ଭୁବନେଶ୍ୱର : ରାଜଧାନୀରେ ପ୍ରଥମ କରୋନା ଚିହ୍ନଟ ହେବାପରେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ଚିକିତ୍ସା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କରୋନା ନାଁ ଶୁଣି ସାଧାରଣ ଲୋକେ ଡରୁଥିବାବେଳେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ କିନ୍ତୁ ବୀର ସୈନିକଙ୍କ ଭଳି ସେବାରେ ଲାଗିଛନ୍ତି । ନା ଡର ଅଛି ନା ଭୟ ଅଛିା ସେବା ମନୋଭାବକୁ ନେଇ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ଏମାନେ । ଏଭଳି ସାହସିକତା ଦେଖିବାପରେ ଏବେ ଲୋକେ ଏହି ବୀରମାନଙ୍କୁ ଶହେ ସଲାମ ବୋଲି କହିବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ କରୋନା ମୁକାବିଲା ସବୁଠାରୁ ବଡ ଆହ୍ୱାନ ହୋଇଥିବାବେଳେ ଏହାକୁ ନିଜ କାନ୍ଧକୁ ନେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ନର୍ସ ଓ କର୍ମଚାରୀମାନେ ।
ମୁହଁରେ ମାସ୍କ, ହାତରେ ସାନିଟାଇଜର ବୋଳି ଦିନରାତି କାମରେ ଲାଗିଛନ୍ତି । କୌଣସି ସ୍ଥିତିରେ କରୋନାକୁ ଆଗକୁ ନବଢାଇ ଦେବାପାଇଁ ଏମାନେ ସତେ ଯେପରି ନେଇଛନ୍ତି ପ୍ରତିଜ୍ଞା । ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ଅତି ସର୍ତକତାର ସହ କାମ ଚଳାଇଛନ୍ତି । କ୍ୟାପିଟାଲ ହସ୍ପିଟାଲର ଏଭଳି କାର୍ଯ୍ୟ ଏବେ ଅନ୍ୟ ଡାକ୍ତରଖାନା ଗୁଡିକ ପାଇଁ ଉଦାହରଣ ହେବାକୁ ଯାଉଛି ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯେତେ ପଦକ୍ଷେପ ଗ୍ରହଣ କଲେ ବି ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭକରି ତଳ ସ୍ତରର କର୍ମଚାରୀଙ୍କ ସହଯୋଗ ବିନା ତାହା ସଫଳ ହୋଇପାରିବ ନାହିଁ । ତେବେ ସରକାରୀ ଡାକ୍ତରଖାନା ଗୁଡିକରେ ୫-ଟି ଓ ମୋ ସରକାର କାର୍ଯ୍ୟକାରୀ ହେବା ପରଠାରୁ ଯେଉଁ ବଡ ପରିବର୍ତ୍ତନ ଆସିଛି ତାହାର ପ୍ରତିଫଳନ ଦେଖିବାକୁ ମିଳିଛି କ୍ୟାପିଟାଲ ହସ୍ପିଟାଲରେ । ସେ ଯାହା ହେଲେ ବି ବର୍ତ୍ତମାନ କରୋନା ମୁକାବିଲାରେ ଲାଗିଥିବା ଏହି ବୀର ସୈନିକ ମାନଙ୍କୁ ଯେ ଶହେ ସଲାମ ତାହାକୁ ଯେ କେହି ମୁକ୍ତ କଣ୍ଠରେ କହିବାକୁ ପଛାଇବ ନାହିଁ ।
