ନୟାଗଡ : ଚଳିତ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟର ସମସ୍ତ ଲୋକସଭା ଆସନରୁ ବିଜୟ ଲାଭ କରିବ । ନୟାଗଡରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରି ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ନୟାଗଡ ବିଧାନସଭାରୁ ଚଳିତ ନିର୍ବାଚନ ପାଇଁ ପ୍ରଚାର ଅଭିଯାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆସନ୍ତା ଦିନରେ କେନ୍ଦ୍ରରେ ସରକାର ଗଠନରେ ବିଜେଡି ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ । କେନ୍ଦ୍ରରେ ବିଜେପି ନେୃତୃତ୍ବାଧୀନ ସରକାର ଉପରେ ବର୍ଷିବାକୁ ଯାଇ ନବୀନ କହିଥିଲେ ଯେ, ୨୦୧୪ ନିର୍ବାଚନ ଇସ୍ତାହାରରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ବିଜେପି ପ୍ରତିଶୃତି ଦେଇଥିଲା । କିନ୍ତୁ ସରକାର ଗଠନ ପରେ ଓଡିଶାବାସୀଙ୍କୁ ଦେଇଥିବା ଏହି ପ୍ରତିଶୃତିକୁ ଭୁଲିଯାଇଛି ।

ସେହିଭଳି ମହାନଦୀ ଦଳ ବିବାଦରେ କେନ୍ଦ୍ର ସରକାର ଓଡିଶା ପ୍ରତି ଅନ୍ୟାୟ କରିଛନ୍ତି । କେନ୍ଦ୍ର ସରକାର ଛତିଶତଗଡର ବିଜେପି ସହକାରକୁ ଓଡିଶାକୁ ଆସୁଥିବା ମହାନଦୀ ପାଣି ଅଟକାଇବାରେ ସହଯୋଗ କରିଛନ୍ତି ବୋଲି ସେ କହିଛନ୍ତି । ସେହିଭଳି ତତ୍କାଳିନ ଏନଡିଏ ସରକାର ମଧ୍ୟ ବିବାଦୀୟ ପୋଲାଭରମ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶକୁ ସହଯୋଗ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଓଡିଶାର ଟେଲିକମ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ମଧ୍ୟ ଅବହେଳା କରିଛନ୍ତି । ରାଜ୍ୟରୁ ରେଳବାଇରେ କେନ୍ଦ୍ର ସରକାର ବାର୍ଷିକ ୨୦ହଜାର କୋଟି ଟଙ୍କା ଆୟ କରୁଥିବା ବେଳେ ରାଜ୍ୟର ରେଳ ନେଟୱର୍କ ପାଇଁ ମାତ୍ର ହଜାରେ କୋଟି ଖର୍ଚ୍ଚ କରୁଛନ୍ତି ।
ରାଜ୍ୟ ବିଜେପି ନେତାମାନେ କେନ୍ଦ୍ରୀୟ ଅବହେଳା ସଂପର୍କରେ ସବୁ ଜାଣି ମଧ୍ୟ ଚୁପ ବସିଥିବାରୁ ନବୀନ ସେମାନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ରାଜ୍ୟ ବିଜେପି ନେତାମାନେ କେନ୍ଦ୍ରୀୟ ନେତାଙ୍କ ହାତରେ ରିମୋର୍ଟ କଣ୍ଟ୍ରୋଲ ଭଳି କାର୍ୟ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।