ରୀ ସବ୍ୟସାଚୀଙ୍କ ପ୍ରତିବାଦକୁ ପରୀକ୍ଷାପାଇଁ ବାଚସ୍ପତି ଗ୍ରହଣ କରିବା ସହିତ ପରଦିନ ଏହାକୁ ଗୃହ ବିବରଣୀରୁ ବାଦ ଦେଇଥିଲେ ।
ସେତେବେଳେ ମଧ୍ୟ ଅତନୁଙ୍କ ପ୍ରତିବାଦ ପାଇଁ ଏହା ଗୃହ ବିବରଣୀରୁ ବାଦ୍ ଦିଆଗଲା ବୋଲି କହିଥିଲେ । ବିଧାନସଭା ରିପୋର୍ଟିଂ କରୁଥିବା ବରିଷ୍ଠ ସାମ୍ବାଦିକମାନଙ୍କ ମତରେ ଯଦି ସେତେବେଳେ ଏକାଧିକ ବିଜେଡି ସଦସ୍ୟ ଏହାର ପ୍ରତିବାଦ କରିଥାନ୍ତେ ତେବେ ବାଚସ୍ପତିଙ୍କ ଉପରେ ଚାପ ବଢିଥାନ୍ତା ଓ ସେ ତୁରନ୍ତ ଏଭଳି ବକ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦେଇଥାନ୍ତେ । ଫଳରେ ଏହା ଆଉ ପ୍ରେସ୍କୁ ଯାଇନଥାନ୍ତା । ପରଦିନ ବିବରଣୀରୁ ବାଦ୍ ଦେବାର ସେଭଳି କିଛି ମୂଲ୍ୟ ରହିଲା ନାହିଁ । ପୂର୍ବରୁ ଏଭଳି ଅବସ୍ଥା ଗୃହରେ ଦେଖିବାକୁ ମିଳନଥିଲା । ଗୃହ ପରିଚାଳନାରେ ବିଫଳତା ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ଶାସକଦଳ ସଦସ୍ୟଙ୍କ ଏଭଳି ଆଚରଣ ସରକାର ଓ ସରକାରୀଦଳ ଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ସେମାନେ କହିଛନ୍ତି ।
