ଭୁବନେଶ୍ୱର : ସଚିବାଳୟ ସେବା ସଂଘର ନିର୍ବାଚନ ଅବ୍ୟବହିତ ପୂର୍ବରୁ କେତେକ ସହକାରୀ ଉପ ବିଭାଗ ଅଧିକାରୀ ବିଭାଗରୁ ବିଭାଗ ବୁଲି ନୂଆକରି ଚାକିରିରେ ଯୋଗ ଦେଇଥିବା ଯୁବ କର୍ମଚାରୀମାନଙ୍କ ଠାରୁ ବେଆଇନ୍ ଭାବେ ସଂଘ ସଭ୍ୟ ଚାନ୍ଦା ସଂଗ୍ରହ କରୁଛନ୍ତି । ଏଭଳି ଅଭିଯୋଗ ଏବେ ସଂଘ ନିର୍ବାଚନ ଦାୟିତ୍ୱରେ ଥିବା ନିର୍ବାଚନ କମିଶନଙ୍କ ନିକଟରେ ସୂଚନା ଓ ଲୋକସମ୍ପର୍କ ବିଭାଗର କେତେକ ଯୁବ ସଭ୍ୟ ଲିଖିତ ଆକାରରେ ପହଞ୍ଚାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସୂଚନା ଓ ଲୋକସମ୍ପର୍କ ବିଭାଗର ଅନ୍ୟୁନ ୨୫ ଜଣ କର୍ମଚାରୀ ଏକ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଚାରି ଜଣ ସହକାରୀ ଉପବିଭାଗ ଅଧିକାରୀ ଯଥା ପ୍ରଯତ୍ନ ବରାଳ, ଏଲପିକେଟି ଗୌରବ ପାଢୀ, ଅଜିତ କୁମାର ମୁର୍ମୁ ଓ ମଧୁସୂଦନ ମହାନ୍ତି ପ୍ରମୁଖ ବିଭାଗ ବିଭାଗ ବୁଲି ନୂଆ ସଭ୍ୟଙ୍କ ଠାରୁ ୧୦୦ ଟଙ୍କା କରି ସଂଘ ସଭ୍ୟ ଚାନ୍ଦା ଆଦାୟ କରୁଛନ୍ତି ।
ଅଭିଯୋଗ ଅନୁଯାୟୀ ସେମାନେ ସାଧାରଣ ସମ୍ପାଦକଙ୍କ ଦସ୍ତଖତ ଥିବା ଏକ ରସିଦ ମାଧ୍ୟମରେ ଏହି ଟଙ୍କା ସଂଗ୍ରହ କରୁଛନ୍ତି । ଏଠାରେ ଉଲ୍ଲେଖ ଥାଉକି ଗତମାସ ୧୪ ତାରିଖ ଦିନ ସଂଘର ସାଧାରଣ ପରିଷଦ ବୈଠକରେ ନୂଆ କର୍ମଚାରୀଙ୍କୁ ସଂଘରେ ସାମିଲ କରିବା ଓ ତାଙ୍କ ଠାରୁ ସଭ୍ୟ ଚାନ୍ଦା ଆଦାୟ କରିବାର ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏ ଦାୟିତ୍ୱ ସଂଘର ସାଧାରଣ ସମ୍ପାଦକଙ୍କୁ ଦିଆଯାଇଥିଲା । ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ଇତି ମଧ୍ୟରେ କୌଣସି ରସିଦ ବହି ଛାପିନଥିବା ବା ନୂଆ ସଭ୍ୟଙ୍କ ଠାରୁ ଚାନ୍ଦା ଆଦାୟ ପାଇଁ କୌଣସି ପଦକ୍ଷେପ ନେଇନଥିବାବେଳେ ଏହି ଯୁବ କର୍ମଚାରୀମାନେ କେଉଁ ଅଧିକାରରେ ନିଜେ ରସିଦ ବହି ଛପାଇ ସାଧାରଣ ସମ୍ପାଦକଙ୍କ ଦସ୍ତଖତକୁ ଜାଲ୍ କରି ଚାନ୍ଦା ଆଦାୟ କରୁଛନ୍ତି ତାହା ଏବେ ଲୋକସେବାଭବନ ଓ ଖାରବେଳଭବନରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣ ସମ୍ପାଦକ ମଧ୍ୟ ଏଭଳି ରସିଦ ବହି କାହାକୁ ଦେଇନଥିବା କିମ୍ବା ନିଜେ ଦସ୍ତଖତ କରିନଥିବା ସ୍ପଷ୍ଟ କରିଛନ୍ତି ।
ତେବେ ବିଭାଗ ବିଭାଗ ବୁଲି ସଭ୍ୟ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିମାନେ ଏବେ ପଇସାକୁ ନେଇ କ’ଣ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଆଦାୟ ସଭ୍ୟ ଚାନ୍ଦାକୁ ସେମାନେ ସଂଘ ନିକଟରେ ପଇଠ କରିବେ ନା ନିଜେ ଚଳୁ କରିଦେବେ ତାହାକୁ ନେଇ ଯୁବ କର୍ମଚାରୀମାନେ ପ୍ରଶ୍ନ କରୁଛନ୍ତି । ତେବେ ଚାନ୍ଦା ଆଦାୟ କରୁଥିବା କର୍ମଚାରୀମାନଙ୍କ ମଧ୍ୟରୁ ୩ଜଣ ଗତ ୨୦୧୭-୧୯ ବର୍ଷରେ ସଂଘର କର୍ମକର୍ତ୍ତା ଥିଲେ ଓ ସଭାପତି ଗୋଷ୍ଠିରେ ଥିବା ବେଶ୍ ଜଣାଶୁଣାା ଏମାନଙ୍କୁ ସଭାପତି ଓ ଉକ୍ତ ଗୋଷ୍ଠିରେ ଥିବା ଅଭିଜ୍ଞ ନେତୃତ୍ୱ ଏପରି ବେଆଇନ୍ କାମ କରିବାକୁ ପ୍ରଶୟ ଦେଇଛନ୍ତି ନା ଏମାନେ ନିଜେ ନିଜେ ଏଭଳି କାର୍ଯ୍ୟ କରୁଛନ୍ତି ତାହା ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି । କେତେକ ବରିଷ୍ଠ ସଭ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି ଯେ ଏହି ବେଆଇନ୍ ଚାନ୍ଦା ଆଦାୟକାରୀଙ୍କ ଠାରୁ କୈଫତ ତଲବ କରାଯାଉ । ଯଦି ଏମାନେ ସନ୍ତୋଷଜନକ ଉତ୍ତର ନଦେଲେ ତେବେ ତାଙ୍କୁ ଆଗାମୀ ନିର୍ବାଚନରୁ ବାସନ୍ଦ କରିବା ସାଂଗକୁ ସଂଘର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଉ । ତେବେ ଇତି ମଧ୍ୟରେ ନିର୍ବାଚନ କମିଶନ ସାଧାରଣ ସମ୍ପାଦକ ଓ ସଭାପତିଙ୍କୁ ନିର୍ବାଚନ ପାଇଁ ଅର୍ଥ ମାଗିଥିବାବେଳେ ଉଭୟ ନିରବ ଥିବାରୁ ନିର୍ବାଚନ ଉପରେ ପ୍ରଶ୍ନବାଚୀ ଲାଗିଗଲାଣି ।
