ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମଙ୍ଗଳବାର ରାତିରୁ ଦେଶରେ ସମସ୍ତ ବିମାନ ଚଳାଚଳ ବନ୍ଦ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛନ୍ତି ।
ମାର୍ଚ୍ଚ ୨୫ ତାରିଖ ରାତି ୨୩.୫୯ ବା ମଧ୍ୟ ରାତ୍ରୀରୁ ଦେଶରେ ଯାତ୍ରୀ ପରିବହନ କ୍ଷେତ୍ରରେ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିବ । ସମସ୍ତ ବିମାନ ଚଳାଚଳ କରୁଥିବା କମ୍ପାନୀ ଏହି ନିର୍ଦେଶ ଅନୁସାରେ କେଉଁ ସ୍ଥାନରେ ନିଜ ବିମାନକୁ ଅବତରଣ କରାଇବେ ସେ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ପରାମର୍ଶ ଦିଆଯାଇଛି । ମାତ୍ର ମାଲ୍ ପରିବହନ ପାଇଁ ନିୟୋଜିତ ବିମାନ ପୂର୍ବପରି ଚଳାଚଳ କରିବେ ।
ଭାରତର ଅନେକ ବିମାନ ଚଳାଚଳ କମ୍ପାନୀ ନିଜର ଉଡାଣ ଓ ବିମାନ ଚଳାଚଳ ରଦ୍ଦ କରିଛନ୍ତି । ଏବେ କରୋନା ସଂକ୍ରମଣ ଦୃଷ୍ଟିରୁ କମ୍ପାନୀ ମାନେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
କେତକ ବିମାନ ଚଳାଚଳ କମ୍ପାନୀ ନିଜର କ୍ଷତି ଭରଣା ପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ଲିଖିତ ଭାବେ ଜଣାଇଛନ୍ତି । ଏଥିରେ ଲ୍ୟାଣ୍ଡିଂ ଓ ପାର୍କିଂ ଚାର୍ଜ ଛାଡ କରିବା ଓ ଇନ୍ଧନ ବା ତୈଳ ଯୋଗାଣକାରୀ କମ୍ପାନୀମାନଙ୍କୁ ଅର୍ଥ ଦେୟରେ ରିହାତି ପାଇଁ ଦାବି କରିଛନ୍ତି ।
କରୋନା ଯୋଗୁଁ ସାରା ବିଶ୍ୱରେ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ଅନେକ ଏୟାର ଲାଇନ୍ସ ଦେବାଳିଆ ପରିସ୍ଥିତିକୁ ଚାଲିଯିବେ ବୋଲି ମତ ପ୍ରକାଶ ପାଇଛି ।
