ଯାଜପରୁ : ପ୍ରଥମେ ଯୁବତୀଙ୍କ ସହ ପ୍ରେମ ସଂପର୍କ ପରେ ପ୍ରତାରଣା । ବିବାହ ପାଇଁ ଅରାଜି ହେବାରୁ ଯୁବତୀଙ୍କ ନଗ୍ନ ଫଟୋକୁ ଭାଇରାଲ କରି ଯୁବକ ଗିରଫ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପରୁ ଜିଲ୍ଲା ଧର୍ମଶାଳା ଅଂଚଳରୁ । ଘଟଣାରେ ସଂପୃକ୍ତ ଯୁବକ କେନ୍ଦୁଝର ଜିଲ୍ଲା ଜଳେଶ୍ୱରପୁର ଗ୍ରାମର ସୈାମ୍ୟରଂଜନ ନାୟକଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, କିଛି ବର୍ଷ ହେବ ସୈାମ୍ୟରଂଜନଙ୍କ ସହ ତାଙ୍କର ସଂପର୍କ ଗଢି ଉଠିଥିଲା । ଏହି ସମୟରେ ସେ ତାଙ୍କର ନଗ୍ନ ଫଟୋ ମୋଇବାଇଲରେ ଉଠାଇ ନେଇ ତାଙ୍କୁ ବ୍ଲାକମେଲ କରୁଥିଲେ ।
ଏପରିକି ତାଙ୍କ ସାଙ୍ଗମାନଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ବିଭିନ୍ନ ସମୟରେ ଧମକ ଚମକ ଦେଉଥିଲେ । ତେବେ ଏଥିରେ ସେ ରାଜି ନହେବାରୁ ତାଙ୍କର ନଗ୍ନ ଫଟୋକୁ ଜାରକା ବଜାରରେ ଲଗାଇ ଦେଇଥିଲେ । ଏସଂପର୍କରେ ଯୁବତୀଜଣକ ଥାନାରେ ଅଭିଯୋଗ କରିବା ପରେ ଆଜି ପୋଲିସ ଅଭିଯୁକ୍ତ ସୈାମ୍ୟରଂଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
